ପୁରୀ: ପୁରୀର ବ୍ଲୁ ଫ୍ଲାଗ ବିଚ୍ ଆନ୍ତର୍ଜାତିକ ବିଚ୍ର ମାନ୍ୟତା ପାଇବା ପରେ ଏଠାରେ ଏକ ଅଘଟଣ ଘଟିଯାଇଛି। ଏହି ବିଚ୍ରେ ଗାଧୋଉଥିବା ଜଣେ ୧୬ ବର୍ଷର ନାବାଳକ ନିଜ ମା’ ସମ୍ମୁଖରେ ସମୁଦ୍ରରେ ଭାସିଯାଇଛନ୍ତି। ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ନିଖୋଜ ନାବାଳକକୁ ଖୋଜିବା ପାଇଁ ଲାଇଫଗାର୍ଡମାନଙ୍କୁ ନିୟୋଜିତ କରାଇ ଖୋଜାଖୋଜି କରୁଛି। ତେବେ ପରିବାର ସମ୍ମୁଖରେ ଭାସିଯାଉଥିବା ପୁଅକୁ ନପାଇ ଝାଡ଼ଖଣ୍ଡରୁ ଆସିଥିବା ୧୧ ଜଣ ସଦସ୍ୟଙ୍କ ମଧ୍ୟରେ ଶୋକାକୁଳ ପରିବେଶ ଦେଖାଦେଇଛି। ଏଭଳି ପରିସ୍ଥିତିରେ ଆଜି ବ୍ଲୁ ଫ୍ଲାଗ ବିଚ୍କୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି।
ଖବର ନେବାରେ ଜଣାପଡ଼ିଛି, ଝାଡ଼ଖଣ୍ଡ ରାଞ୍ଚିର ଆରୋଗୋରା ଅଞ୍ଚଳରୁ ଡ. ବିନୟ ରାୟଙ୍କ ପରିବାରର ପ୍ରାୟ ୧୧ ଜଣ ସଦସ୍ୟସଦସ୍ୟା ଗତ ରବିବାର ଦିନ ପୁରୀକୁ ଆସି ବିଏନ୍ଆର୍ ହୋଟେଲର ୩୩, ୩୬ ଓ ୩୭ ନମ୍ବର ରୁମ୍ରେ ରହୁଥିଲେ। ଆଜି ପୂର୍ବାହ୍ଣରେ ସେମାନେ ‘ବ୍ଲୁ ଫ୍ଲାଗ’ ବିଚ୍କୁ ଯାଇଥିଲେ। ଏଠାରେ ସେମାନେ କୌଣସି ଲାଇଫଗାର୍ଡଙ୍କ ସହାୟତା ନନେଇ ସମୁଦ୍ରରେ ଗାଧୋଇଥିଲେ। ଏହି ସମୟରେ ଏକ ବଡ଼ ଲହଡ଼ି ଆସି ବିନୟ ୧୬ ବର୍ଷର ପୁଅ ତାନିଷ୍କ ବିନୟକୁ ସମୁଦ୍ର ଗର୍ଭକୁ ଟାଣି ନେଇଥିଲା। ଚାହୁଁ ଚାହୁଁ ମା’ ସମ୍ମୁଖରେ ତାନିଷ୍କ ଲହଡ଼ିର ଗଭୀର ଜଳରେ ବୁଡ଼ିଯାଇ ନିଖୋଜ ହୋଇଯାଇଥିଲେ। ପରିବାର ସଦସ୍ୟ ଏହା ଦେଖୁଥିଲେ ମଧ୍ୟ କିଂ କର୍ତ୍ତବ୍ୟବିମୂଢ଼ ହୋଇ କେବଳ ଦେଖଣାହାରୀ ସାଜିଥିଲେ। ଏହାପରେ ସେମାନେ ସମୁଦ୍ରକୂଳ ଥାନାକୁ ଜଣାଇଥିଲେ। ପୁଲିସ ସଙ୍ଗେ ସଙ୍ଗେ ଏହି ଖବର ପାଇ ତାନିଷ୍କଙ୍କୁ ଖୋଜାଖୋଜି କରିବା ପାଇଁ ଲାଇଫ୍ଗାର୍ଡମାନଙ୍କୁ ନିୟୋଜିତ କରିଥିଲା। ମାତ୍ର ରିପୋର୍ଟ ଲେଖା ହେବାବେଳକୁ ତାନିଷ୍କଙ୍କର କୌଣସି ଖୋଜଖବର କିଛି ମିଳିନାହିଁ।