ଶିବଶଙ୍କର ଓଝା

Advertisment

ଏ ବର୍ଷ ପୂଜା ବଜାରକୁ ଫେରିଥାନ୍ତେ ନାୟିକା ଅର୍ଚ୍ଚିତା। ପାଖାପାଖି ୭ ବର୍ଷ ପରେ ତାଙ୍କୁ ଦଶହରା ଅବସରରେ ବଡ଼ ପରଦାରରେ ଦେଖିବାର ଉତ୍କଣ୍ଠା ଥିଲା ଦର୍ଶକଙ୍କର, ହେଲେ ଏଥର ବି ତାଙ୍କ ଅଭିନୀତ ଛବି ଆସି ପାରୁନାହିଁ।

ଅନେକ ସିନେପ୍ରେମୀ ଆଶା ରଖିଥିଲେ ଯେ ଏଥର ପୂଜା ବଜାରରେ ସେମାନଙ୍କର ପ୍ରିୟ ନାୟିକାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇବେ। ହେଲେ, ସେମାନଙ୍କର କୌଣସି ସିନେମା ୨୦୨୪ ଦଶହରା ଅବସରରେ ମୁକ୍ତିଲାଭ କରୁନାହିଁ। ଏହି ନାୟିକାମାନଙ୍କ ମଧ୍ୟରୁ ଜଣେ ହେଲେ ଅର୍ଚ୍ଚିତା। ୨୦୦୫ରେ ମୁକ୍ତିଲାଭ କରିଥିବା ‘ଓ ମାଇଁ ଲଭ୍’ରୁ ଓଲିଉଡ୍‌ରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ଏବଂ ଏଯାଏ ଅବ୍ୟାହତ ରହିଛି। 
‘ମତେ ଆଣିଦେଲ ଲକ୍ଷେ ଫଗୁଣ’, ‘ଆଲୋ ମୋର କଣ୍ଢେଇ’, ‘ଛାତି ତଳେ ଡିଂ ଡଙ୍ଗ୍‌’ ଓ ‘ଶିବା ନଟ୍ ଆଉଟ୍’ ଆଦି ପୂଜା ସିନେମାରେ ନଜର ଆସିଥିଲେ ଅର୍ଚ୍ଚିତା। ୨୦୧୭ରେ ମୁକ୍ତିଲାଭ କରିଥିଲା ତାଙ୍କ ଅଭିନୀତ ଶେଷ ପୂଜା ସିନେମା ‘ଶିବା ନଟ୍ ଆଉଟ୍’। ପାଖାପାଖି ଦୁଇ ମାସ ତଳେ ଖବର ଆସିଥିଲା ୨୦୨୪ ପୂଜା ପାଇଁ ପ୍ରସ୍ତୁତ ହେଉଥିବା ସିନେମା ‘ଦୁର୍ଗା’ରେ ଅଭିନୟ କରିବେ ଅର୍ଚ୍ଚିତା। ହେଲେ ଏବେ ମୁକ୍ତି ପ୍ରତୀକ୍ଷାରେ ଥିବା ଏହି ସିନେମାରେ ତାଙ୍କୁ ଦେଖିବାକୁ ମିଳିବନି। ଏହା ପଛର ପ୍ରକୃତ କାରଣ କ’ଣ, ତାହା ଜାଣିବା ଲାଗି ଅର୍ଚ୍ଚିତାଙ୍କ ପ୍ରଶଂସକମାନେ ନିଶ୍ଚୟ ଚାହିଁବେ। ଯେତେବେଳେ ପ୍ରଯୋଜକ କୁମାର ପ୍ରୀତମ୍ ସାହୁ ତାଙ୍କର ପଞ୍ଚମ ସିନେମା ‘ଦୁର୍ଗା’ ସଂପର୍କରେ ଘୋଷଣା କରିଥିଲେ, ସେତେବେଳେ ସେ ଏଥିରେ ଓଲିଉଡ୍‌ର ଦୁଇ ଲୋକପ୍ରିୟ ନାୟିକା ଅର୍ଚ୍ଚିତା ଓ ପୁନମ୍ ମୁଖ୍ୟ ଭୂମିକାରେ ରହିବେ ବୋଲି ସୂଚନା ଦେଇଥିଲେ। କିନ୍ତୁ ଏବେ ଜଣାପଡ଼ିଲାଣି ଯେ ଏଥିରେ ଅର୍ଚ୍ଚିତାଙ୍କ ସ୍ଥାନରେ ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଈଶା ତଲ୍‌ୱାର୍‌ ଅଭିନୟ କରିଛନ୍ତି। ଅର୍ଥାତ୍ ଅର୍ଚ୍ଚିତାଙ୍କ ପାଇଁ ଉଦ୍ଦିଷ୍ଟ ଭୂମିକାରେ ଦର୍ଶକ ଈଶାଙ୍କୁ ଦେଖିବାକୁ ପାଇବେ ‘ଦୁର୍ଗା’ରେ।

