ବଲିଉଡ୍ରେ ଡ୍ରଗ୍ସ କାରବାର ଲିଙ୍କ୍ରେ ଦୀର୍ଘ ୮ ଘଣ୍ଟା ଜେରା ପରେ ଅଭିନେତା ଏଜାଜଙ୍କୁ ଗିରଫ କଲା ଏନ୍ସିବି
ମୁମ୍ବାଇ: ବଲିଉଡ୍ରେ ଡ୍ରଗ୍ସ କାରବାର ମାମଲାରେ ଅଭିନେତା ଏଜାଜ ଖାନ ଗିରଫ । ମୁମ୍ବାଇରୁ ଏଜାଜ ଖାନଙ୍କୁ ଗିରଫ କଲା ଏନସିବି । ଦୀର୍ଘ ଆଠ ଘଣ୍ଟାର ପଚରାଉଚରା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏଜାଜଙ୍କୁ ଗିରଫ କରିଛି । ପୂର୍ବରୁ ତାଙ୍କୁ ୨୦୧୮ ମସିହାରେ ମଧ୍ୟ ଗିରଫ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏନସିବି ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇର ଡ୍ରଗ୍ସର ସବୁଠାରୁ ବଡ ସିଣ୍ଡିକେଟ୍ ଏଜାଜ୍ ଖାନ୍ ଏବଂ ବାଟାଟା ଗ୍ୟାଙ୍ଗ ମଧ୍ୟରେ ଲିଙ୍କ ମିଳିଛି । ଏଜାଜଙ୍କୁ କାବୁ କରିବା ପରେ ଏନସିବି ଟିମ୍ ମୁମ୍ବାଇର ଅନ୍ଧେରି ଏବଂ ଲୋଖଣ୍ଡୱାଲା ଅଞ୍ଚଳରେ ମଧ୍ୟ ଚଢାଉ କରିଥିଲା। ଏଜାଜ ପୂର୍ବରୁ ମୁମ୍ବାଇର ସବୁଠାରୁ ବଡ ଡ୍ରଗ୍ ଯୋଗାଣକାରୀ ଫାରୁକ୍ ବାଟାଟାଙ୍କ ପୁଅ ଶାଦବ ବାଟାଙ୍କୁ ଗତ ସପ୍ତାହରେ ଶନିବାର ଗିରଫ କରାଯାଇଥିଲା । ଶାଦାବଙ୍କ ପଚରାଉଚରା ପରେ ହିଁ ଏଜାଜଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡିଛି ।
୨୦୧୮ ମସିହାରେ ମଧ୍ୟ ନିଷିଦ୍ଧ ଡ୍ରଗ୍ସ ସେବନ ଅଭିଯୋଗରେ ଏଜାଜ ଖାନଙ୍କୁ ମୁମ୍ବାଇ ପୁଲିସର ନାର୍କୋଟିକ୍ସ ସେଲ ଦ୍ୱାରା ଗିରଫ କରାଯାଇଥିଲା । ଖବର ଅନୁଯାୟୀ, ଯେତେବେଳେ ତାଙ୍କୁ ଗିରଫ କରାଯାଇଥିଲା ସେତେବେଳେ ସେ ମଦ୍ୟପାନ କରିଥିଲେ । ତାଙ୍କଠାରୁ ୮ ଟି ଏକ୍ସଟେସି ଟାବଲେଟ୍ ପାଇଥିଲେ, ଯାହାର ଓଜନ ୨.୩ ଗ୍ରାମ ଏବଂ ମୂଲ୍ୟ ପାଖାପାଖି ୨.୨ ଲକ୍ଷ ଟଙ୍କା ଥିଲା । ସେହି ସମୟରେ ନବି ମୁମ୍ବାଇ ପୁଲିସ୍ ମଧ୍ୟ ଅଭିନେତାଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଥିଲା।
ଏଜାଜ୍ ଗତ କିଛି ଦିନ ଧରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଲୋକପ୍ରିୟ ଟିଭି ରିଆଲିଟି ସୋ ବିଗ୍ ବସ୍ରେ ମଧ୍ୟ ଏଜାଜ୍ ଖାନଙ୍କୁ ଦେଖିବାକୁ ମିଳିଥିଲା । ବିଧାନସଭା ନିର୍ବାଚନ ସମୟରେ ଅଭିନେତା ଏଜାଜ ଖାନ ମୁମ୍ବାଇର ବାଇକୁଲା ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ଏଥିରେ ତାଙ୍କୁ କମ୍ ଭୋଟ୍ ମିଳିଥିଲା ।