ନାମୀଦାମୀ କମ୍ପାନିରେ ଲୋଭନୀୟ ଚାକିରି ସୁଯୋଗ ଛାଡ଼ି ଅଭିନେତ୍ରୀ ବନିଛନ୍ତି କନିଷ୍କା

ମୁମ୍ବାଇ:  ଅଭିନେତ୍ରୀ ଆଦିତି ଶଙ୍କର ଯେପରି ଡାକ୍ତରୀ ସେବା ପରି ମହନୀୟ ପେସା ଛାଡ଼ି ଅଭିନୟକୁ ଆଦରିବାରେ ଲାଗିଛନ୍ତି, ସେପରି ଆଉ ଜଣେ କଳାକାର ହେଲେ କନିଷ୍କା ସୋନି। ଏମ୍‌ବିଏ ଡିଗ୍ରି ହାସଲ କରିବା ପରେ ନାମୀଦାମୀ କମ୍ପାନିରେ ଲୋଭନୀୟ ଚାକିରି ସୁଯୋଗ ଛାଡ଼ି ସେ ଅଭିନେତ୍ରୀ ଜୀବନ ଆପଣାଇବାକୁ ପସନ୍ଦ କରିଛନ୍ତି। ଅବଶ୍ୟ ଏ ଦିଗରେ ତାଙ୍କର ନିଷ୍ଠା ଓ ଅଧ୍ୟବସାୟ ଯୋଗୁଁ ସେ ପାଖାପାଖି ୩୦ଟି ଟିଭି ଧାରାବାହିକ ସମେତ ତିନିଟି ତାମିଲ ଚଳଚ୍ଚିତ୍ର ଓ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ହାତେଇଛନ୍ତି। ବିଶେଷ କରି ଟିଭି ଧାରାବାହିକ ହିଁ ତାଙ୍କୁ ନିଆରା ପରିଚିତି ପ୍ରଦାନ କରିଛି।

ଗୁଜରାଟର ଅହମଦାବାଦରେ ୧୯୮୯ ଅଗଷ୍ଟ ୧୬ରେ ଜନ୍ମିତା କନିଷ୍କା ପିଲାଟି ବେଳୁ ଜଣେ ମେଧାବୀ ଛାତ୍ରୀ ଥିଲେ। ୨୦୦୭ରେ ରିୟଲିଟି ସୋ‘  ‘ବାଥ୍‌ରୁମ୍‌ ସିଙ୍ଗର’ରେ ବିଜୟିନୀ ହେବା ପରେ ସେ ଗ୍ଲାମର ଦୁନିଆ ପ୍ରତି ଆକର୍ଷିତ ହୋଇଥିଲେ। ତେଣୁ ଶିକ୍ଷା ପରେ ସେ ଜଣେ କଣ୍ଠଶିଳ୍ପୀ ଭାବରେ ନିଜର ପେସାଗତ ଜୀବନ ଆରମ୍ଭ କଲେ। ତେବେ ସେ ଅଭିନୟକୁ ବେଶୀ ପ୍ରାଧାନ୍ୟ ଦେବାକୁ ଲାଗିଲେ। ସୌଭାଗ୍ୟକୁ ୨୦୦୯ରେ ଟିଭି ଧାରାବାହିକ ‘ଫିଅର ଫାକ୍ଟର: ଖତରୋଁକେ ଖିଲାଡ଼ି’ର ଚୂଡ଼ାନ୍ତ ଅଧ୍ୟାୟରେ ଅକ୍ଷୟ କୁମାରଙ୍କ ସହ ଜଣେ ମଡେଲ୍‌ ଭାବରେ ସେ ଲୋକଲୋଚନକୁ ଆସିଥିଲେ। ଏହାପରେ ଧାରାବାହିକ ‘ରାଖୀ କା ସ୍ବୟଂବର’ରେ ତାଙ୍କୁ ଜଣେ ଅତିଥି କଳାକାର ହେବାର ସୁଯୋଗ ମିଳିଥିଲା। ୨୦୧୧-୧୨ର ଧାରାବାହିକ ‘ଦିୟା ଔର ବାତି ହମ୍‌’ରେ ‘କାଜଲ’ ଚରିତ୍ର ତାଙ୍କୁ ଆଶାତୀତ ଲୋକପ୍ରିୟ କରାଇଥିଲା। ଏହାପରେ ସେ ତେଲୁଗୁ ଫିଲ୍ମ ‘ଦେବରାୟ’ରେ ଏକ ନୃତ୍ୟଗୀତ ଦୃଶ୍ୟରେ ସାମିଲ ହୋଇ ବଡ଼ ପରଦାର ସ୍ବାଦ ଚାଖିଥିଲେ। ପରିଣତି ସ୍ବରୂପ ତାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିଥିଲା ତେଲୁଗୁ ଫିଲ୍ମ ‘ପଥେୟାରମ୍‌ କୋଡ଼ି’ରେ। ସେହିପରି ‘ଦୋ ଦିଲ୍‌ ଏକ ଜାନ୍‌’, ‘ପବିତ୍ର ରିସ୍ତା’ ଓ ‘ଗୁମ୍‌ରାହ’ ପରି ଧାରାବାହିକରେ ସେ ବିବିଧ ଭୂମିକାରେ ଅଭିନୟ କରି ଦର୍ଶକମାନଙ୍କ ମନ ଜିଣିଥିଲେ। ଅନ୍ୟତମ ତାମିଲ ଫିଲ୍ମ ‘ଯୁବରାଜୟମ୍‌’ରେ ମଧ୍ୟ ତାଙ୍କ ଅଭିନୟ ବେଶ୍‌ ଗ୍ରହଣୀୟ ହୋଇଥିଲା।

ଅପରପକ୍ଷେ, ଏକମାତ୍ର ହିନ୍ଦୀ ଫିଲ୍ମ ‘ପୈସା ହୋ ପୈସା’ରେ ତାଙ୍କୁ ସେଭଳି ଲୋକପ୍ରିୟତା ମିଳିନଥିଲା। ‘ତୁମ୍‌ ଐସା ହି ରହନା’, ‘ଫିରଙ୍ଗୀ ବହୁ’, ‘ସଙ୍କଟମୋଚନ ହନୁମାନ’, ‘ୟେ ଜଵାନି ତାରା ରି ରି’ ଓ ‘ଦେବୀ ଆଦି ପରାଶକ୍ତି’ ଆଦି ଧାରାବାହିକରେ ତାଙ୍କ ଭିନ୍ନ ରୁଚିର ଚରିତ୍ରଗୁଡ଼ିକ ବେଶ ଗ୍ରହଣୀୟ ହୋଇପାରିଛି। ମନୋରଂଜନ ଦୁନିଆକୁ ଅବଦାନ ପାଇଁ ୨୦୧୫ରେ ତାଙ୍କୁ ‘ଗୋରଵାନ୍ତା ଗୁଜରାଟୀ ସମ୍ମାନ’ ଓ ଟାଇମ୍‌ସ ଇଣ୍ଡିଆ ପକ୍ଷରୁ ‘ମଲ୍‌ଟି ଟାଲେଣ୍ଟେଡ୍‌ ବ୍ୟୁଟି ସମ୍ମାନ’ ମିଳିଛି।

ସମ୍ବନ୍ଧିତ ଖବର