ଓଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ ମତେ ଫୋନ୍ କରିଥିଲେ, ମୁଁ ତାଙ୍କୁ ସମାଧାନର ବାଟ କହିଛି : ମନୋଜ ମିଶ୍ର

ଭୁବନେଶ୍ବର: ରାଜ୍ୟରେ ସିନେ-କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ଚାଲିଥିବା କଳିର ସମାଧାନ ଲାଗି ଆଜି ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଛି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବାସନ୍ଦ ଉଠାଇବା ନେଇ ସକାରାତ୍ମକ ଆଲୋଚନା ହୋଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଯୋଜକ ଟୁଟୁ ନାୟକ, ସିନେ କଳାକାର ସଂଘ ସଂପାଦକ ଶ୍ରୀତମ୍ ଦାସ ଓ ଅଭିନେତା-ପ୍ରଯୋଜକ ଅରିନ୍ଦମ ଯୋଗ ଦେଇଥିଲେ। ମାତ୍ର ମନୋଜ ମିଶ୍ରଙ୍କୁ ବୈଠକକୁ ଡକା ଯାଇଥିଲେ ହେଁ ସେ ଆସି ନଥିଲେ। ତେବେ ଏ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ମନୋଜ ମିଶ୍ର। ସେ ଲେଖିଛନ୍ତି-‘‘ଓଏଫ୍‌ଡିସି ଚେୟାରମ୍ୟାନ୍ କୁନା ତ୍ରିପାଠୀ ମତେ ଏବେ ଫୋନ କରିଥିଲେ ମୁଁ ତାଙ୍କୁ ସମାଧାନର ବାଟ କହିଛି।’’ ଏଥିସହ ସେ ‘ଏକ୍ସ’ରେ ଇଂରାଜିରେ ମଧ୍ୟ ଏକ ପୋଷ୍ଟ କରି ଲେଖିଛନ୍ତି, ‘‘ ମୁଁ ଏଇ ମାତ୍ର ଓଏଫଡିସି ଚେୟାରମ୍ୟାନଙ୍କ ସହ କଥା ହୋଇ ଘଟଣାକୁ ନେଇ ମୋର ପକ୍ଷ ରଖିଛି। ଏବେ ମୁଁ ଉତ୍ସୁକତାର ସହ ସମାଧାନ ନେଇ ସେମାନେ କ’ଣ ନିଷ୍ପତ୍ତି କଲେ ତାହା ଜାଣିବାକୁ ଅପେକ୍ଷା କରିଛି। ଆଶା କରୁଛି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସେମାନେ ମୋର ଉଦ୍‌ବେଗକୁ ବିବେଚନା କରିବେ।’’

ସୂଚନାଯୋଗ୍ୟ, ଓଏଫ୍‌ଡିସି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ରାଜ୍ୟ ପ୍ରଯୋଜକ ସଂଘ ଅଭିନେତା ମନୋଜ ମିଶ୍ରଙ୍କ ଉପରେ ଲଗାଇଥିବା ୨ ବର୍ଷୀୟ ବ୍ୟାନ୍ ହଟାଇବାକୁ ରାଜି ହୋଇଛି। ବୈଠକ ପରେ ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ପ୍ରଯୋଜକ ଟୁଟୁ ନାୟକ ମନୋଜ ମିଶ୍ରଙ୍କ ଉପରୁ ଵ୍ୟାନ୍ ହଟାଇ ଦେବା ଲାଗି ରାଜି ହୋଇଛନ୍ତି। ଅନ୍ୟପଟେ ଅଭିନେତା ଅରିନ୍ଦମ କହିଛନ୍ତି ଯେ ମୋର ଫିଲ୍ମ ‘ରାମ୍’କୁ  ବ୍ୟାନ କରିବାକୁ ଯେଉଁଭଳି ଉଦ୍ୟମ ହୋଇଥିଲା ସେଥିପାଇଁ ମୁଁ ପ୍ରଯୋଜକ ସଂଘ ପାଖକୁ ଏହି ଅଭିଯୋଗ ନେଇ ଯାଇଥିଲି ଓ ସେମାନେ ତା’ ପରେ ମନୋଜ ମିଶ୍ର ଉପରେ ବ୍ୟାନ ଲଗାଇଥିଲେ। ହେଲେ ଏହି ଘଟଣା ପରେ ବହୁ ଚେଷ୍ଟା କରିଛି ମନୋଜ ମିଶ୍ରଙ୍କ ସହ ଯୋଗାଯୋଗ କରି ସମାଧାନ ପାଇଁ। ମାତ୍ର ସେ ମେସେଜ୍ କିଂବା କଲର ଉତ୍ତର ଦେଇନାହାନ୍ତି। ଆଜି ଆମେ ସମସ୍ତେ ଆସି ଆଲୋଚନା କଲୁ ଓ ବ୍ୟାନ୍ ଉଠାଇବାକୁ ବି ରାଜି ହେଲୁ। ସେହିପରି ଏହି ବୈଠକରେ ଯୋଗ ଦେଇଥିବା ରାଜ୍ୟ ସିନେ କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି ପ୍ରଯୋଜକ ସଂଘ ପକ୍ଷରୁ ଆଜି ଏଠାରେ ଉପସ୍ଥିତ ଥିବା ସଦସ୍ୟ  ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବା ପାଇଁ ରାଜି ହୋଇଛନ୍ତି।

ସମ୍ବନ୍ଧିତ ଖବର