କଟକ ରେଡିଓ ଷ୍ଟେସନ୍‌ର ପୂର୍ବତନ ନିର୍ଦ୍ଦେଶକ ପି.ଭି. କୃଷ୍ଣମୂର୍ତ୍ତି ସେତେବେଳେ କୋଲ୍‌କାତା ଆକାଶବାଣୀର ମୁଖ୍ୟ ଥାଆନ୍ତି। ତାଙ୍କର ସୁମଧୁର କଣ୍ଠସ୍ୱର ପାଇଁ ସେ ଅକ୍ଷୟ ମହାନ୍ତିଙ୍କୁ ଖୁବ୍‌ ଭଲ ପାଉଥିଲେ। କୃଷ୍ଣମୂର୍ତ୍ତିଙ୍କ ଅନୁରୋଧକ୍ରମେ ହିଜ୍ ମାଷ୍ଟର୍ସ ଭଏସ୍ (ଏଚ୍‌ଏମ୍‌ଭି) ପକ୍ଷରୁ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ବଙ୍ଗଳା ଗୀତର ରେକର୍ଡ ଏହି ଷ୍ଟୁଡିଓରେ ହୋଇଥିଲା। ଏହି ଗୀତ ‌କୋଲ୍‌କାତା ତଥା ସମଗ୍ର ଭାରତର ବଙ୍ଗଳା ପ୍ରାଧାନ୍ୟ ଅଞ୍ଚଳରେ ଚହଳ ସୃଷ୍ଟି କରିଥିଲା।

Advertisment

ପାଞ୍ଚଶହ ରେକର୍ଡ ପ୍ରସ୍ତୁତ ‌ହୋଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲା। ମାତ୍ର, ଚୋରାଣିଆ ଭାବେ ହଜାର ହଜାର ସଂଖ୍ୟାରେ ରେକର୍ଡ ବିକ୍ରି ହୋଇଥିବା ଜଣାପଡ଼ିଥିଲା। ସୁଦୂର ଇମ୍ଫାଲ୍ ଓ ଗୌହାଟୀରେ ମୁଁ ସେ ରେକର୍ଡ ବାଜିବା ଶୁଣିଛି। ଏହି ଗୀତରେ ଥିଲା ନୂଆ ମାଦକତା ଓ ମଧୁର ସ୍ବର। ଏହି ଗୀତର ଲୋକପ୍ରିୟତା ଶିଖର ଛୁଇଁବା ପରେ ସେଠାକାର ସଙ୍ଗୀତକାରଙ୍କ ଚାପରେ ଅକ୍ଷୟ ମହାନ୍ତିଙ୍କର ବଙ୍ଗଳା ଗୀତ ଆଉ ରେକର୍ଡ କରାଯିବ ନାହିଁ ବୋଲି ସ୍ଥିର ହୋଇଥିଲା। ଏହା ହିଁ ହେଉଛି ଅକ୍ଷୟ ମହାନ୍ତି ଓ ବଙ୍ଗଳା ଗୀତ ମଧ୍ୟରେ ସମ୍ବନ୍ଧ।

ଅକ୍ଷୟ ମହାନ୍ତିଙ୍କ ବଙ୍ଗଳା ଗୀତ ସମ୍ବନ୍ଧରେ ଏହା ହିଁ ଏକମାତ୍ର ଉତ୍ସ ଥିଲା। ତେବେ ଏହି ଲେଖାରେ ନା ଗୀତିକାରଙ୍କ ନାମ କିମ୍ବା ଗ୍ରାମୋଫୋନ୍ ରେକର୍ଡ ପ୍ରସ୍ତୁତ ହେବାର ମସିହା ଉଲ୍ଲେଖ ଥିଲା! କେବଳ ଅନୁମାନ କରିହେଉଥିଲା ଯେ ପ୍ରଥମ ଓଡ଼ିଆ ଲଙ୍ଗ୍‌ ପ୍ଲେ ରେକର୍ଡ ‘ଜଗନ୍ନାଥ ଦେଶର ଗୀତ’ ପୂର୍ବରୁ ଅକ୍ଷୟ ମହାନ୍ତିଙ୍କ ବଙ୍ଗଳା ଗୀତ ରେକର୍ଡରେ ପ୍ରସାରିତ ହୋଇଛି।

publive-image

ନିକଟରେ ମୋର ଜଣେ ବନ୍ଧୁ ଅକ୍ଷୟ ମହାନ୍ତିଙ୍କ ବଙ୍ଗଳା ଗୀତର ଇପି ରେକର୍ଡର ଛବି ମୋତେ ପଠାଇଲେ। ଏହି ଅନ୍ତରଙ୍ଗ ବନ୍ଧୁ ଜଣକ ବି ଅଦ୍ଭୁତ ଲୋକ! ଗ୍ରାମୋଫୋନ୍ ରେକର୍ଡ ଓ ବହି ତାଙ୍କର ଜୀବନ। ସେ ଚାହାନ୍ତି ନାହିଁ ଯେ ସେତକ ତାଙ୍କ ଜୀବନ ସହ ଯୋଡ଼ି ହୋଇଛି ବୋଲି କିଏ ଜାଣନ୍ତୁ। ତାଙ୍କ ପାଖରେ ପ୍ରାୟ ସବୁତକ ଓଡ଼ିଆ ଗ୍ରାମୋଫୋନ୍ ରେକର୍ଡ ସାଇତା ହୋଇ ରହିଛି। କିନ୍ତୁ ସେ ପ୍ରଚାର ବିମୁଖ! ଆପଣ ଆଶ୍ଚର୍ଯ୍ୟ ହେବେ ଅକ୍ଷୟ ମହାନ୍ତିଙ୍କ ବଙ୍ଗଳା ଗୀତର ଗୋଟିଏ ଇପି ରେକର୍ଡକୁ ସେ କିଣିଛନ୍ତି ପନ୍ଦର ହଜାର ଟଙ୍କାରେ।

ତାଙ୍କଠାରୁ ଅକ୍ଷୟ ମହାନ୍ତିଙ୍କ ବଙ୍ଗଳା ଗୀତର ଇପି ରେକର୍ଡର ଛବି ପାଇଲା ପରେ ମୋର କେତେକ ଭ୍ରାନ୍ତି ତୁଟିଗଲା। ପ୍ରଥମତଃ ଅକ୍ଷୟ ମହାନ୍ତିଙ୍କ ବଙ୍ଗଳା ଗୀତର ଗୀତିକାର ଗୌରୀ ପ୍ରସନ୍ନ ମଜୁମ୍‌ଦାର ବୋଲି ଯାହା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି, ତାହା ଭୁଲ୍। ପ୍ରକୃତରେ ଭାସ୍କର ବସୁ ଉଭୟ ଗୀତର ଗୀତିକାର ବୋଲି ରେକର୍ଡରୁ ଜାଣିହେଲା। ଦ୍ୱିତୀୟରେ ଜାଣିହେଲା ଯେ ଅକ୍ଷୟ ମହାନ୍ତିଙ୍କ ବଙ୍ଗଳା ଗୀତ ରେକର୍ଡର ପ୍ରକାଶକାଳ ୧୯୭୦ ମସିହାରେ।
ଅକ୍ଷୟ ମହାନ୍ତିଙ୍କ ବଙ୍ଗଳା ଗୀତର ଇପି ରେକର୍ଡର ଛବି ପାଇଲା ପରେ ମୁଁ ଗୀତିକାର ଭାସ୍କର ବସୁଙ୍କ ସଂପର୍କରେ ଜାଣିବା ପାଇଁ ଇଣ୍ଟରନେଟ୍ ସର୍ଚ୍ଚ କଲି। ତାଙ୍କର ଛବିଟିଏ ପାଇଲି ନାହିଁ। କିନ୍ତୁ ଏତକ ଜାଣିଲି ଯେ ଷାଠିଏ ସତୁରି ଦଶକରେ ତାଙ୍କ ରଚିତ ଅନେକ ଗୀତ ବଙ୍ଗଳାର ପ୍ରତିଷ୍ଠିତ ଗାୟକ-ଗାୟିକା ଗାଇଛନ୍ତି। ଯେମିତିକି ମୃଣାଳ ଚକ୍ରବର୍ତ୍ତୀଙ୍କ କଣ୍ଠ ଓ ସଙ୍ଗୀତରେ ‘ଖୋଲା ଜାଲ୍‌ନାର ଧାରେ’, ଦ୍ୱିଜନ୍ ମୁଖାର୍ଜୀଙ୍କ ‘ଭାଙ୍ଗା ତରୀର ସୁଦୁ ଏଇ ଗାନ୍‌’, ମୃଣାଳ ଚକ୍ରବର୍ତ୍ତୀଙ୍କ ସଙ୍ଗୀତ ଓ ସନତ ସିଂହଙ୍କ କଣ୍ଠଦାନରେ ‘ଅହଲ୍ୟା କନ୍ୟା’, ନଚିକେତା ଘୋଷଙ୍କ ସଙ୍ଗୀତ ଓ ଅଳ୍ପନା ବାନାର୍ଜୀଙ୍କ କଣ୍ଠଦାନରେ ‘ଯମୁନାବତୀ ସରସ୍ୱତୀ’, ଅଭିଜିତ ବାନାର୍ଜୀଙ୍କ ସଙ୍ଗୀତ ଓ ନିର୍ମଳା ମିଶ୍ରଙ୍କ କଣ୍ଠଦାନରେ ‘ବୋଲୋ ତୋ ଆର୍ଶି’।

ଅକ୍ଷୟ ମହାନ୍ତିଙ୍କ ବଙ୍ଗଳା ଗୀତକୁ ନେଇ ମୋ ବୁଝିବାରେ ଶେଷକଥା ଏତକ ଯେ ସତ୍ୟ ମହାପାତ୍ରଙ୍କ ଆତ୍ମଜୀବନୀ ଅନୁସାରେ ଓଡ଼ିଆ ଲଙ୍ଗ୍ ପ୍ଲେୟିଂ ରେକର୍ଡ ଅକ୍ଷୟ ମହାନ୍ତି କରିପାରିବେ ବୋଲି ଏଚ୍ଏମ୍‌ଭି ସ୍ଥିର କରିଥିଲା।

-ସୂର୍ଯ୍ୟ ଦେଓ