ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ରୋଗୀ ଆଉ କେତେଦିନ ବଞ୍ଚିବେ, ଡାକ୍ତରମାନେ ସେ ନେଇ ଏକ ଆନୁମାନିକ ସମୟ ଦେଇଥାନ୍ତି। ସେହି ହାରାହାରି ସମୟକୁ ଅତିକ୍ରମ କରି ବହୁ ବର୍ଷ ବଞ୍ଚିଥିବା ଜଣେ ବିଶ୍ବପ୍ରସିଦ୍ଧ ବୈଜ୍ଞାନିକ ଥିଲେ ଷ୍ଟିଫେନ୍‌ ହକିଂ। ଷ୍ଟିଫେନ୍‌ ନିଜ ଜୀବନକାଳକୁ ବିଜ୍ଞାନ ଗବେଷଣାରେ ନିୟୋଜିତ କରିଥିବା ବେଳେ, ‘ଆଇ ଵାଣ୍ଟ ଟୁ ଟକ୍‌’ ସିନେମାର ମୁଖ୍ୟ ଚରିତ୍ର ଗଳା କର୍କଟରେ ପୀଡ଼ିତ ହୋଇ ୧୦୦ ଦିନ ଆୟୁଷର ପୂର୍ବାନୁମାନକୁ ଅତିକ୍ରମ କରୁଛନ୍ତି, କିନ୍ତୁ ତାଙ୍କର କୌଣସି ମହତ୍‌ ଲକ୍ଷ୍ୟ ହାସଲ କରିବାର ନାହିଁ। ସେ କେବଳ ବଞ୍ଚି ରହିବାର ଜିଦ୍‌ ପାଇଁ ମରଣକୁ ବାରମ୍ବାର ଏଡ଼ାଇବାରେ ସଫଳ ହେଉଛନ୍ତି। ୧୦୦ ଦିନର ପ୍ରତ୍ୟାଶିତ ଜୀବନକୁ ୧୦,୦୦୦ରୁ ଅଧିକ ଦିନକୁ ବଢ଼ାଇ ଏ ପର୍ଯ୍ୟନ୍ତ ଜୀବିତ ଥିବା ଅର୍ଜୁନ ସେନଙ୍କ ବାସ୍ତବ ଜୀବନ ଉପରେ ଆଧାରିତ ଏହି କାହାଣୀକୁ ନିର୍ଦ୍ଦେଶକ ସୁଜିତ ସରକାର ଅପ୍ରତ୍ୟାଶିତ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ୨୧ଟି ଅସ୍ତ୍ରୋପଚାର ପରେ ସାଧାରଣ ଜୀବନ ଜିଉଥିବା ଜଣେ ବ୍ୟକ୍ତିଙ୍କୁ ପ୍ରେରଣାର ଅଫୁରନ୍ତ ଉତ୍ସ ରୂପେ ପ୍ରଦର୍ଶନ କରିବାର ଦୁର୍ବାର ଆକର୍ଷଣକୁ ତ୍ୟାଗ କରି ସୁଜିତ ତାଙ୍କର କାହାଣୀକୁ ଜୀବନ-ମୃତ୍ୟୁ ମଧ୍ୟରେ ଦୋଳାୟମାନ ଜୀବନର ଜଟିଳତାକୁ ସର୍ବନିମ୍ନ ଭାବପ୍ରବଣତା ସହ ଦେଖାଇଛନ୍ତି। ଏହା ଏକ ବିଡ଼ମ୍ବନା ଯେ ଏହି ସିେନମାକୁ ବୁଝିବା ଓ ଉପଭୋଗ କରିବା ସେଇମାନଙ୍କ ପାଇଁ ସହଜ ଯେଉଁମାନେ ଜୀବନର ଦାରୁଣତମ ଯନ୍ତ୍ରଣା ଭୋଗ କରିଛନ୍ତି ଅଥବା ଯାହାଙ୍କର ଭଗ୍ନ ପରିବାରରେ ଜିଇବାର ଅଭିଜ୍ଞତା ଅଛି। 

Advertisment

‘ଆଇ ଵାଣ୍ଟ ଟୁ ଟକ୍‌’ର ସବୁଠାରୁ ବଡ଼ ଦୁର୍ବଳତା ହେଲା ଏହା ଦର୍ଶକଙ୍କ ମନରେ ବିଶେଷ କମ୍ପନ ସୃଷ୍ଟି କରିବାକୁ ଅକ୍ଷମ। ହେଲେ ଅର୍ଜୁନ ଭୂମିକାରେ ଅଭିଷେକଙ୍କ ଅଭିନୟ ତାଙ୍କ କ୍ୟାରିଅର୍‌ର ତଥା ଏହି ଚଳଚ୍ଚିତ୍ର ସବୁଠାରୁ ପ୍ରଭାବଶାଳୀ ଦିଗ ବୋଲି କହିହେବ। ଥନ୍ତଲା ପେଟ, ଅସ୍ତ୍ରୋପଚାର ଚିହ୍ନ ଆଦିକୁ ଅଭିଷେକ କୌଣସି ସଂକୋଚ ବା କୃତ୍ରିମତା ବିନା ଆତ୍ମସ୍ଥ କରିଛନ୍ତି। ଫଳସ୍ବରୂପ ପିତା ଅମିତାଭଙ୍କ ଆଭା ସମ୍ମୁଖରେ ଫିକା ଦିଶୁଥିବା ଅଭିଷେକଙ୍କ ପ୍ରତିଭା ନିଜର ଔଜ୍ଜ୍ବଲ୍ୟ ବୃଦ୍ଧି କରିପାରିଛି। ଉଭୟ ଶାରୀରିକ ଓ ମାନସିକ ପୀଡ଼ାରେ ପରିପୂର୍ଣ୍ଣ ଏହି କାହାଣୀରେ କେତେକ ମଜାଳିଆ ଦୃଶ୍ୟ ଓ ସଂଳାପ ମଧ୍ୟ ଅଛି।   ଅସୁସ୍ଥତା ଓ ବିବାହ ବିଚ୍ଛେଦ ଭିତରେ ଜଣେ ଦାୟିତ୍ବବାନ୍‌ ପିତା ହେବାର ପାରୁପର୍ଯ୍ୟନ୍ତ ଉଦ୍ୟମ କରିବା ସତ୍ତ୍ବେ କୁନି ଝିଅ ରେୟା କିପରି ଅର୍ଜୁନଙ୍କ ଅସୁସ୍ଥତା ଓ ଘନିଷ୍ଠତାର ବାସ୍ତବତାକୁ ସନ୍ଦେହ କରୁଛି ତାହା ହୃଦୟବିଦାରକ। ତେବେ ସମୟକ୍ରମେ ବାପା-ଝିଅଙ୍କ ବୁଝାମଣାରେ ଉନ୍ନତିର ଯାତ୍ରା ଦର୍ଶକ ମୁହଁରେ ସନ୍ତୋଷର ହସ ଫୁଟାଇଥାଏ। ଏହି ସିନେମାର ସବୁଠାରୁ ସୁଖଦ କିନ୍ତୁ ଭାବପ୍ରବଣ ଦୃଶ୍ୟଟି ଏହିପରି- ଅର୍ଜୁନଙ୍କ ମୁହଁରେ ‘ବାଇ-ମାକ୍‌ସ’ ଅସ୍ତ୍ରୋପଚାର ପରେ ଝିଅ ରେୟା ତାଙ୍କୁ ଇଂରେଜୀ ଅକ୍ଷର ଓ ଶବ୍ଦ ଉଚ୍ଚାରଣ ଅଭ୍ୟାସ କରାଉଛି। 

ଏ ସିନେମାର ଆଉ ଏକ ବିଡ଼ମ୍ବନା ନିହିତ ରହିଛି ଏହାର ଶୀର୍ଷକ ଓ ଚରିତ୍ର ମଧ୍ୟରେ ଥିବା ତାରତମ୍ୟରେ। ସିନେମାଟିର ନାମର ଅର୍ଥ ‘ମୁଁ କଥା ହେବାକୁ ଚାହେଁ’ ହୋଇଥିବା ବେଳେ ସିନେମାର ଅଧିକାଂଶ ଭାଗ ନିରବତାରେ ପରିପୂର୍ଣ୍ଣ। ନିରବତା ଜରିଆରେ ଅଭିନୟର ସାର୍ଥକତା ସବୁଠାରୁ ପ୍ରାଞ୍ଜଳ ହୋଇପାରିଛି। ଶିଶୁ କଳାକାରଙ୍କ ସହିତ ଅନ୍ୟାନ୍ୟ ଅଭିନେତାମାନେ ବେଶ୍‌ ପ୍ରଭାବଶାଳୀ ଅଭିନୟ କରିଛନ୍ତି। ଆଜିକାଲି ଅଧିକାଂଶ ସିନେମା ଅନାବଶ୍ୟକ ଭାବେ ଦୀର୍ଘ ହେଉଥିବାବେଳେ ଏହି ସିେନମାଟି ଦୁଇଘଣ୍ଟାର ନ ହୋଇ ଅଢ଼େଇଘଣ୍ଟାର ହୋଇଥିଲେ ଭଲ ହୁଅନ୍ତା ବୋଲି ମନେ ହେଲା!