ଜାତୀୟ ପୁରସ୍କାରପ୍ରାପ୍ତ ସିନେମା ‘ଅ ଆକାରେ ଆ’ର ନିର୍ଦ୍ଦେଶକ ସୁବାସ ଦାସ ଏବେ ପୁଣି ଏକ ଓଡ଼ିଆ ଛବି ନିର୍ମାଣ କରୁଛନ୍ତି। ଏଥିରେ ନାୟକ ଭୂମିକାରେ ଏବେକାର ଚର୍ଚ୍ଚିତ ଯୁବକଳାକାର ଅଭିଷେକ ଗିରି ଥିବା ବେଳେ ନାୟିକା ଭାବେ ନଜର ଆସିବେ ଉପାସନା ମହାନ୍ତି। ଏ ପର୍ଯ୍ୟନ୍ତ ଶୀର୍ଷକ ଘୋଷଣା ହୋଇ ନଥିବା ଏହି ଛବିରେ ଅଭିଷେକ-ଉପାସନା ଯୋଡ଼ିକୁ ପ୍ରଥମଥର ଲାଗି ଦେଖିବାକୁ ମିଳିବ। 

Advertisment

‘ଦେବୀ’ ଏବଂ ‘ଚାନ୍ଦ ନା ତମେ ତାରା’ ଓ ‘ମାନିନୀ’ ଆଦି ଓଡ଼ିଆ ଟେଲି ଧାରାବାହିକର ନାୟିକା ଉପାସନାଙ୍କୁ ସିନେପ୍ରେମୀ ଓଡ଼ିଆ ଛବି ‘ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି’, ‘ପ୍ରେମ ମ୍ୟୁଜିଅମ୍’ ଓ ‘ଖୋକା ଭାଇ ତମପାଇଁ’ରେ ଦେଖିସାରିଛନ୍ତି। ପ୍ରଥମଟିରେ ଶ୍ରେୟାନ୍ ତାଙ୍କର ନାୟକ ଥିବା ବେଳେ ଦ୍ବିତୀୟଟିରେ ନିହାର ଓ ତୃତୀୟଟିରେ ସରୋଜ ପରିଡ଼ାଙ୍କ ବିପକ୍ଷରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏବେ ଚତୁର୍ଥ ଛବିରେ ସେ ଅଭିଷେକଙ୍କ ନାୟିକା ସାଜିଛନ୍ତି। 

ଅନ୍ୟପକ୍ଷରେ ‘ଆଡେଡ୍ୟୁ ଗୋଦ୍ଦାର’ ଜରିଆରେ ବଡ଼ ପରଦାରେ ପଦାର୍ପଣ କରିଥିଲେ ଅଭିଷେକ। ଏଥିରେ ପ୍ରଭାବଶାଳୀ ଅଭିନୟ କରିବା ପରେ ଅଭିଷେକଙ୍କୁ ଦର୍ଶକ ‘ବିଦ୍ୟାରାଣ’, ‘ସିନ୍ଦୂରା’, ‘ନିର୍ଣ୍ଣୟ’, ‘ଅତିଥି’ ଓ ‘ଆଶ୍ରମ’ ଭଳି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି। ପ୍ରତି ସିନେମାରେ ନୂଆ ନୂଆ ଚରିତ୍ରରେ ଆସୁଥିବା ଅଭିଷେକ ଏହି ସିନେମାରେ ବି ଏକ ଭିନ୍ନ ସ୍ବାଦର ଭୂମିକାରେ ଆସୁଛନ୍ତି।