ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ପିତା ତଥା ଅବସରପ୍ରାପ୍ତ ପୁଲିସ ଅଧିକାରୀ ଜଗଦୀଶ ପଟାନୀ ଏକ ବଡ ଠକେଇର ଶିକାର ହୋଇଛନ୍ତି। ସରକାରୀ କମିଶନରେ ଉଚ୍ଚ ପଦବୀ ଦେବା ନାମରେ ଦିଶାଙ୍କ ପିତାଙ୍କୁ ୨୫ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ଠକ। ଠକାମିର ଶିକାର ହେବା ପରେ ଜଗଦୀଶ ପଟାନୀ ଶୁକ୍ରବାର ସନ୍ଧ୍ୟାରେ ବରେଲି କୋତୱାଲୀ ପୁଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି। ଏତଲା ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଘଟଣାକୁ ନେଇ କୋତୱାଲି ପୁଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ଡି.କେ ଶର୍ମା କହିଛନ୍ତି - ଶିବେନ୍ଦ୍ର ପ୍ରତାପ ସିଂ, ଦିବାକର ଗର୍ଗ, ଆଚାର୍ଯ୍ୟ ଜୟପ୍ରକାଶ, ପ୍ରୀତି ଗର୍ଗ ଏବଂ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଠକେଇ, ଧମକ ଓ ନିର୍ଯାତନା ଦେବା ନେଇ ଏତଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରାଯାଉଛି।
ସୂଚନା ମୁତାବକ, ଦିଶା ପଟାନୀଙ୍କ ପିତା ଜଗଦୀଶ ପଟାନୀ ତାଙ୍କ ପରିବାର ସହିତ ବରେଲିରେ ସିଭିଲ୍ ଲାଇନ୍ସରେ ରୁହନ୍ତି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଶିବେନ୍ଦ୍ର ପ୍ରତାପ ସିଂଙ୍କୁ ଜଗଦୀଶ ବ୍ୟକ୍ତିଗତ ଭାବେ ଜାଣିଥିଲେ। ଶିବେନ୍ଦ୍ର ହିଁ ତାଙ୍କୁ ଦିବାକର ଗର୍ଗ ଏବଂ ଆଚାର୍ଯ୍ୟ ଜୟପ୍ରକାଶଙ୍କ ସହ ପରିଚିତ କରାଇଥିଲେ।
ଅଭିଯୋଗ ଅନୁଯାୟୀ, ତାଙ୍କର ରାଜନୈତିକ ସମ୍ପର୍କ ଅତ୍ୟନ୍ତ ମଜବୁତ ବୋଲି ଅଭିଯୁକ୍ତ ଶିବେନ୍ଦ୍ର, ଜଗଦୀଶଙ୍କୁ କହିଥିଲେ। ସେ ସରକାରୀ କମିଶନରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ କିମ୍ବା ସେହିଭଳି ସମ୍ମାନଜନକ ପଦବୀ ଦେଇପାରିବେ ବୋଲି ଜଗଦୀଶଙ୍କୁ ଆଶ୍ୱାସନା ଦେଇଥିଲେ। ଜଗଦୀଶଙ୍କ ବିଶ୍ୱାସ ହାସଲ କରିବା ପରେ ୫ଜଣିଆ ଗୋଷ୍ଠୀ ତାଙ୍କଠାରୁ ୨୫ଲକ୍ଷ ଟଙ୍କା ନେଇଥିଲେ। ହେଲେ ୩ମାସ ଭିତରେ କିଛି ନହେବାରୁ ସୁଧ ସମେତ ଟଙ୍କା ଫେରାଇ ଦେବୁ ବୋଲି କହିଥିଲେ ଅଭିଯୁକ୍ତ। କିନ୍ତୁ ଦିନ ପରେ ଦିନ ବିତିଥିଲେ ବି ଅଭିଯୁକ୍ତମାନେ ଟଙ୍କା ନଦେବା ସହ ଧମକ ଦେବା ଆରମ୍ଭ କରିଥିଲେ। ଏଥିପାଇଁ ଜଗଦୀଶ ଅନ୍ୟ କିଛି ବାଟ ନପାଇ ପୁଲିସରେ ଅଭିଯୋଗ କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/16/TH0dl0txsC5c9BeehpIu.jpg)