ଅଭିଷେକ ହେବେ ସାହିର୍‌ ଲୁଧିଆନଭି ଏବଂ ଦୀପିକା ଅମ୍ରିତା ପ୍ରୀତମ୍‌

ମୁମ୍ବାଇ:ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ‘ପଦ୍ମାବତୀ’ପରେ ଆଉ ଏକ ସିନେମାର କାମ ଆରମ୍ଭ କରିବେ ବୋଲି ଜଣାଯାଇଛି। ଏହା ଏକ ପ୍ରେମ କାହାଣୀ ଉପରେ ଆଧାରିତ ହେବ। କୁହାଯାଉଛି ଯେ ଏହାର କଥାବସ୍ତୁ ବଲିଉଡର ଲୋକପ୍ରିୟ ଗୀତିକାର ସାହିର୍‌ ଲୁଧିଆନଭି ଏବଂ ଜଣାଶୁଣା ଲେଖିକା ଅମ୍ରିତା ପ୍ରୀତମ୍‌ଙ୍କ ପ୍ରେମ ପ୍ରସଙ୍ଗ ଉପରେ ଆଧାରିତ। ଏହି ସିନେମାରେ ଜୁନିଅର୍‌ ବଚ୍ଚନ ଅଭିଷେକ ହେବେ ସାହିର୍‌ ଲୁଧିଆନଭି ଏବଂ ଦୀପିକା ପାଦୁକୋନ୍‌ ଅମ୍ରିତା ପ୍ରୀତମ୍‌ ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛି।

କାହାଣୀ ଅନୁଯାୟୀ ଅମ୍ରିତାଙ୍କ ବୈବାହିକ ଜୀବନ ବିଶେଷ ସୁଖଦ ନଥିଲା। ସେ ପ୍ରୀତମ୍‌ ସିଂହଙ୍କୁ ବିବାହ କରିଥିଲେ। ୧୯୪୪ ମସିହାରେ ଉଭୟଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ପରସ୍ପରର ନିକଟତର ହୋଇଥିଲେ ସାହିର ଏବଂ ଅମ୍ରିତା। ଏକଥା ସମସ୍ତଙ୍କୁ ପରେ ଜଣାପଡ଼ିଥିଲା। ହେଲେ କିଛି ସମୟପରେ ଅମ୍ରିତା ଜଣେ ପେଣ୍ଟର୍‌ ଇମରୋଜଙ୍କ ପ୍ରେମରେ ପଡ଼ିଥିଲେ। ଏହାପୂର୍ବରୁ ସେ ବିବାହ ବନ୍ଧନରୁ ମୁକ୍ତ ହୋଇସାରିଥିଲେ।

ଏଭଳି କିଛି ରୋମାଞ୍ଚକର ପ୍ରସଙ୍ଗକୁ ନେଇ କାହାଣୀ ଲେଖିଛନ୍ତି ଜନସିତ୍‌। ପ୍ରଥମେ ସେ ଏହି କାହାଣୀକୁ ନେଇ ଶାହରୁଖ୍‌ ଖାନଙ୍କ ପାଖକୁ ଯାଇଥିଲେ ହେଲେ ଏଥିରେ ସେ ଆଗ୍ରହ ଦେଖାଇଲେ ନାହିଁ। ଏହାପରେ ଜନସିତ୍‌ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କୁ ଭେଟିଲେ ଏବଂ ସେ କାହାଣୀରେ ପ୍ରଭାବିତ ହୋଇ ସିନେମା ନିର୍ମାଣ କରିବାକୁ ରାଜି ହେଲେ। ଶୁଣିବାକୁ ମିଳୁଛି ଯେ ଇତିମଧ୍ୟରେ ଅଭିଷେକ ବଚ୍ଚନ ସାହିର ଭୂମିକା ଲାଗି ପ୍ରସ୍ତୁତି ଆରମ୍ଭ କରିସାରିଲେଣି ।

ସମ୍ବନ୍ଧିତ ଖବର