ଓଲିଉଡ ସୁପରଷ୍ଟାର୍‌ ବାବୁସାନ କି ସମ୍ବିତ ଏହି ନାୟିକାଙ୍କୁ କହିପାରିଲେନି ‘ଆରେ ମୋ’ ଟିକି ଚଢ଼େଇ’

ବିଶେଷ- ଶିବଶଙ୍କର ଓଝା

ଭୁବନେଶ୍ବର: ଓଲିଉଡ ସୁପରଷ୍ଟାର୍‌ ବାବୁସାନଙ୍କ କ୍ଷେତ୍ରରେ ଏମିତି କିଛି କଥା ଅଛି, ଯାହା ସିନେପ୍ରେମୀଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଏ। ସେଭଳି ଘଟଣାରୁ ଗୋଟିଏ କଥା ସଂପର୍କରେ ଆସନ୍ତୁ ଜାଣିବା।
ଓଲିଉଡର ଟପ୍‌ ହିରୋ ବାବୁସାନ୍‌ଙ୍କ ପ୍ରଥମ ଓଡ଼ିଆ ସିନେମା ହେଲା ‘ରୋମିଓ ଦ ଲଭର ବୟ ’ । ବ୍ରଜରାଜ ମୁଭିଜି ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ । ୨୦୦୯ରେ ମୁକ୍ତିଲାଭ କରିଥିଲା ‘ରୋମିଓ ଦ ଲଭର ବୟ’।। ଏହି ସିନେମାରେ ବାବୁସାନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା ଲଭଲି।
ଏହାପରେ ବାବୁସାନଙ୍କୁ ‘ତୋ’ ଆଖିରେ ମୁଁ’, ‘ଲଭମାଷ୍ଟର’ ,‘ଦୋସ୍ତି’ ଓ ‘ପ୍ରେମ ଅଢ଼େଇ ଅକ୍ଷର’ ଆଦି ସିନେମାରେ ଦେଖିବାକୁ ମିଳିସାରିଥାଏ। ସେସମୟରେ ଆଜି ଭଳି ବି ବାବୁସାନଙ୍କ ଡିମାଣ୍ଡ ଭଲ ଥାଏ ଓଲିଉଡରେ।

ସେତେବେଳେ ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ଦିଲୀପ ପଣ୍ଡା ‘ଆରେ ମୋ’ ଟିକି ଚଢେଇ’ ନାଆଁରେ ଏକ ସିନେମାର ନିର୍ଦ୍ଦେଶନା ନେବେ ବୋଲି ଘୋଷଣା କରାଯାଇଥିଲା। ଏହି ସିନେମାର ପ୍ରଯୋଜନା କରୁଥିଲେ ବିପ୍ଲବ ଜେନା। ସବୁଠୁଁ ବଡ଼ କଥା ହେଲା ପ୍ରଥମେ ଯେତେବେଳେ ଏହି ଫିଲ୍ମର ଘୋଷଣା କରାଗଲା ସେତେବେଳେ ବାବୁସାନଙ୍କୁ ନାୟକ ଏବଂ ପ୍ରିୟାଙ୍କୁ ନାୟିକା ଭୂମିକାରେ ନିଆଯାଇଛି ବୋଲି କୁହାଗଲା।
ସେତେବେଳକୁ ବାବୁସାନ ଓ ପ୍ରିୟା କେବଳ ଗୋଟିଏ ସିନେମାରେ ଏକାଠି କାମ କରିଥାନ୍ତି। ସେହି ସିନେମାଟି ହେଲା ଜଣାଶୁଣା ପ୍ରଯୋଜକ ବିଜୟ କନ୍ଦୋଇଙ୍କ ପ୍ରଯୋଜିତ ତଥା ଲୋକପ୍ରିୟ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଦୋସ୍ତି’। ‘ଆରେ ମା’ ଟିକି ଚଢେଇ’ର ସ୍କ୍ରିପ୍ଟ କାମ ମଧ୍ୟ ସରିଯାଇଥିଲା। ହେଲେ କିଛି ମାସର ଅପେକ୍ଷା ପରେ ବି ଏହା ଫ୍ଲୋରକୁ ଯାଇପାରିନଥିଲା।


ଏହି ଘଟଣାର ପ୍ରାୟ ଦୁଇ ବର୍ଷ ପରେ ସେହି ଫିଲ୍ମଟି ଫ୍ଲୋରକୁ ଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା, ହେଲେ ସେତେବେଳକୁ କାଷ୍ଟିଂ ବଦଳିଗଲା। ଯେଉଁ ‘ଆରେ ମୋ ଟିକି ଚଢେଇ’ରେ ବାବୁସାନଙ୍କୁ ହିରୋ ଭାବେ ନିଆଯିବାର ଥିଲା, ସେଠି ବାବୁସାନଙ୍କ ବଦଳରେ ଓଲିଉଡର ଆଉ ଜଣେ ନାୟକ ସମ୍ବିତଙ୍କୁ ନିଆଗଲା।


ସମ୍ବିତ ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲେଖିଚି ନାଆଁ ତୋ’ର’ରେ ନାୟକ ଭାବେ କାମ କରିଛନ୍ତି। ବାବୁସାନଙ୍କ ସ୍ଥାନ ତ ନେଲେ ସମ୍ବିତ୍‌। ହେଲେ ନାୟିକାଭାବେ ପ୍ରିୟା କାମ କରିବେ ବୋଲି କୁହାଗଲା। କିନ୍ତୁ ଏଥର ବି ‘ଆରେ ମୋ’ ଟିକି ଚଢେଇ’ ଫ୍ଲୋରକୁ ଗଲା ନାହିଁ। ଆଜି ଯାଏଁ ସେ ପ୍ରୋଜେକ୍ଟ ବନ୍ଦ ପଡ଼ି ରହିଛି। ପ୍ରକାରାନ୍ତରେ କହିବାକୁ ଗଲେ ଟିକି ଚଢେଇକୁ ନା ବାବୁସାନ ନା ସମ୍ବିତ କେହି ବି ଧରିପାରିନାହାନ୍ତି।

ସମ୍ବନ୍ଧିତ ଖବର