ନୂଆଦିଲ୍ଲୀ: ନିକଟରେ ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସ ଓ ଚିରାଗ ଦିଲ୍ଲୀରେ ଆୟୋଜିତ ରାମଲିଲାରେ କୁମ୍ଭକର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ମୃତ କଳାକାର ବିକ୍ରମ ତନେଜା ଟେଲିଭିଜନ ଅଭିନେତା ନମିଷ ତନେଜାଙ୍କ ବାପା ଥିଲେ।
ବାପାଙ୍କ ମୃତ୍ୟୁ ପରେ ନମିଷ ତନେଜା କହିଛନ୍ତି, ‘ମୁଁ କେବଳ ମୋ ବାପାଙ୍କୁ ହରାଇ ନାହିଁ, ଜୀବନର ସବୁକିଛି ଶେଷ ହୋଇଗଲା ଭଳି ଲାଗୁଛି।। ସେ ମୋ ଶରୀର ଅଂଶ ଥିଲେ। ବାପା ଚାଲିଗଲେ ନାହିଁ ଯେ ସବୁକିଛି ଭାଙ୍ଗିଗଲା। ମୋତେ ମୋ ମା’ ଓ ପରିବାର ପାଇଁ ଦମ୍ଭ ଧରିବାକୁ ହେବ। ଏଭଳି ଦୁଃଖ ସମୟରେ ମା’କୁ ସମ୍ଭାଳିବାକୁ ହେବ। କାରଣ ବାପାଙ୍କ ଏଭଳି ମୃତ୍ୟୁକୁ ଆମ ପରିବାରର ସଦସ୍ୟ ସହଜରେ ଗ୍ରହଣ କରି ପାରୁ ନାହାନ୍ତି।
ସୂଚନା ଅନୁଯାୟୀ, ମୁମ୍ବାଇର ବାସିନ୍ଦା ୬୦ ବର୍ଷୀୟ ବିକ୍ରମ ତାନେଜା ପ୍ରତିବର୍ଷ ରାମଲିଲାରେ କୁମ୍ଭକର୍ଣ୍ଣ ଭୂମିକାରେ ଅଭିନୟ କରୁଥିଲେ। ଚଳିତ ବର୍ଷ ଆୟୋଜିତ ହୋଇଥିବା ରାମଲିଲାରେ କୁମ୍ଭକର୍ଣ୍ଣ ଭୂମିକାରେ ଅଭିନୟ ସାରିବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା। ସେ ଚେତାଶୂନ୍ୟ ହୋଇଗଲେ। ତାଙ୍କ ସହକର୍ମୀମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। କିଛି ସମୟ ସେଠାରେ ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ।