ବିଦାୟ ବିକ୍ରମ

ମେଜର ବିକ୍ରମଜିତ କନୱରପଲ ଆଉ ନାହାନ୍ତି। ଗତ ୧ ତାରିଖରେ କରୋନାରେ ତାଙ୍କର ଦେହାନ୍ତ ହେଇଯାଇଛି। ବଲିଉଡ୍ ଫିଲ୍ମ ଏବଂ କିଛି ଲୋକପ୍ରିୟ ଟେଲି ଧାରାବାହିକରେ ଅଭିନୟ କରି ସେ ଦର୍ଶକଙ୍କ ଆଦରଣୀୟ ହେଇଥିଲେ। ଅଭିନେତ୍ରୀ ତଥା ପ୍ରଯୋଜିକା ପୂଜା ଭଟ୍ଟ ବିକ୍ରମଜିତଙ୍କୁ ମନେ ପକାଇ ବେଶ୍ ମର୍ମାହତ ହେଇଛନ୍ତି।

୨୦୦୨ରେ ଭାରତୀୟ ସେନାରୁ ମେଜର ଭାବେ ଅବସର ନେଇ ଯେତେବେଳେ ବିକ୍ରମଜିତ୍ ମୁମ୍ବାଇ ଆସିଥିଲେ ସେତେବେଳେ ପୂଜା ହିଁ ତାଙ୍କୁ ପ୍ରଥମେ ଫିଚର ଫିଲ୍ମ ‘ପାପ’ରେ ଅଭିନୟର ସୁଯୋଗ ଦେଇଥଲେ। ଏହି ଚଳଚ୍ଚିତ୍ରରୁ ବଲିଉଡ୍‌ରେ ବିକ୍ରମଜିତଙ୍କ ପାଇଁ ବାଟ ଫିଟିଯାଇଥିଲା। ଜଣେ ପାର୍ଶ୍ବ ଅଭିନେତା ଭୂମିକାରେ ସେ ଥରକୁ ଥର ଦର୍ଶକଙ୍କ ସାମନାକୁ ଆସିଥିଲେ ମଧ୍ୟ ତାଙ୍କ ବାସ୍ତବଧର୍ମୀ ଅଭିନୟ ଦର୍ଶକଙ୍କୁ ଚକିତ କରୁଥିଲା। କରମ, କର୍ପୋରେଟ୍, ଡନ୍, ହାଇଜାକ୍‌, ନକ୍‌ଆଉଟ୍‌, ଆରକ୍ଷଣ, ଟର୍ଣ୍ଣିଂ ୩୦, ଜଞ୍ଜିର, ସୌର୍ଯ୍ୟ, ରହସ୍ୟ, ୧୯୭୧ ଆଦି ଚଳଚ୍ଚିତ୍ରରେ ବିକ୍ରମଜିତଙ୍କ ଅଭିନୟ ବଳିଷ୍ଠ ହେଇଥିଲା। କିସ୍‌ମତ, ନମକ୍‌ ହାରାମ୍‌, ମେରି ରଙ୍ଗ ମେ ରଙ୍ଗନେବାଲୀ, କ୍ରାଇମ୍‌ ପାଟ୍ରୋଲ୍-ଦସ୍‌ତକ, ଅଦାଲତ, ହର ଯୁଗ ମେ ଆୟେଗା ଏକ ଅର୍ଜୁନ, ରିପୋର୍ଟର୍ସ, ହଲ୍ଲାବୋଲ୍‌, କସମ୍‌ ତେରି ପ୍ୟାର କୀ, ଅବରୋଧ ଆଦି ଧାରାବାହିକରେ ଅଭିନୟ କରି ଟେଲି ଦର୍ଶକଙ୍କ ମନରେ ଛାପ ଛାଡ଼ିଯାଇଛନ୍ତି। ସେ ୧୯୬୮ରେ ହିମାଚଳ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଦ୍ବାରକାନାଥ କନ୍‌ୱରପଲ୍‌ ୧୯୬୩ରେ ଭାରତ ସରକାରଙ୍କ ଠାରୁ କ୍ରୀତ୍ତିଚକ୍ର ଉପାଧିରେ ବିଭୂଷିତ ହେଇଥିଲେ।

ସମ୍ବନ୍ଧିତ ଖବର