ମୁମ୍ବାଇ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି। 'ଗୋଲମାଲ' ଏବଂ 'ନମକ ହଲାଲ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ହରିଶ ମେଗନଙ୍କ ଦେହାନ୍ତ ହୋଇଛି। ସେ ୭୬ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜୁଲାଇ ୧ରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଫିଲ୍ମ 'ଗୋଲମାଲ'ରେ ତାଙ୍କର ଚମତ୍କାର ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଥିଲା। ତାଙ୍କର ଚରିତ୍ର ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ଛାପ ଛାଡ଼ିଥିଲା।

Advertisment

ତେବେ ତାଙ୍କ ମୃତ୍ୟୁର କାରଣ ଜଣା ପଡି ନଥିବାବେଳେ ବୟସ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଉଛି।

ହରିଶ ମେଗନ୍ ଡିସେମ୍ବର ୬, ୧୯୪୬ରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାଦିନରୁ ଅଭିନୟ କରିବାକୁ ଭଲ ପାଉଥିଲେ। ୧୯୭୪ ମସିହାରେ ହରିଶ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଆଇଆଇ)ରୁ ସ୍ନାତକତ୍ତୋର ସମାପ୍ତ କରି ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ୧୯୭୫ରେ ଚଳଚ୍ଚିତ୍ର 'ଆନ୍ଧି'ରେ ହରିଶଙ୍କୁ ଏକ କେମିଓ କରିବାର ସୁଯୋଗ ମିଳିଥିଲା ​। ହିନ୍ଦୀ ସିନେମାରେ ସେ ପ୍ରାୟତଃ ସହ କଳାକାର ଭାବରେ କାମ କରିଥିଲେ ବି ତାଙ୍କ ଚରିତ୍ରଗୁଡ଼ିବ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିଲା। ସେ ଅଭିନୟ କରିିଥିବା ଲୋକପ୍ରିୟ ଫିଲ୍ମଗୁଡ଼ିକ ହେଲା, ନମକ ହଲାଲ, ଚୁପକେ ଚୁପକେ, ଖୁସବୁ, ଇନକାର, ମୁକଦ୍ଦର କା ସିକନ୍ଦର, ଗୋଲମାଲ ଏବଂ ଶେହନସା। ଅଭିନୟରୁ ଅବସର ନେବା ପୂର୍ବରୁ ମେଗନଙ୍କ ଅନ୍ତିମ ଚଳଚ୍ଚିତ୍ର ଥିଲା ଉଫ୍! ୟେ ମହବତ।

ତେବେ ଫିଲ୍ମରେ ଭଲ ଅଫର ନମିଳିବାରୁ ସେ ୧୯୯୭ରେ ଅଭିନୟରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲେ। ଅଭିନୟ ଛାଡ଼ି ସେ ମୁମ୍ବାଇର ଜୁହୁରେ 'ହରିଶ ମେଗନ୍ ଆକ୍ଟିଂ ଇନଷ୍ଟିଚ୍ୟୁଟ୍' ପ୍ରତିଷ୍ଠା କରିଥିଲେ। ଏହା ସହ ସେ ରୋଶନ୍ ତନେଜାଙ୍କ ଅଭିନୟ ବିଦ୍ୟାଳୟରେ ପ୍ରଶିକ୍ଷକ ଭାବେ କାମ କରିଥିଲେ।