ମୁମ୍ବାଇ: ୨୦୧୯ରେ ଦିଲ୍ଲୀର ଡିଜାଇନର ରିପ୍ସି ଭାଟିଆଙ୍କୁ ବିବାହ କରିଥିଲେ ଟେଲି ଅଭିନେତା ଶରଦ ମଲହୋତ୍ରା। ଏବେ ବିବାହର ୪ବର୍ଷ ପରେ ଦୁହିଁଙ୍କ ବୈବାହିକ ଜୀବନ ଠିକରେ ଚାଲିନଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ଦୁହିଁଙ୍କ ସ୍ବଭାବ ଆତ୍ମକୈନ୍ଦ୍ରିକ ହୋଇଥିବା ସହ ଚିନ୍ତାଧାରା ମିଶୁନଥିବାରୁ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହେଉଛି। ହେଲେ ଛାଡପତ୍ର ନେବା ପୂର୍ବରୁ ଶରଦ ନିଜ ବିବାହକୁ ଦ୍ବିତୀୟ ସୁଯୋଗ ଦେବାକୁ ଚାହୁଁଛନ୍ତି।

Advertisment

ଶରଦଙ୍କ ଜଣେ ବନ୍ଧୁ କହିଛନ୍ତି ଯେ, “ଉଭୟଙ୍କର ସ୍ବଭାବ ଆତ୍ମକୈନ୍ଦ୍ରିକ ହୋଇଥିବାରୁ ଆରମ୍ଭରୁ ସେମାନଙ୍କର ସମସ୍ୟା ରହିଆସିଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଦୁହିଁଙ୍କ ସମ୍ପର୍କ ପ୍ରେମରୁ ଆରମ୍ଭ ହୋଇଥିଲା। କିନ୍ତୁ ନିକଟରେ ଦୁହିଁଙ୍କ ସମ୍ପର୍କ ଏକ ଖରାପ ସମୟ ଦେଇ ଗତି କରିଥିଲା। ଝଗଡ଼ା ଏତେ ବଢ଼ିଥିଲା ଯେ, ଦୁହେଁ ଭବିଷ୍ୟତରେ ସାଥୀରେ ରହିବେ କି ନାହିଁ ବୋଲି ଆମେ ସନ୍ଦେହ କରିଥିଲୁ। ଅନ୍ୟ ଏକ କାରଣ ହେଲା ଦୁହେଁ ନିଜ ନିଜ କ୍ୟାରିଅର୍ ଉପରେ ଅଧିକ ଧ୍ୟାନ ଦିଅନ୍ତି ଏବଂ ଅଧିକାଂଶ ସମୟ ପରସ୍ପରଠାରୁ ଅଲଗା ରୁହନ୍ତି। ସାଙ୍ଗ ହୋଇ କମ ରହୁଥିବାରୁ ଦୁହିଁଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ଏବେ ବିବାଦ ହେଲେ ବି ଦୁହେଁ ନିଜ ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରିବା ସହ ଅଧିକ ସମୟ ପରସ୍ପର ସହ ବିତାଇବାକୁ ଚେଷ୍ଟା କରୁଛନ୍ତି। ଦୁହିଁଙ୍କ ପରିବାର ଛାଡପତ୍ର ନନେଇ ବିବାହକୁ ଦ୍ବିତୀୟ ସୁଯୋଗ ଦେବାକୁ ପରାମର୍ଶ ଦେବାରୁ ଦୁହେଁ ଏଭଳି କରିବା ଆରମ୍ଭ କରିଛନ୍ତି।”