ନୂଆଦିଲ୍ଲୀ: ‘ତାରକ ମେହତା କା ଉଲଟା ଚଷମା’ର ଲୋକପ୍ରିୟ ଅଭିନେତା ଗୁରୁଚରଣ ସିଂହ ହଠାତ ନିଖୋଜ ହୋଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଚଳିତବର୍ଷ ଏପ୍ରିଲ ୨୬ ତାରିଖରେ ଗୁରୁଚରଣ ନିଖୋଜ ହୋଇଯାଇଥିବା ତାଙ୍କ ବାପା ଅଭିଯୋଗ କରି କହିଥିଲେ।
୨୫ଦିନ ନିଖୋଜ ରହିବା ପରେ ମଇ ୧୮ ତାରିଖରେ ଗୁରୁଚରଣ ସିଂହ ଘରକୁ ଫେରିଥିଲେ। ତେବେ ‘ତାରକ ମେହତା କା ଉଲଟା ଚଷମା’ର ଲୋକପ୍ରିୟ ଅଭିନେତା କାହିଁକି ଏମିତି ହଠାତ ଫେରାର ହୋଇଯାଇଥିଲେ ତାହାକୁ ନେଇ ଦର୍ଶକଙ୍କ ମନରେ ଏବେ ବି ପ୍ରଶ୍ନ ରହିଛି।
ନିକଟରେ ଗୁରୁଚରଣ ସିଂହ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘କରୋନା ମହାମାରୀ ପରେ ମୋତେ ଅନେକ ଅସୁବିଧା ଦେଇ ଗତି କରିବାକୁ ପଡ଼ିଛି। ୨୦୨୦ରେ ମୁଁ ମୁମ୍ବାଇ ଛାଡ଼ି ଦିଲ୍ଲୀ ଚାଲି ଯାଇଥିଲି। କାରଣ ମୋ ବାପାଙ୍କ ସର୍ଜରୀ ହେବାର ଥିଲା। ଅନେକଥର ନିଜର ବ୍ୟବସାୟ ଆରମ୍ଭ କରିଛି କିନ୍ତୁ ସେଥିରୁ କୌଣସି ପ୍ରକାର ଲାଭ ପାଇ ପାରିଲି ନାହିଁ। କେତେବେଳେ କାମ ଠିକ ହେଲା ନାହିଁ ତ କେତେବେଳେ ଲୋକେ ମୋତେ ଠକି ଦେଇ ଚାଲିଗଲେ।
ଅନେକ ଦିନ ହେବ ଏକ ଜମି ବିବାଦ ବି ଚାଲିଛି। ଯେଉଁଥିରେ ଅନେକ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିଲାଣି। ଯେଉଁ କାରଣରୁ ମୋର ଆର୍ଥିକସ୍ଥିତି ଦୁର୍ବଳ ହୋଇପଡ଼ିଛି। ଏକାଥରକେ ଏତେ ସବୁ ଅସୁବିଧା ସାମ୍ନାକୁ ଆସିବା ପରେ ମୁଁ ଚିନ୍ତାରେ ପଡ଼ିଯାଇଛି।
ତେଣୁ ମୁଁ ସବୁକିଛି ଛାଡ଼ି ଯେଉଁଆଡେ ମନ ଡାକିଥିଲା ଚାଲି ଯାଇଥିଲି। ଫେରିବାର କୌଣସି ପ୍ରକାର ମୋର ଯୋଜନା ନଥିଲା। କିନ୍ତୁ ଭଗବାନଙ୍କ ଠାରୁ କିଛି ସଙ୍କେତ ପାଇବା ପରେ ମୁଁ ଫେରିଆସିଛି। ଲୋକେ ଏହାକୁ ପବ୍ଲିସିଟି ବୋଲି କହୁଛନ୍ତି।
ଯଦି ମୁଁ ପବ୍ଲିସିଟି ପାଇଁ ଏପରି କରି ଥାଆନ୍ତି ତେବେ ଫେରିବା ପରେ ସାକ୍ଷାତକାର ଦେଇଥାଆନ୍ତି, ତାରକ ମେହତା ସୋ’ରେ ଥିବା ମୋ ବକେୟା ଟଙ୍କା ମାଗିଥାଆନ୍ତି। କିନ୍ତୁ ମୁଁ ସେମିତି କିଛି କରିନାହିଁ। ବାସ ମୁଁ ଏବେ କାମ ଚାହୁଁଛି। କାମ କରି ମୋର ଆର୍ଥିକସ୍ଥିତିକୁ ସଜାଡ଼ିବାକୁ ଚାହୁଁଛି। ଆଗକୁ ବିବାହ କରିବାର ବି ଯୋଜନା ଅଛି। ସବୁକିଛି ଠିକ ହୋଇଗଲେ ମୁଁ ମୋର ପରିବାକୁ ମୁମ୍ବାଇ ନେଇ ଆସି ତାଙ୍କ ସହିତ ରହିବାକୁ ଚାହୁଁଛି।’