‘କର୍ମ’ରେ କାହିଁକି ନାହାନ୍ତି ବର୍ଷା?
ଏଥର ଦୁର୍ଗାପୂଜାରେ ପ୍ରଯୋଜିକା ବର୍ଷା ପଟ୍ଟନାୟକ ଓ ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘କର୍ମ’ ଆସୁଛି। ତେବେ ପ୍ରଯୋଜନାରେ ରହିବା ସହ ବର୍ଷା ଜଣେ ଜଣାଶୁଣା ନାୟିକା ବି। ଆଗରୁ ତାଙ୍କୁ ଦର୍ଶକ ନିଜର ହୋମ୍‌ ପ୍ରଡକ୍‌ସନ୍‌  ‘ପ୍ରତୀକ୍ଷା’ ଓ ‘ତ୍ରିକନ୍ୟା’ରେ ମୁଖ୍ୟ ଭୂମିକାରେ ଦେଖିଛନ୍ତି ଆଉ ପସନ୍ଦ ବି କରିଛନ୍ତି। ହେଲେ ହୋମ୍ ପ୍ରଡକ୍‌ସନ୍ (ଅମୀୟ ପଟ୍ଟନାୟକ ପ୍ରଡକ୍‌ସନ୍)ର ବଡ଼ ବଜେଟ୍‌ର ସିନେମା ‘କର୍ମ’ରେ କିନ୍ତୁ ଅଭିନୟ କରିନାହାନ୍ତି ବର୍ଷା। ଏହାର କାରଣ ସଂପର୍କରେ ପ୍ରଯୋଜକ-ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ କହନ୍ତି, ‘କର୍ମ’ର ପ୍ରଡକ୍‌ସନ୍ କାମ ବର୍ଷା ସଂପୂର୍ଣ୍ଣ ଭାବେ ବୁଝୁଥିଲେ। ଏଥିପାଇଁ ତାଙ୍କୁ ଖୁବ୍ ବ୍ୟସ୍ତ ରହିବାକୁ ପଡୁଥିଲା। ଏଣୁ ଅଭିନୟ ପାଇଁ ସମୟ ବାହାର କରିବା ତାଙ୍କ ପାଇଁ ଅସମ୍ଭବ ଥିଲା। ଆଉ ଗୋଟିଏ କଥା ହେଲା, ଏହି ସିନେମାରେ ତାଙ୍କ ପାଇଁ ସେଭଳି କୌଣସି ଭଲ ଚରିତ୍ର ନ ଥିଲା, ଯେଉଁଥିପାଇଁ ବର୍ଷାଙ୍କୁ ଏଥିରେ କାଷ୍ଟ୍ କରାଯାଇନାହିଁ।

‘ଦୁର୍ଗା’ ଛାଡ଼ିବା ସମ୍ପର୍କରେ ଅର୍ଚ୍ଚିତା କହନ୍ତି, ଅନେକ ସିନେମାର ଅଫର୍‌ ତ ଆସେ ହେଲେ ସବୁଥିରେ କାମ କରିହୁଏନା। କିଛି ପ୍ରଫେସନାଲ୍‌ କାରଣରୁ ମୁଁ  ‘ଦୁର୍ଗା’ରେ ଅଭିନୟ କରିପାରିଲିନାହିଁ।ଏଣେ ଏହାର କାରଣ ସଂପର୍କରେ ନିର୍ମାତା ପ୍ରୀତମ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, ଅର୍ଚ୍ଚିତା ଓଡ଼ିଆ ସିନେଜଗତର ଜଣେ ନାଆଁକରା ନାୟିକା ଏବଂ ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ‘ଦୁର୍ଗା’ ସିନେମାରେ ଅର୍ଚ୍ଚିତାଙ୍କୁ ଆଖିରେ ରଖି ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଥିଲା। ହେଲେ ଫିଲ୍ମର ସୁଟିଂ ଆରମ୍ଭ ହେବା ବେଳକୁ ତାଙ୍କର ପୂର୍ବ ନିର୍ଦ୍ଧାରିତ ସିଡ୍ୟୁଲ୍ ଥିବା ହେତୁ ସେ ‘ଦୁର୍ଗା’ରେ ସାମିଲ୍‌ ହୋଇ ପାରିଲେ ନାହିଁ। ପରେ ପାରସ୍ପରିକ ବୁଝାମଣା ଭିତ୍ତିରେ ଫିଲ୍ମର କାଷ୍ଟିଂରେ ପରିବର୍ତ୍ତନ ହୋଇଥିଲା। କିନ୍ତୁ ଅର୍ଚ୍ଚିତାଙ୍କ ସ୍ଥାନରେ କାହାକୁ ନିଆଯିବ? ଏ ସଂକ୍ରାନ୍ତରେ ନିର୍ଦ୍ଦେଶକଙ୍କ ସହ ପରାମର୍ଶ ଓ ବହୁ ବିଚାରବିମର୍ଶ ପରେ ବଲିଉଡ୍‌ରୁ କୌଣସି ନାୟିକାଙ୍କୁ ନେବା ଲାଗି ସ୍ଥିର କଲୁ। ଅବଶେଷରେ ‘ମିର୍ଜାପୁର୍’ ଫେମ୍ ଈଶା ତଲ୍‌ୱାର୍‌ଙ୍କୁ ଯୋଗାଯୋଗ କରିଥିଲୁ। ସେ କାହାଣୀ ଓ ଭୂମିକା ସଂପର୍କରେ ଅବଗତ ହେବା ପରେ କାମ କରିବାକୁ ରାଜି ହୋଇଥିଲେ। 

ଆଉ ଏକ ବଡ଼କଥା ହେଲା ‘ଦୁର୍ଗା’ର କାହାଣୀ ବେଶ୍‌ ଶକ୍ତିଶାଳୀ। ଈଶାଙ୍କୁ ନେବା ପରେ ଏହାକୁ ଆମେ ହିନ୍ଦୀରେ ଡବ୍ କରି ରିଲିଜ୍ କରିବା କଥା ବି ଚିନ୍ତା କରିଛୁ। ତେବେ ଈଶା କେମିତି ଅଭିନୟ କରିଛନ୍ତି ଓ ତାହା ଦର୍ଶକ କେତେଦୂର ଗ୍ରହଣ କରୁଛନ୍ତି, ତାହାକୁ ଆମେ ଅପେକ୍ଷା କରିଛୁ।