ମୁମ୍ବାଇ: ଶୁକ୍ରବାର ସକାଳୁ ସକାଳୁ ବଲିଉଡ୍ ଓ ଧାରାବାହିକ ଅଭିନେତା କୁଶାଲ ପଞ୍ଜାବୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ହଠାତ୍ ସେ ଆତ୍ମହତ୍ୟା କରିଥିବା ଖବର ଇଣ୍ଡଷ୍ଟ୍ରିରେ ଥିବା ତାଙ୍କ ବନ୍ଧୁମାନେ ବିଶ୍ବାସ କରିପାରି ନଥିବା ବେଳେ କେଉଁ କାରଣରୁ ସେ ଏଭଳି କଲେ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପ୍ରଥମେ ଆତ୍ମହତ୍ୟା ପଛର କାରଣ ସାମ୍ନାକୁ ଆସି ନ ଥିବା ବେଳେ ଏବେ ଇଣ୍ଡଷ୍ଟ୍ରିରେ ୨୦ବର୍ଷ ଧରି ଥିବା ତାଙ୍କ ବନ୍ଧୁ ଚେତନ ହଂସରାଜ ଆତ୍ମହତ୍ୟା ପଛର କାରଣ ଜଣାଇଛନ୍ତି।
ତାଙ୍କ କହିବା ମୁତାବକ, କୁଶାଲଙ୍କ ବୈବାହିକ ଜୀବନ ଠିକ୍ ନ ଥିଲା। ଏହି କାରଣରୁ ସେ ଅବସାଦଗ୍ରସ୍ତ ଥିଲେ। ସେ ନିଜ ପତ୍ନୀଙ୍କଠାରୁ ଅଲଗା ହୋଇ ଅବସାଦଗ୍ରସ୍ତ ହୋଇ ଯାଇଥିବା ବେଳେ କିଛି ଦିନ ହେଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଭଲ ନ ଥିଲା। କିଛି ଦିନ ତଳେ ସେ କୁଶାଲଙ୍କ ସହ କଥା ହୋଇଥିଲେ । ସେ ସମୟରେ ସେ ଚିନ୍ତିତ ଥିବା କଥା ଜଣାଇଥିଲେ। ଏ ସବୁ ଜୀବନର ଏକ ଅଂଶ। ଏହାକୁ ଭୁଲି ଆଗକୁ ବଢ଼ିବା ଦରକାର ବୋଲି କହି ସେ କୁଶାଲଙ୍କୁ ବୁଝାଇଥିଲେ । କିନ୍ତୁ ସେ ଜାଣି ନଥିଲେ କି, ସେ ଏତେ ବଡ଼ ପଦକ୍ଷେପ ନେବେ। ତାଙ୍କର ଏଭଳି କାମ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
/sambad/media/post_attachments/3908341839a65c41180b92c05cb6c60c71991078134a09c7d4e50bf195d615ef.jpg)
ସୂଚନା ମୁତାବକ, କୁଶାଲଙ୍କ ମାତା-ପିତା ଗୁରୁବାର ଦିନ ୨ଟାରେ ତାଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଯାହା ପରେ ସେମାନେ ରାତି ପ୍ରାୟ ୧୦ଟା ୩୦ମିନିଟରେ କୁଶାଲଙ୍କ ବାସଭବନରେ ପହଞ୍ଚି ତାଙ୍କ ଘର କବାଟ ବାଡ଼ାଇଥିଲେ। ହେଲେ କୁଶାଲ କବାଟ ଖୋଲି ନ ଥିଲେ। ପଡ଼ୋଶୀଙ୍କ ସାହାଯ୍ୟରେ କବାଟ ଖୋଲାଯିବା ପରେ କୁଶାଲ ନିଜ ଶୋଇବା ଘରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏହା ପରେ ପୁଲିସକୁ ଖବର ଦିଆଯାଇଥିଲା। ତଦନ୍ତ ସମୟରେ ପୁଲିସକୁ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା, ଯେଉଁଥିରେ ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖିଥିଲେ କୁଶାଲ। ଏହା ସହ ତାଙ୍କର ୫୦ପ୍ରତିଶତ ସମ୍ପତ୍ତି ମାତା-ପିତା ଓ ଭଉଣୀକୁ ଦେବା ପାଇଁ ଲେଖିଥିବା ବେଳେ ବାକି ୫୦ପ୍ରତିଶତ ସମ୍ପତ୍ତି ତାଙ୍କ ପୁଅକୁ ଦେବା ପାଇଁ ଲେଖିଥିଲେ କୁଶାଲ।