ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଚ୍ଚନ ପରିବାର। କୌଣସି ଫିଲ୍ମ ବା ବଡ଼ କାର୍ଯ୍ୟକ୍ରମ ପାଇଁ ନୁହେଁ, ବଲିଉଡ୍ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି। କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏମଧ୍ୟରେ ଅଭିଷେକ ବଚ୍ଚନଙ୍କ ନାମ ଅଭିନେତ୍ରୀ ନିମ୍ରତ କୌରଙ୍କ ସହ ଯୋଡାଯାଉଛି। ତେବେ ଏତେ ସବୁ ଚର୍ଚ୍ଚାକୁ ନେଇ ବଚ୍ଚନ ପରିବାର ମୁହଁ ଖୋଲିନଥିବା ବେଳେ ଐଶ୍ବର୍ଯ୍ୟା-ଅଭିଷେକ ସାଥୀରେ ଫିଲ୍ମ କରିବେ ବୋଲି ଜଣାପଡ଼ିଛି।
କୁହାଯାଉଛି ଯେ, ଦୁହେଁ ମଣି ରତ୍ନମଙ୍କ ଫିଲ୍ମରେ ଅଭିନୟ କରିବେ। ଏହା ପୂର୍ବରୁ ୨୦୦୭ରେ ମଣି ରତ୍ନମଙ୍କ ଫିଲ୍ମ 'ଗୁରୁ'ରେ ଦୁହେଁ ସାଥୀରେ କାମ କରିଥିଲେ। ୨୨କୋଟିରେ ନିର୍ମିତ ଏହି ଫିଲ୍ମରେ ଦୁହେଁ ଧମାଲ କରିଥିଲେ। ଏହା ପରେ ଦୁହେଁ ଫିଲ୍ମ ରାବଣରେ କାମ କରିଥିବା ବେଳେ ଏବେ ମଣି ରତ୍ନମ ଦୁହିଁଙ୍କୁ ନେଇ ତୃତୀୟ ଫିଲ୍ମ କରିବେ ବୋଲି ଜଣାଯାଇଛି। ଏଥିପାଇଁ ନିର୍ଦ୍ଦେଶକ ମଣି ରତ୍ନମଙ୍କୁ କାହାଣୀ ମିଳିସାରିଥିବା କୁହାଯାଉଛି। ତେବେ ଏହି ଖବର ନିଶ୍ଚିତ ହେଲେ ଛାଡ଼ପତ୍ରକୁ ନେଇ ହେଉଥିବା ଚର୍ଚ୍ଚାରେ ବ୍ରେକ୍ ଲାଗିବ।
୧୪.୩ ମିଲିୟନ ଫଲୋୟର୍ସ ଥିବା ଐଶ୍ୱର୍ଯ୍ୟା ରାୟ ଇନଷ୍ଟାଗ୍ରାମରେ କେବଳ ସ୍ବାମୀ ଅଭିଷେକ ବଚ୍ଚନଙ୍କୁ ଫଲୋ କରନ୍ତି। ଛାଡପତ୍ର ଖବର ସତ୍ତ୍ବେ ସେ ତାଙ୍କୁ ଫଲୋ କରୁଥିବା ଦେଖାଯାଇଛି। ଏହା ଦେଖି ଦୁହିଁଙ୍କ ମଧ୍ୟରେ ସବୁ କିଛି ଠିକ୍ ଅଛି ବୋଲି ଲୋକେ ବିଶ୍ବାସ କରିବା ଆରମ୍ଭ କରିଛନ୍ତି।