ଭୁବନେଶ୍ବର: ସେବା ପାଇଁ ସମ୍ମାନ । ପୁଣି ଅଭିନେତା ସବ୍ୟସାଚୀଙ୍କୁ ମିଳିଛି ଆଉ ଏକ ସମ୍ମାନ । ଜାତୀୟ ପତ୍ରିକା ଆଉଟଲୁକ୍ ପକ୍ଷରୁ ଜାରି ୨୦୨୦ର ଚର୍ଚ୍ଚିତ ବ୍ୟକ୍ତିତ୍ବଙ୍କ ସୂଚୀରେ ସ୍ଥାନ ପାଇଛନ୍ତି ସବ୍ୟସାଚୀ ମିଶ୍ର । ପତ୍ରିକାର ପ୍ରଚ୍ଛଦ କାହାଣୀରେ ଏହି ଦରଦୀ ମଣିଷଙ୍କୁ ସ୍ଥାନୀତ କରାଯାଇଛି । ମହାମାରୀ କାଳରେ ଅସହାୟ ମଣିଷଙ୍କ ସେବା ଓ ସାହାଯ୍ୟ କରି ଚର୍ଚ୍ଚାର ପରିସରକୁ ଆସିଥିଲେ ସବ୍ୟ, ସେଥିପାଇଁ ତାଙ୍କୁ ଆଉଟଲୁକ ‘ପର୍ସନ୍ସ ଅଫ ଦ ଇୟର’ ଭାବେ ମନୋନୀତ କରାଯାଇଛି ।

Advertisment

ସବ୍ୟଙ୍କ ସହ ଆଉ ଜଣେ ଦୁଃଖୀଙ୍କ ବନ୍ଧୁ ସୋନୁ ସୁଦଙ୍କୁ ମଧ୍ୟ ଆଉଟଲୁକ ପର୍ସନ୍ସ ଅଫ ଦ ଇୟର ତାଲିକାରେ ସାମିଲ୍ କରାଯାଇଛି । ସାରା ଦେଶ ପାଇଁ ସେବା, ସହଯୋଗର ସାକ୍ଷାତ ଦେବତା ସାଜିଥିବା ସୋନୁଙ୍କୁ ବି ସମ୍ମାନିତ କରିଛି ଆଉଟଲୁକ୍ । ଏଥିସହ ଲୋକଙ୍କ ଅଧିକାର ପାଇଁ ଲଢେଇ କରୁଥିବା ସାହିନ ବାଗ ଦାଦି ନାଁରେ ପରିଚିତ  ୮୨ ବର୍ଷର ବିଲକିସ ଦାଦିଙ୍କୁ ବି ଏହି ସୂଚୀରେ ରଖାଯାଇଛି । ନାଗରିକତା ଆଇନଠୁ ଚାଷୀଙ୍କ ହକ ପାଇଁ ଲଢି ଚର୍ଚ୍ଚିତ ହୋଇଛନ୍ତି ସାହିନବାଗ ଦାଦି । ସେପଟେ ଭାରତୀୟ କ୍ରିକେଟର ଟି.ନଟରାଜନଙ୍କ ସହ ସୁଶାନ୍ତ ସିଂହଙ୍କ ମୃତ୍ୟୁ ନେଇ ସବୁଠୁ ଚର୍ଚ୍ଚିତ ଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବି ତାଲିକାରେ ସ୍ଥାନ ଦେଇଛି ଆଉଟଲୁକ । ତେବେ ସଙ୍କଟ ସମୟରେ ଶ୍ରମିକଙ୍କ ପାଇଁ ଭଗବାନ ପାଲଟିଥିବା ଦୁଇ ଦେବଦୂତ ସୋନୁ-ସବ୍ୟଙ୍କୁ ସମାଜ ସେବା ପାଇଁ ସମ୍ମାନ ମିଳୁଥିବା ବେଳେ ସବ୍ୟସାଚୀ ପ୍ରଥମ ଓଡିଆ ଯିଏ ଏହି ସମ୍ମାନ ପାଇବାକୁ ଯାଉଛନ୍ତି ।

