ପେସାରେ ସେ ଡାକ୍ତର, ହେଲେ ନିଶା ସଂଗୀତ ସାଧନା। କମ୍‌ ବୟସରୁ ସଂଗୀତ ଦୁନିଆରେ ପାଦରଖି ଜଣେ ସଫଳ ଗାୟକ ହେବାରେ ସକ୍ଷମ ହୋଇଛନ୍ତି ଡା. ଅଭିନ୍ନସୁନ୍ଦର ରାଉତରାୟ। ୨୦୧୮ ମସିହାରେ ପ୍ରାର୍ଥନା ଚ୍ୟାନେଲ୍‌ରେ ପ୍ରସାରିତ ପ୍ରଥମ ସ୍ବର ସିଜନ୍‌-୨ର ୨ୟ ରନର୍ସଅପ୍‌ ହେବା ସହିତ ପ୍ରାର୍ଥନା ମଞ୍ଚ, ଭଜନ ଅନ୍ତାକ୍ଷରୀ, ଦେବୀ ଉତ୍ସବ ଓ ଚାଲ କ୍ଷେତ୍ରଯିବା ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ସାଂସ୍କୃତିକ ମଞ୍ଚରେ ଭଜନ ପରିବେଷଣ କରିବା ସହ ସେ ଅନେକ ଆଲ୍‌ବମ୍‌ ଓ ଭଜନରେ କଣ୍ଠଦାନ କରିଛନ୍ତି। କଳା ପ୍ରତିଭା ଲାଗି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି। ସାମାଜିକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି ଅଭିନ୍ନ।

Advertisment

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଅଡିଓଲୋଜିଷ୍ଟ ଭା‌େବ କାର୍ଯ୍ୟରତ ଅଭିନ୍ନ ଜଗତସିଂହପୁରଜିଲ୍ଲା କୃଷ୍ଣଦାସପୁରର ଖାନାବାଡ଼ି ନିବାସୀ ପ୍ରତାପ ଚନ୍ଦ୍ର ରାଉତରାୟ ଓ ଶ୍ରୀମତୀ ଜ୍ୟୋତ୍ସ୍ନା ଦାସଙ୍କ ପୁତ୍ର। ସେ ବ୍ୟାଚେଲର୍‌ ଇନ୍‌ ଅଡିଓଲୋଜି ଆଣ୍ଡ୍ ସ୍ପିଚ୍‌ ଲାଙ୍ଗୁଏଜ୍‌ ପାଥୋଲୋଜି (ବିଏଏସ୍‌ଏଲ୍‌ପି) ସହ ଉତ୍କଳ ବିଶ୍ବବିଦ୍ୟାଳୟରୁ ଇଲେକ୍ଟ୍ରୋ ହୋମିଓପାଥିରେ ଡିଗ୍ରି ହାସଲ କରିଛନ୍ତି। ଏଥିସହ ସେ ଚଣ୍ଡୀଗଡ଼ର ପ୍ରାଚୀନ କଳା କେନ୍ଦ୍ରରୁ  ସଂଗୀତ ବିଶାରଦ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। 

ବାପାଙ୍କଠାରୁ ପ୍ରେରଣା ପାଇ ସେ ଏତେ ବାଟ ଆସିଥିବା କହନ୍ତି ଅଭିନ୍ନ। ବାପା ସରକାରୀ ହାଇସ୍କୁଲ୍‌ରେ ଶିକ୍ଷକତା କରିବା ସହ ଜଣେ ମଞ୍ଚ କଳାକାର, ସଂଗୀତପ୍ରେମୀ ତଥା ସୁସାହିତ୍ୟିକ। ପିଲାବେଳୁ ପୁଅର ସଂଗୀତ ପ୍ରତି ରୁଚି ଦେଖି ପ୍ରଥମେ ବିଶିଷ୍ଟ ତବଲାବାଦକ ସ୍ବର୍ଗତ ରାଧାକାନ୍ତ ନନ୍ଦଙ୍କ ପାଖରେ ତବଲାବାଦନ ଶିକ୍ଷା ଦିଆଇଥିଲେ। ପରେ ସଂଗୀତ ଶିକ୍ଷାର ବ୍ୟବସ୍ଥା କରାଇଥିଲେ। ‘ହେ ସଖା...’ ଗୀତରୁ ପରିଚୟ ପାଇଥିବା ଅଭିନ୍ନଙ୍କର ଅନେକ ଗୀତ ମୁକ୍ତିଲାଭ କରିଛି ଏବଂ ଆଗକୁ କରିବାର ଅଛି।