ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଭୁଲ ରିପୋର୍ଟିଂକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ରୁଜୁ କରାଯାଇଛି। 

Advertisment

୨୦୨୩ ମସିହାରେ ଆରାଧ୍ୟା ନିଜକୁ ନାବାଳିକା ବୋଲି କହି ଏପରି ରିପୋର୍ଟିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆହ୍ୱାନ ଦେଇଥିଲେ। ଯାହା ପରେ କୋର୍ଟ ଆରାଧ୍ୟା ବଚ୍ଚନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଭିଡିଓକୁ ୟୁଟ୍ୟୁବ୍ ପ୍ଲାଟଫର୍ମରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ପ୍ରତି ଦାଖଲ ହୋଇଥିବା ନୂତନ ଆବେଦନ ଆଧାରରେ ଦିଲ୍ଲୀ ହାଇକୋର୍ଟ ଗୁଗୁଲ୍ ସମେତ କିଛି ୱେବସାଇଟ୍କୁ ପୁଣି ନୋଟିସ୍ ପଠାଇଛନ୍ତି। 

ଆରାଧ୍ୟାଙ୍କ ଓକିଲ ହାଇକୋର୍ଟରେ କହିଛନ୍ତି, ‘ ଆରଧ୍ୟାଙ୍କ  ସ୍ବାସ୍ଥ୍ୟ ସମ୍ପର୍କୁ ନେଇ ମିଥ୍ୟା ଖବର ପ୍ରଚାର କରାଯାଉଥିବା ଆହୁରି କିଛି ଭିଡିଓ ଏପର୍ଯ୍ୟନ୍ତ ଡିଲିଟ ହୋଇନାହିଁ।’

ପୂରା ଘଟଣା ଟି ହେଉଛି, ‘କିଛି ୟୁଟ୍ୟୁବ୍ ଚ୍ୟାନେଲ ଆରାଧ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ସହିତ ଜଡିତ ଗୁଜବ ପ୍ରସାର କରିଥିଲେ। ଭିଡିଓଗୁଡ଼ିକରେ  ଆରାଧ୍ୟା ଅସୁସ୍ଥ ଥିବାର ପ୍ରଚାର କରାଯାଉଥିଲା। ଏହି ମିଥ୍ୟା ଖବରରେ କ୍ରୋଧିତ ହୋଇ, ବଚ୍ଚନ ପରିବାର ୨୦୨୩ ମସିହାରେ ହାଇକୋର୍ଟରେ ଏକ ଆବେଦନ କରିଥିଲେ ଏବଂ ଏପରି ଭିଡିଓଗୁଡ଼ିକୁ ହଟାଇବାକୁ ଦାବି କରିଥିଲେ।

ଏହି ବିଷୟକୁ ନେଇ କୋର୍ଟରେ ପୁଣି ଥରେ ଆବେଦନ କରାଯାଇଛି। ଏହି ମାମଲାର ପୁନର୍ବାର ଶୁଣାଣି ୧୭ ମାର୍ଚ୍ଚରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଐଶ୍ୱର୍ଯ୍ୟା-ଅଭିଷେକ ୨୦୦୭ ମସିହାରେ ବିବାହ କରିଥିଲେ ଏବଂ ଆରାଧ୍ୟାଙ୍କ ଜନ୍ମ ବିବାହର ଚାରି ବର୍ଷ ପରେ ୨୦୧୧ ମସିହାରେ ହୋଇଥିଲା।