‘ଏଥର ଆମ ବେଣୁ ମଉସା’ ଗୀତ ଗାଇଲେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଜୋରସୋରରେ ପ୍ରାର୍ଥୀ ପ୍ରଚାର ଅଭିଯାନ ଚଳାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ବେଣୁଧର ବାରିକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି | ବେଣୁ କେଟିଲି ଚିହ୍ନରେ ନିଜ ଭାଗ୍ୟ ପରୀକ୍ଷା କରୁଥିବାବେଳେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି | କୌଣସି ଦଳର ସମର୍ଥନ ନଥିଲେ ବି ବେଣୁ ଆଉ ଏକା ନିର୍ବାଚନ ପ୍ରଚାର କରୁନାହାନ୍ତି | ରାଣୀ ପଣ୍ଡାଙ୍କ ସମେତ ଦାମ ପଣ୍ଡା ଓ କିଛି ସମାଜସେବୀ ଏବେ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି | ଆଉ ଏବେ ବେଣୁଙ୍କ ପାଇଁ ଅଭିନବ ଢଙ୍ଗରେ ପ୍ରଚାର ଆରମ୍ଭ କରିଛନ୍ତି ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର |

‘ଏଥର ଆମ ବେଣୁ ମଉସା’ ଶୀର୍ଷକରେ ଅଭିଜିତ ଗୀତ ଗାଇଥିବାବେଳେ ଏହାକୁ ପ୍ରମୋଦ ପରିଡା ଲେଖିଛନ୍ତି ଓ ମା ଅମ୍ବିକା ମ୍ୟୁଜିକ ବ୍ୟାନରରେ ଏହା ରିଲିଜ କରାଯାଇଛି | ସୂଚନା ଥାଉ କି ବାଲେଶ୍ୱର ସଦର ଉପ ନିର୍ବାଚନରେ ବେଣୁଧର ବାରିକ ହେଉଛନ୍ତି ସବୁଠାରୁ ଗରିବ ଏବଂ ବୟସ୍କ ପ୍ରାର୍ଥୀ । ୯୦ ବର୍ଷ ବୟସରେ ସ୍ୱାଧୀନପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି ବେଣୁଧର । ନା କୌଣସି ଅର୍ଥବଳ, ନା କୌଣସି ଦଳ । ଲୋକଙ୍କ ଭଲପାଇବା ଓ ସେମାନଙ୍କ ସ୍ୱାର୍ଥ ପାଇଁ ଲଢେଇ କରୁଛନ୍ତି ସେ ।


ସବୁଠାରୁ ବଡ କଥା ହେଉଛି ଖୁର କଇଁଚି ଧରି ଘର ଘର ବୁଲି କ୍ଷିଅର କରୁଥିବା ବେଣୁ ମଉସା ପ୍ରଚାର ପାଇଁ ଖଣ୍ଡିଏ ଭଙ୍ଗା ସାଇକେଲରେ କେଟିଲ ଚିହ୍ନ ନେଇ କୁରୁକ୍ଷେତ୍ରକୁ ଓହ୍ଲାଇଥିଲେ । ଆଉ ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ତାଙ୍କୁ ସମର୍ଥନର ସୁଅ ଛୁଟିଥିଲା | ସୂଚନା ଥାଉ କି ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ୧୦ ତାରିଖରେ ଭୋଟ ଗଣତି ହେବ |

ସମ୍ବନ୍ଧିତ ଖବର