ମନେପକାନ୍ତୁ, କରୋନା ପାଇଁ ଯେତେବେଳେ ସାରା ଭାରତରେ ତାଲା ପଡିଲା । ଲକଡାଉନ ସଟଡାଉନ ପାଇଁ ସବୁଠି ବାଟ ବନ୍ଦ ହୋଇଗଲା । ଘରକୁ ଫେରିବାକୁ ଲୋକେ ଡହଳବିକଳ ହେଉଥିଲେ, ସେତେବେଳେ ସବ୍ୟଙ୍କୁ ଏହା ବ୍ୟଥିତ କରିଥିଲା । ବାଟଚଲା ଶ୍ରମିକଠାରୁ ବାହାରେ ଫସି ରହିଥିବା ଯୁବକଯୁବତୀଙ୍କୁ ନିଜ ମାଟି ଫେରାଇ ଆଣିବାକୁ ସବ୍ୟ ସାଜିଥିଲେ ସେତୁ। ସଂକ୍ରମଣ ଭୟ ଭିତରେ ଗୋଟେ ପରେ ଗୋଟେ ସାହାଯ୍ୟ କରି ସେ ପାଲଟିଥିଲେ ଓଡ଼ିଶାର ସୁନା ପୁଅ ।

ତେବେ ଖାଲି ଲକଡାଉନ କାହିଁକି ଅନେକ ସମୟରେ ଭିନ୍ନ ଭିନ୍ନ ସ୍ତରରେ ସହଯୋଗର ହାତ ବଢାଇଛନ୍ତି ସବ୍ୟସାଚୀ । କେବେ କେନ୍ଦ୍ରାପଡାର ଭିକ ମାଗୁଥିବା କୁନି ପୁଅକୁ ପାଠ ପଢା ସହ ତା’ ଭଉଣୀକୁ ସିଲେଇ ମେସିନ ଦେବା ହେଉ, ଅବା କଟକର କୁନି ଝିଅକୁ ମୋବାଇଲ ଦେଇ ତା’ ଅନଲାଇନ ପାଠ ପଢାରେ ସହଯୋଗ କରିଥିଲେ ସବ୍ୟ । ଢେଙ୍କାନାଳର ପକ୍ଷାଘାତରେ ପୀଡିତା ବୁଢିମାଉସୀଙ୍କ ଦୁଃଖ ଦେଖି ତାଙ୍କୁ ହ୍ୱିଲ ଚେୟାର ଦେଇଥିଲେ ତ ଭୁବନେଶ୍ୱର ବାଳକାଟି ବିଦୁ ମାଉସୀଠୁ ୬ ହଜାର ଦୀପ କିଣି ତାଙ୍କ ମୁହଁରେ ହସ ଫୁଟାଇଥିଲେ ସେ । ରୁପେଲି ପରଦାର ନାୟକରୁ ସେ ପାଲଟି ଗଲେ ଅସଲ ଜୀବନର ନାୟକ। ଯାତ୍ର ଅଭିନେତ୍ରୀ ରିଙ୍କିଙ୍କୁ ସାହାଯ୍ୟ କଥା କୁହନ୍ତୁ ଅବା ତାରିଣୀଙ୍କ ପାଖକୁ ଲକଡାଉନ ନଡିଆ ପଠାଇ ଭକ୍ତଙ୍କୁ ଖୁସି କରାଇବା; ଏ ସବୁ ମହତ କାମ କରି ସମସ୍ତଙ୍କ ପ୍ରିୟ ପାଲଟିଥିବା ସବ୍ୟଙ୍କୁ ମିଳିଛି ଜାତୀୟସ୍ତରରେ ସ୍ବୀକୃତି ।