ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଏଣିକି ସବୁ ବୟସର ମହିଳା ଭାଗ ନେଇପାରିବେ ବୋଲି ଏହାର ପରିଚାଳନା ସଂସ୍ଥା ଘୋଷଣା କରିଛି। ଆନୁଷ୍ଠାନିକ ଭାବେ ଆସନ୍ତା ବର୍ଷରୁ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି। ସୁତରାଂ ଏହି ଈପ୍ସିତ ସୁନ୍ଦରୀ ପ୍ରତିଯୋଗିତାରେ ବୟସ୍କାମାନେ ସାମିଲ ହେବାର ପଥ ପରିଷ୍କାର ହୋଇଯାଇଛି। ଏ ଯାଏଁ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାର ବୟସ ୧୮ରୁ ୨୮ ବର୍ଷ ମଧ୍ୟରେ ସୀମିତ ଥିଲା। ଆମେରିକାର ୨୮ ବର୍ଷୀୟା ଆର୍’ବୋନି ଗାବ୍ରିଏଲ୍ ସବୁଠୁ ବୟସ୍କ ଯୁବତୀ ଭାବରେ ୨୦୨୨ ମସିହାର ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ଧାରଣ କରିଥିଲେ। ଗତ ମଙ୍ଗଳବାର ନ୍ୟୁୟର୍କ ଫେସନ ସପ୍ତାହ ପାଳନ ଅବସରରେ ଗାବ୍ରିଏଲ୍ ଏହି ବୟସସୀମା କୋହଳ ହେବା ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ଅବସରରେ ସେ କହିଥିଲେ ଯେ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା ହେଉ ବା ଜୀବନର ଯେ କୌଣସି ଘଟଣା ହେଉ, ଜଣେ ମହିଳାଙ୍କ ବୟସ କେବେ ତାଙ୍କ ଦକ୍ଷତାର ମାପକାଠି ନୁହେଁ। ବୟସକୁ କେବଳ ଏକ ସଂଖ୍ୟା ଭାବେ ବିବେଚନା କରାଯିବା ଉଚିତ। ଉଲ୍ଲେଖଯୋଗ୍ୟ, ଗତ ବର୍ଷର ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଏଥିରେ ଆଉ କ’ଣ ପରିବର୍ତ୍ତନ ହେବା ଦରକାର ବୋଲି ଗାବ୍ରିଏଲ୍ଙ୍କୁ ପ୍ରଶ୍ନ କରାଯାଇଥିଲା। ପ୍ରତିଯୋଗିତାର ବୟସସୀମା ବଢ଼ାଇବା ପାଇଁ ସେ ପ୍ରସ୍ତାବ ରଖିଥିଲେ। ତେଣୁ ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ବୟସ ସୀମା ଉଚ୍ଛେଦ କରାଯିବା ପରେ ସେ ଖୁସି ବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୨ ମସିହାରେ ଉକ୍ତ ସୁନ୍ଦରୀ ପ୍ରତିଯୋଗିତା ପରିଚାଳନା ସଂସ୍ଥା ପକ୍ଷରୁ ମାଆ ଓ ବିବାହିତାମାନଙ୍କୁ ଭାଗ ନେବା ପାଇଁ ପ୍ରଥମ ଥର ଅନୁମତି ପ୍ରଦାନ କରାଯାଇଥିଲା। ସେହିପରି ଏଥିରେ ଭାଗ ନେବା ପାଇଁ କିନ୍ନର ମହିଳାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ୨୦୧୨ ମସିହାରେ ଉଠାଇ ଦିଆଯାଇଥିଲା। ଫଳରେ ତାହା ପରଠାରୁ ଏହି ପ୍ରତିଯୋଗିତାରେ ଅନେକ କିନ୍ନର ମହିଳା ମଧ୍ୟ ଭାଗନେବା ପାଇଁ ଆଗେଇ ଆସୁଛନ୍ତି।