ମୁମ୍ବାଇ: ରିୟାଲିଟି ସୋ ବିଗ୍ ବସ୍ ୧୬ରେ ପ୍ରତିଯୋଗୀ ଭାବେ ଭାଗ ନେବା ପରଠାରୁ ଅବଦୁ ରୋଜିକ୍ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଅନେକ ଅନୁଗାମୀ ବି ଅଛନ୍ତି। ଯେଉଁମାନେ କି ଅବଦୁଙ୍କ ପ୍ରତିଟି ପୋଷ୍ଟକୁ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରି ରହିଥାଆନ୍ତି।
ଦୁଇଦିନ ତଳେ ଅବଦୁ ରୋଜିକ୍ ଇନଷ୍ଟାଗ୍ରାମ ଜରିଆରେ ବିବାହ କରିବାକୁ ଯାଉଥିବାର ଖୁସି ଖବରକୁ ସମସ୍ତଙ୍କୁ ଜଣାଇଥିଲେ। ଏହାପରେ ଅବଦୁଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏଭଳି ଖୁସିର ମୁହୂର୍ତ୍ତରେ କିଛି ଘଟଣା ଅବଦୁଙ୍କୁ ଦୁଃଖୀ କରି ଦେଇଛି।
ଅବଦୁ ନିକଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଯେଉଁମାନେ ମୋତେ ଅଭିନନ୍ଦନ ଜଣାଇଛନ୍ତି, ସେମାନଙ୍କୁ ଧନ୍ୟବାଦ, ସେମାନେ ଏହି ମୁହୂର୍ତ୍ତକୁ ମୋ ପାଇଁ ସ୍ମରଣୀୟ କରିଦେଇଛନ୍ତି। କିନ୍ତୁ କିଛିଲୋକଙ୍କ ପ୍ରତିକ୍ରିୟା ମୋତେ ଦୁଃଖୀ କରି ଦେଇଛି।
ଲୋକମାନେ ମୋର ଉଚ୍ଚତାକୁ ନେଇ ପରିହାସ କରୁଛନ୍ତି। ମୋତେ ନେଇ ନକରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି। ଏହା ଅତ୍ୟନ୍ତ ଦୁଃଖର ବିଷୟ । ଏଭଳି ଖୁସି ମୁହୂର୍ତ୍ତରେ ଲୋକଙ୍କ ନକାରାତ୍ମକ ପ୍ରତିକ୍ରିୟା ମୋତେ ଦୁଃଖୀ କରି ଦେଉଛି। ମୁଁ ଚାହିଁକି ବି ଖୁସି ହୋଇପାରୁ ନାହିଁ। ମୁଁ ଜାଣିଛି ମୋର କମ ଉଚ୍ଚତା । କ’ଣ କମ ଉଚ୍ଚତା ଥିବା ମଣିଷ ତାର ଜୀବନରେ ଖୁସି ହୋଇପାରିବ ନାହିଁ। ଜୀବନସାଥୀ ବାଛି ବିବାହ କରି ପାରିବ ନାହିଁ।
ଦୟାକରି ପରସ୍ପରକୁ ସମ୍ମାନ ଦିଅନ୍ତୁ କାରଣ ଭବିଷ୍ୟତରେ ଆମର ପିଲାମାନେ କିପରି ହେବେ ତାହା ଆମେ ଜାଣିନାହୁଁ । ଅଶ୍ଳୀଳ ଥଟ୍ଟା ମାନସିକ ସ୍ତରରେ ବହୁତ କ୍ଷତି ପହଞ୍ଚାଇପାରେ ଏହା ଆପଣମାନେ ବୁଝିଯିବା ଉଚିତ। ଆମକୁ ଭଲ ପାଇବା ଶିଖିବା ଆବଶ୍ୟକ।
ମୁଁ ଅମିରାଙ୍କ ପରିବାରକୁ କହି ଏହି ନିର୍ବନ୍ଧ ଫଟୋ ପୋଷ୍ଟ କରିଛି। ଥରେ ଭାବି ଦେଖନ୍ତୁ ତ ଆପଣମାନଙ୍କ ଏଭଳି ନକାରାତ୍ମକ ପ୍ରତିକ୍ରିୟା ଦେଖି ସେମାନେ କ’ଣ ଭାବୁଥିବେ। ମୋ ଉପରେ ଏସବୁର କ’ଣ ପ୍ରଭାବ ପଡ଼ୁଥିବ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ ଏଥିରୁ ନିବୃତ୍ତ ରୁହନ୍ତୁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/ବବ.jpg)