କେୱାଇସି ନାଁରେ ଠକାମିର ଶିକାର ହେଲେ ଅଭିନେତା ଅନ୍ନୁ କପୁର, ଆକାଉଣ୍ଟରୁ ଚାଲିଗଲା ଏ‌ତେ ଟଙ୍କା

ମୁମ୍ବାଇ: ଠକାମିର ଶିକାର ହେଲେ ଅଭିନେତା ଅନ୍ନୁ କପୁର। କେୱାଇସି ନାଁରେ ଅଭିନେତା ଅନ୍ନୁ କପୁର ଠକାମିର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ତାଙ୍କ ଆକାଉଣ୍ଟରୁ ୪.୩୬ଲକ୍ଷ ଟଙ୍କା କଟିଥିବା ଜଣାପଡ଼ିଛି। ତେବେ ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେତୁ ତାଙ୍କୁ ୩.୦୮ ଲକ୍ଷ ଟଙ୍କା ମିଳିବ ବୋଲି କୁହାଯାଉଛି। ଓଶିୱରା ପୁଲିସ୍ ଷ୍ଟେସନର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଗୁରୁବାର ଦିନ ଜଣେ ବ୍ୟକ୍ତି ଅନ୍ନୁ କପୁରଙ୍କୁ ଫୋନ କରି ଅଭିନେତାଙ୍କୁ କହିଥିଲେ ଯେ, ଆପଣଙ୍କୁ କେୱାଇସିର ସବିଶେଷ ତଥ୍ୟ ଅପଡେଟ୍ କରିବା ଉଚିତ। ତା’ପରେ ସେ କପୁରଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ୱାନ ଟାଇମ୍ ପାସୱାର୍ଡ (ଓଟିପି) ଦେବାକୁ କହିଥିଲେ। ଅଭିନେତାଜଣକ କିଛି ନଭାବି ନିଜ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ବିବରଣୀ ଓ ଓଟିପି କଲ୍ କରିଥିବା ବ୍ୟକ୍ତିଙ୍କୁ ଦେଇଥିଲେ। ଏହା ପରେ ପରେ ତୁରନ୍ତ ତାଙ୍କ ଆକାଉଣ୍ଟରୁ ୪.୩୬ଲକ୍ଷ ଟଙ୍କା କଟି ଯାଇଥିଲା। ଏନେଇ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯିବା ପରେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ ଅନ୍ନୁ କପୁର। ଏହା ପରେ ସେ ପୁଲିସ ସହ ଯୋଗାଯୋଗ କରିବାରୁ ପୁଲିସ ଟଙ୍କା ଯାଇଥିବା ବ୍ୟାଙ୍କ ସହ ଯୋଗାଯୋଗ କରିଥିଲା। ଠକେଇ ବିଷୟରେ ଜାଣିବା ପରେ ବ୍ୟାଙ୍କ ଉଭୟ ଆକାଉଣ୍ଟକୁ ବନ୍ଦ କରିବା ସହ ଅନ୍ନୁ କପୁରଙ୍କୁ ୩.୦୮ ଲକ୍ଷ ଟଙ୍କା ଫେରସ୍ତ କରିବ ବୋଲି କହିଛି। ତେବେ ପୁଲିସ ଏହି ଘଟଣାକୁ ନେଇ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର