ପହିଲି ପୁଲକ: ଫାଇଟ୍ ବେଳେ ମୋର ବର୍ଣ୍ଣ ଯାହା ଥିଲା, ଡ୍ରାମା-ଡ୍ୟାନ୍ସ ବେଳକୁ ବଦଳିଗଲା

ରାଜଦୀପ୍, ଅଭିନେତା

ମୁଁ ଅଫିସ୍ କାମ ସାରି ସବୁଦିନ ପ୍ରାୟ ରାତି ୧୧ଟା ପରେ ଘରକୁ ଫେରେ। ଦିନେ ଫେରିବା ବେଳକୁ ବାଟରେ ଗୋଟେ ହମ୍ପ୍‌ସ ଉପରେ ମୋ ଗାଡ଼ି ପାର ହେଉଛି, ହଠାତ୍ ଜଣେ ଯୁବକ ମୋ ଆଡ଼କୁ ମାଡ଼ିଆସିଲା। ପୂରାପୂରି ଆଗ୍ରେସିଭ୍ ମୁଡ୍‌ରେ ମୋ ଗାଡ଼ିଟାକୁ ଅଟକାଇବାକୁ ଚେଷ୍ଟା କଲା। ଆଶଙ୍କା କଲି ସେ କିଛି ଦୁର୍ଘଟଣା ଘଟେଇବନି ତ! ମୁଁ ଅଟକିଗଲି। ସେ କହିଲା- କ’ଣ ଚନ୍ଦନ ଭାଇ ଆମକୁ ଆପଣ ବିଲକୁଲ ଭୁଲିଗଲେଣି। ହଠାତ୍ ମୁଁ ମନେ ପକେଇଲି ଯେ ଅତୀତରେ ଅଭିନୟ କରୁଥିଲି ଏବଂ ଏବେ ବି ମୋର କିଛି ପ୍ରଶଂସକ ଅଛନ୍ତି। ବେଶ୍ କିଛିଦିନ ହେବ ମୁଁ ଆକ୍ଟିଂରୁ ମୁହଁ ଫେରାଇ ନିଜ ବ୍ୟବସାୟରେ ଜଡ଼ିତ। ଆଉ ଅଭିନୟ ଦୁନିଆକୁ ଫେରିବାକୁ ମୋ ଭିତରେ ଆଗ୍ରହ ଆସୁନି।

ତେବେ ସେଦିନ ରାତିରେ ସେଇ ଯୁବକଙ୍କ ‘ଚନ୍ଦନ ଭାଇ’ ସମ୍ବୋଧନରେ ମୁଁ ଚିଇଁକି ଉଠିଲି। ଭାବିଲି ମୋତେ ପୁଣି ବୋଧେ ଅଭିନୟ ଜଗତକୁ ଫେରିବାକୁ ପଡ଼ିବ। ସତକୁ ସତ ମୋ ଭିତରେ ଅଭିନୟର ନିଶା ଜାଗ୍ରତ ହେବା ବେଳକୁ ମୋତେ ଡାକରା ଆସିଲା। ମୁଁ ଅଫିସ୍‌ରେ ବସିଥାଏ। ନିର୍ଦ୍ଦେଶକ ସଞ୍ଜୟ ନାୟକ ସନ୍ଧ୍ୟା ୮ଟା ବେଳେ ଫୋନ୍ କଲେ। କହିଲେ- ରାଜଦୀପ୍ ଆକ୍ଟିଂ କରିବ? ମୁଁ କହିଲି- ହଁ କରିବି। ସେ କହିଲେ- ମୁଁ ତ ପ୍ରସ୍ତାବ ଦେଇଛି, ହେଲେ ପ୍ରଯୋଜକ କହୁଛନ୍ତି ତୁମ ଫଟୋ ଦେଖିବାକୁ। ତୁମର କିଛି ରିସେଣ୍ଟ୍‌ ଫଟୋଗ୍ରାଫ୍‌ ପଠାଅ। କିଛିଦନ ତଳେ ମୁଁ ଫ୍ୟାମିଲି ନେଇ କୋଲ୍‌କାତା ଯାଇଥିଲି। ସେଠାରେ ଆମେ ଇକୋପାର୍କରେ ବୁଲିବାବେଳେ ମୋ ପତ୍ନୀ ମୋର ଦୁଇଚାରିଟା ଫଟୋ ଉଠେଇଥିଲେ। ସେଇ ଫଟୋ ପଠେଇଦେଲି। ଏହାପରେ ମୋତେ ଫୋନ୍ ଆସିଲା। ମୁଁ ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ସହ ପ୍ରଯୋଜିକା ଲିପ୍‌ସା ମିଶ୍ର ଏବଂ ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କୁ ସାକ୍ଷାତ କଲି। ମୋତେ ସ୍କ୍ରିପ୍ ଶୁଣେଇଲେ, ମୋ ଚରିତ୍ର ବିଷୟରେ କହିଲେ, ମୋତେ ଠିକଠାକ୍ ଲାଗିଲା। ଚଳଚ୍ଚିତ୍ରର ଟାଇଟଲ୍ ‘ଏଇ ରାକ୍ଷୀ ତୋ ରକ୍ଷା କବଚ’। ଏତେ ଦିନର ବ୍ୟବଧାନ ପରେ ମୁଁ ଅଭିନୟକୁ ଫେରିଲି ଯେ କିନ୍ତୁ ମୋତେ ଚରିତ୍ର ନୁହେଁ ଖଳନାୟକ ଭୂମିକା ମିଳିଲା। ମୁଁ ରାଜି ହେଲି, ଅଭିନୟ କଲି ଏବଂ ମୋତେ ଲାଗିଲା ପୂର୍ବଠାରୁ ମୁଁ ମେଚ୍ୟୁୟର ହେଇଯାଇଛି।

facebook.com

ମୋତେ ପ୍ରଥମେ ସୁଯୋଗ ମିଳିଥିଲା ‘ଓ ମାଇଁ ଲଭ୍’ ସିନେମାରେ। ଅଭିନେତା ବାପୁ ଲେଙ୍କା ପ୍ରଯୋଜକ ପ୍ରଭାଂଶୁ ସାମନ୍ତରାୟ ଓ ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ପାଖରେ ମୋ ନାଁ ସୁପାରିସ କରିଥିଲେ। ସେତେବେଳକୁ ଅବଶ୍ୟ ମୁଁ ଅଭିନୟ ପାଇଁ ପ୍ରସ୍ତୁତ ଥିଲି। ତାଇକୋ‌ଏଣ୍ଡୋ ଶିଖୁଥିଲି, ଜିମ୍ ଯାଉଥିଲି, ଦୁଇଟି ଟେଲିସିରିଏଲ୍‌ରେ ଅଭିନୟ କରୁଥିଲି। ମୁଁ ସେମାନଙ୍କୁ ସାକ୍ଷାତ କଲି। ସେମାନେ ମୋତେ ପଚାରିଥିଲେ ଆକ୍ଟିଂ, ଫାଇଟିଙ୍ଗ୍ ଓ ଡ୍ୟାନ୍ସ ଭିତରୁ ତୁମର କେଉଁଟି ଅଧିକ ପସନ୍ଦ। ମୁଁ କହିଲି ‘ଫାଇଟ୍’। ସେମାନେ ପ୍ରଥମେ ଫାଇଟ୍ ସିନ୍‌ର ସୁଟିଂ ଦିନ ଧାର୍ଯ୍ୟ କରିଦେଲେ। ମୁଁ ଦିନ ଗଣୁଥାଏ, ନର୍ଭସ୍ ଲାଗୁଥାଏ। ମୁଁ ବାପୁ ଭାଇଙ୍କୁ ଫୋନ୍ କଲି। ସେ କହିଲେ- ତୁମେ କଟକ ଆସ। ପହଞ୍ଚିବା ପରେ ସେ ମୋତେ ଏକ ଷ୍ଟୁଡିଓ ଭିତରେ ବସେଇ କିଛି ଫାଇଟ୍ ରସେସ୍‌ରୁ ସିଦ୍ଧାନ୍ତ ମହାପାତ୍ରଙ୍କର ଫାଇଟ୍ ସଟ୍ ଦେଖେଇଲେ। ମୁଁ ଦେଖିବା ପରେ ମୋ ଭିତରେ ଆତ୍ମବିଶ୍ବାସ ସୃଷ୍ଟି ହେଲା।

ଆମ ଗାଁ ପାଖରେ ଦକ୍ଷିଣକାଳୀ ମନ୍ଦିର। ମନ୍ଦିରକୁ ଲାଗି ପୋଖରୀ। ମୁଁ ପାଣି ଭିତରେ ବୁଡ଼ମାରି ସିଧା ମନ୍ଦିର ଭିତରେ ମା’ଙ୍କୁ ମୁଣ୍ଡିଆ ମାରୁଛି। ଏହା ଥିଲା ମୋର ପ୍ରଥମ ସଟ୍। ଗାଁ ଲୋକ ମୋତେ ଦେଖିବାକୁ ଭିଡ଼ ଜମେଇଥିଲେ, ମୁଁ ଖୁସିରେ ଆତ୍ମହରା ହେଇଗଲି। ଭୁବନେଶ୍ବର ଉପକଣ୍ଠରେ ଥିବା ଘାଟିକିଆଠାରେ ଆରମ୍ଭ ହେଲା ଫାଇଟ୍ ସୁଟ୍। ଆର. ରାଜୁ ଯିଏ ରଜନୀକାନ୍ତଙ୍କ ବ୍ୟକ୍ତିଗତ ଫାଇଟ୍ ମାଷ୍ଟର। ସେ ମୋ ଫାଇଟ୍ ସଟ୍ ଦେଖି କହିଲେ- ଆରେ ତୁ ତୋ ଅଚ୍ଛା ଫାଇଟ୍ କର ରହା ହୈ। ଏହାପରେ ତାପଙ୍ଗ ଅଞ୍ଚଳରେ ଫାଇଟ୍ ସିନ୍ ସୁଟ୍ ହେଲା। ଗରମ ଦିନ, ଉତ୍ତାପ ଥିଲା ପାଖାପାଖି ୪୨/୪୩ ଡିଗ୍ରୀ ସେଲସିୟସ୍। କଂକ୍ରିଟ୍ ପାହାଡ଼ ଉପରେ ଗୋଟେ ବି ଗଛ ନ ଥାଏ। ସେତେବେଳେ ଏସି କାର ତ ସ୍ବପ୍ନ। ଲଣ୍ଡା ପାହାଡ଼ ଉପରେ କେବଳ ଡିଜି ଭ୍ୟାନ୍‌ଟିଏ ଥାଏ। ମୋ ଭିତରେ ଜୋଶ୍ ଥାଏ ମାତ୍ର ପ୍ରତିଟି ଶଟ୍ ପରେ କଷ୍ଟ୍ୟୁମ୍ ମ୍ୟାନ୍‌ଙ୍କଠାରୁ ଟାଉଏଲ୍‌ଟିଏ ଆଣି ତାକୁ ପାରିଦେଇ ଭ୍ୟାନ୍ ତଳେ ଶୋଇଯାଏ। ସଟ୍ ପରେ ସଟ୍; ମୋ ଦେହର ବିଭିନ୍ନ ଅଙ୍ଗ କ୍ଷତାକ୍ତ ହେଇଯାଇଥାଏ। ଫାଇଟ୍ ସୁଟ୍ ସରିଲା। ଏବେ ଡ୍ରାମା ଆଉ ଡ୍ୟାନ୍ସ ସିନ୍‌ର ସୁଟିଂ। ଫାଇଟ୍ ବେଳେ ମୋ ଦେହର ବର୍ଣ୍ଣ ଯାହା ଥିଲା, ଡ୍ରାମା ଆଉ ଡ୍ୟାନ୍ସ ସିନ୍‌ ବେଳକୁ ବଦଳିଗଲା। ଅର୍ଥାତ୍ ମୁଁ ଶୁଖିକି କଳା ପଡ଼ିଯାଇଥିଲି।

ସମ୍ବନ୍ଧିତ ଖବର