ମୁମ୍ବାଇ: ଏବେ ଚର୍ଚ୍ଚାରେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ। ସେ ନିଜ ଫିଲ୍ମ ଆଇ 'ୱାଣ୍ଟ ଟୁ ଟକ'କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମରେ ଥିବା ତାଙ୍କ ଚରିତ୍ର ଏବେ ଦର୍ଶକଙ୍କୁ ପସନ୍ଦ ଆସୁଛି। ଅନେକ ଦିନ ପରେ ଏକ ନିଆରା କାହାଣୀକୁ ନେଇ ଆସିଥିବା ଅଭିଷେକ ଏବେ ନିଜ ପତ୍ନୀ ତଥା ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ପ୍ରଶଂସା କରିଛନ୍ତି। ଫିଲ୍ମର ପ୍ରଚାର କରିବା ସମୟରେ ସେ ପତ୍ନୀଙ୍କ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ କିଛି ମାସ ହେବ ଦୁହିଁଙ୍କ ଛାଡ଼ପତ୍ର ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଅଭିଷେକଙ୍କ ଏଭଳି ବୟାନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ମାତାପିତା ନିଜ ପିଲାମାନଙ୍କ ପାଇଁ କରୁଥିବା ତ୍ୟାଗ ବିଷୟରେ କହିବାକୁ ଯାଇ ଅଭିଷେକ କହିଥିଲେ, “ମୋ ଘରେ, ମୁଁ ସୌଭାଗ୍ୟବାନ୍ ଯେ, ମୋତେ ଐଶ୍ବର୍ଯ୍ୟାଙ୍କ ଭଳି ପତ୍ନୀ ମିଳିଛନ୍ତି। ମୁଁ ଅଚିନ୍ତାରେ ବାହାରକୁ ଯାଇ ଚଳଚ୍ଚିତ୍ରରେ କରେ। କାରଣ ମୁଁ ଜାଣିଥାଏ ଯେ, ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କ ସହ ଘରେ ଅଛନ୍ତି। ଏଥିପାଇଁ ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ଦେଉଛି। " ତାଙ୍କର ଏହି ବୟାନ ଏବେ ଚର୍ଚ୍ଚାରେ ରହିଛି।
ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଦୁହେଁ ଅନେକ ଦିନ ହେଲାଣି ସାଥିରେ ନଜର ଆସୁନଥିବା ବେଳେ ଐଶ୍ବର୍ଯ୍ୟା ଏକାକୀ ଝିଅର ଜନ୍ମଦିନ ପାଳନ କରୁଛନ୍ତି। ଏସବୁ ଦେଖି ମତଭେଦ ହୋଇଥିବା ଏକପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ଏବେ ଅଭିଷେକଙ୍କ ବୟାନ ପୁଣି ଥରେ ଲୋକଙ୍କୁ ଭାବିବାକୁ ବାଧ୍ୟ କରିଛି।