ଭାରତରେ ଦଳିତଙ୍କ ସ୍ଥିତି ଆମ ସମାଜର ସବୁଠାରୁ ଅମାନବୀୟ ଚରିତ୍ର ଭିତରୁ ଗୋଟିଏ। ଏହି କଥାଟିର ସଦ୍ୟ ପ୍ରମାଣ ହେଲା ଉତ୍ତରପ୍ରଦେଶର ଫାରୁକାବାଦରେ ଦୁଇଜଣ ଦଳିତ ଝିଅଙ୍କ ମୃତଦେହ ଏକ ଆମ୍ବଗଛରେ ଝୁଲନ୍ତା ଅବସ୍ଥାରେ ମିଳିବା। ୨୦୧୪ର ଏକ ଅନୁରୂପ ଘଟଣାକୁ ନେଇ ଅନୁଭବ ସିହ୍ନା ‘ଆର୍ଟିକଲ୍ ୧୫’ ନିର୍ମାଣ କରିଥିଲେ। ସେହିଭଳି ଏକ ସତ କାହାଣୀ ଭିତ୍ତିରେ ଜାତିବାଦର ସବୁଠାରୁ କ୍ରୂର ତାଡ଼ନା ସହୁଥିବା ଜଣେ ଦଳିତ ଛାତ୍ରୀଙ୍କ କାହାଣୀକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିବାକୁ ଉଦ୍ୟମ କରିଛନ୍ତି ନିର୍ଦେଶକ ନିଖିଲ ଆଡ଼ଭାନୀ। ସେ ପ୍ରେମକାହାଣୀରୁ ନିର୍ଦେଶନା କ୍ୟାରିଅର୍ ଅାରମ୍ଭ କରି କ୍ରମେ ହାସ୍ୟରସ, ଆକ୍ସନ୍ ଓ ଦେଶଭକ୍ତି ଭଳି ପ୍ରସଙ୍ଗକୁ ନେଇ ସିନେମା ନିର୍ମାଣ କରିଆସିଥିବା ବେଳେ ପ୍ରଥମ ଥର ପାଇଁ ଦଳିତ ଉତ୍ପୀଡ଼ନ ଭଳି ଗୁରୁଗମ୍ଭୀର ପ୍ରସଙ୍ଗରେ ମନୋନିବେଶ କରିଛନ୍ତି।
‘ବେଦା’ର ପ୍ରଥମାର୍ଦ୍ଧ ଉତ୍କୃଷ୍ଟ ଚଳଚ୍ଚିତ୍ରର ନାନା ଗୁଣ ବହନ କରିଥାଏ। ଏହି କାହାଣୀଟି ରାଜସ୍ଥାନର ଜାତିଭେଦ ବ୍ୟବସ୍ଥା ଉପରେ ପର୍ଯ୍ୟବସିତ। ଏକ ପ୍ରାରମ୍ଭିକ ଦୃଶ୍ୟରେ ସିନେମାର ମୁଖ୍ୟ ଚରିତ୍ର ବେଦା ବେରଵା (ଶରବରୀ) କଲେଜ ପରିସରରେ ଥିବା ମାଠିଆରୁ ପାଣି ପିଇବାକୁ ଯାଉଛି, କିନ୍ତୁ ସେଥିରେ ପାଣି ନାହିଁ। ଏହା ପରେ ଦେଖିବାକୁ ମିଳୁଛି ଆଉ କିଛି ପିଲା ନିକଟରେ ଥିବା ଏକ ଫିଲ୍ଟର୍ରୁ ପାଣି ନେଉଛନ୍ତି। ବେଦା ସେମାନଙ୍କ ଠାରୁ ଦୂରେଇ ଛିଡ଼ା ହୋଇଥିବା ବେଳେ ଜଣେ ପରିଚିତ ଝିଅକୁ ଦେଖିବାରୁ ବେଦା ତାକୁ ଅନୁରୋଧ କରୁଛି ତା’ ବୋତଲରେ ପାଣି ଭରିଦେବା ପାଇଁ। ଚିତ୍ରନାଟ୍ୟ ରଚନା ନେଇ ରହିଥିବା ଏକ ଗୁରୁତ୍ବପୂର୍ଣ୍ଣ ପ୍ରବାଦ ‘ସୋ, ଡୋନ୍ଟ ଟେଲ୍’ (ଦେଖାଅ, କୁହ ନାହିଁ)ର ଏହା ଏକ ଉତ୍କୃଷ୍ଟ ଉଦାହରଣ। ଏହି ଦୃଶ୍ୟ ଦେଖିବା ବେଳେ ଶିଶୁ ବି. ଆର୍. ଆମ୍ବେଦକର ସ୍କୁଲ୍ରେ ଦଳିତଙ୍କ ପାଇଁ ଉଦ୍ଦିଷ୍ଟ ମାଠିଆରୁ ପାଣି ପିଉଥିବା କଥା ଆପେ ଆପେ ମନେ ପଡ଼ିଯାଏ।
ସିନେମା ପ୍ରଥମାର୍ଦ୍ଧରେ ମୁଖ୍ୟ ଚରିତ୍ର ବେଦାର ପାରିବାରିକ ସ୍ଥିତି ଓ ମୁଷ୍ଟିଯୋଦ୍ଧା ହେବାର ସଂଘର୍ଷ, ଖଳନାୟକ ଜିତେନ୍ଦ୍ର ପ୍ରତାପ ସିଂହ (ଅଭିଷେକ ବାନାର୍ଜୀ) ଚରିତ୍ରର ପରିସ୍ଫୁଟନ ଓ ମେଜର ଅଭିମନ୍ୟୁ କନଵର (ଜନ୍ ଆବ୍ରାହମ) ସେନାରୁ ‘କୋର୍ଟ ମାର୍ସାଲ୍’ ହେବାର ଅତୀତ ଦେଖିବାକୁ ମିିଳେ।
ତେବେ ଦ୍ବିତୀୟାର୍ଦ୍ଧର ମାତ୍ରାତିରିକ୍ତ ଆକ୍ସନ୍ ଓ ଧିମା ଚିତ୍ରନାଟ୍ୟ ପ୍ରଥମାର୍ଦ୍ଧର ଉତ୍କଣ୍ଠା, ରୋମାଞ୍ଚ ଓ ଉଦ୍ବେଗକୁ ବଢ଼ାଇବା ବଦଳରେ ଚଳଚ୍ଚିତ୍ରଟିକୁ ଅଢ଼େଇଘଣ୍ଟା ଯାଏ ଲମ୍ବେଇବା ବ୍ୟତୀତ ବିଶେଷ ଭୂମିକା ନିର୍ବାହ କରିନାହିଁ। ବିଭିନ୍ନ ନିର୍ଣ୍ଣାୟକ କ୍ଷଣରେ ଜନ୍ ଅଭିନୀତ ଅଭିମନ୍ୟୁ ଚରିତ୍ର କାହାଣୀର କେନ୍ଦ୍ରରେ ରହିବା ଯୋଗୁଁ ଦଳିତଙ୍କ ସଂଘର୍ଷଠାରୁ ଧ୍ୟାନ ହଟିଯାଉଥିବା ଭଳି ମନେ ହୁଏ। ଅଭିନୟ ଦୃଷ୍ଟିରୁ ଜନ୍ଙ୍କ ଅପେକ୍ଷା ଶରବରୀଙ୍କ ପ୍ରଦର୍ଶନ ଅଧିକ ବିଶ୍ବସନୀୟ। ତେବେ ଅଭିଷେକ ବାନାର୍ଜୀଙ୍କ ଅଭିନୟ ସବୁଠାରୁ ପ୍ରଭାବଶାଳୀ ଲାଗିଲା, ଯିଏ ଜନ୍ଙ୍କ ପରି ବପୁବନ୍ତ ନାୟକଙ୍କ ସମ୍ମୁଖରେ ସୁଦ୍ଧା ଅଧିକ ଭୟଙ୍କର ଓ ଦୁର୍ଦ୍ଧର୍ଷ ଦିଶିଥାନ୍ତି। ଅଧିକାଂଶ ସଂଳାପ ରାଜସ୍ଥାନୀ ଭାଷାର ହୋଇଥିବାରୁ ସ୍ଥଳବିଶେଷରେ ଅଭିନେତାମାନଙ୍କ ଉଚ୍ଚାରଣ ଅପ୍ରାକୃତିକ ଲାଗିଥାଏ। ସେହିପରି ଏହାର ଗୀତଗୁଡ଼ିକ ମନରେ ଛାପ ସୃଷ୍ଟି କରିବାରେ ବିଫଳ ହୋଇଛି।
‘ବେଦା’ର ଶେଷଭାଗଟି ଚମତ୍କାର ଢଙ୍ଗରେ ଆମ ନ୍ୟାୟ ବ୍ୟବସ୍ଥାକୁ ପ୍ରଶ୍ନ କରିଛି। ଯେତେବେଳେ ନ୍ୟାୟ ମାଗିବା ପାଇଁ ‘ବେଦା’ ଶେଷରେ କୋର୍ଟ ପହଞ୍ଚୁଛି, ଗୁଣ୍ଡାମାନେ କୋର୍ଟ ପରିସରକୁ ଏକ ଯୁଦ୍ଧକ୍ଷେତ୍ରରେ ରୂପାନ୍ତରିତ କରିଦେଉଛନ୍ତି ଏବଂ ବିଚାରପତିମାନେ ଜୀବନ ବିକଳରେ ଗୋଟିଏ କୋଠରିରେ ଲୁଚିଛନ୍ତି। ଶେଷକୁ ଜଣେ ବିଚାରପତି ଅବଶ୍ୟ ‘ବେଦା’ଙ୍କ ଅଭିଯୋଗର ଶୁଣାଣି କରିବାକୁ ରାଜି ହେଉଛନ୍ତି।