ନୂଆଦିଲ୍ଲୀ: ଲୋକଙ୍କୁ ଠକିଛନ୍ତି ବଲିଉଡ ଅଭିନେତା ଶ୍ରେୟସ ତଲପଡେ ଓ ଆଲୋକ ନାଥ। ହରିୟାଣାର ସୋନିପତ ଜିଲ୍ଲାର ମୁର୍ଥଲ ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଠକେଇ ଏବଂ ବିଶ୍ୱାସଘାତକତା କରିଥିବାର ଅଭିଯୋଗ ହୋଇଛି। ଦୁହିଁଙ୍କ ସମେତ ୧୩ ଜଣଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଏହି ଏତଲା ସୋନିପତର ବାସିନ୍ଦା ବିପୁଲ ଅଣ୍ଟିଲ ଦାୟର କରିଛନ୍ତି। ଏହି ମାମଲାଟି ଇନ୍ଦୋରରେ ପଞ୍ଜିକୃତ କମ୍ପାନି 'ହ୍ୟୁମାନ୍ ୱେଲଫେୟାର କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି'ର ପ୍ରଚାର ସହିତ ଜଡିତ। ଶ୍ରେୟସ ତଲପଡେ ଓ ଆଲୋକ ନାଥ ଏହି କମ୍ପାନିର ପ୍ରଚାର କରିଥିବା ବେଳେ କମ୍ପାନିର ମାଲିକ ୫୦ ଲକ୍ଷରୁ ଅଧିକ ଲୋକଙ୍କଠାରୁ କୋଟି କୋଟି ଟଙ୍କା ନେଇ ଫେରାର୍ ହୋଇଯାଇଛନ୍ତି।

Advertisment

ଶ୍ରେୟସ ତଲପଡେ ଏବଂ ଆଲୋକ ନାଥ ଏହି କମ୍ପାନିରେ ନିବେଶ କରିବା ପାଇଁ ବିଜ୍ଞାପନ କରିଥିଲେ। କମ୍ପାନିର ଏକ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି।

ବିପୁଲ ଅଣ୍ଟିଲ ଦାଖଲ କରିଥିବା ଏତଲା ଅନୁଯାୟୀ, ଏହି କମ୍ପାନି ୬ବର୍ଷ ପୂର୍ବେ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲା। ଯଦି ଲୋକମାନେ ସ୍ଥାୟୀ ଜମା (ଏଫଡି) କିମ୍ବା ଅନ୍ୟ ଉପାୟରେ କମ୍ପାନିରେ ନିବେଶ କରନ୍ତି, ତେବେ ସେମାନଙ୍କୁ ପ୍ରଚୁର ଲାଭ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କେବଳ ଏତିକି ନୁହେଁ, ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ମହଙ୍ଗା ଏବଂ ବଡ଼ ହୋଟେଲରେ ସେମିନାର ଆୟୋଜନ କରାଯାଇଥିଲା। ବଲିଉଡ୍ ତାରକାମାନଙ୍କ ମାଧ୍ୟମରେ ପ୍ରଚାର କରାଯାଉଥିଲା । ପ୍ରଥମେ କମ୍ପାନି କିଛି ଲୋକଙ୍କୁ ଲାଭ ଦେଇ ସେମାନଙ୍କ ଲୋଭ ବଢ଼ାଇଥିଲା। କିନ୍ତୁ କୋଟି କୋଟି ଟଙ୍କା ଜମା ହେବା ପରେ ମାମଲା ଭିନ୍ନ ମୋଡ଼ ନେଇଥିଲା। ଯେତେବେଳେ ଲୋକମାନେ ଟଙ୍କା ମାଗିବା ଆରମ୍ଭ କଲେ, କମ୍ପାନି ଅଧିକାରୀମାନେ ସେମାନଙ୍କ ମୋବାଇଲ୍ ଫୋନ୍ ବନ୍ଦ କରିଦେଲେ।

ସେ ଆହୁରି କହିଛନ୍ତି, କମ୍ପାନି ୨୦୨୩ ମସିହାରେ ତାର ପ୍ରକୃତ ରଙ୍ଗ ଦେଖାଇଥିଲା। ଯେତେବେଳେ ଧୀରେ ଧୀରେ ଲୋକମାନେ କମ୍ପାନିର ଅଧିକାରୀମାନଙ୍କ ଉପରେ ଠକେଇର ଅଭିଯୋଗ ଆଣିବା ଆରମ୍ଭ କଲେ, ସେତେବେଳେ କମ୍ପାନିର ମାଲିକମାନେ ସେମାନଙ୍କର ଏଜେଣ୍ଟ ଏବଂ ନିବେଶକଙ୍କ ସହ ସମସ୍ତ ସମ୍ପର୍କ ଭାଙ୍ଗି ଦେଲେ। ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଜନସାଧାରଣଙ୍କ କୋଟି କୋଟି ଟଙ୍କା ନେଇ ପଳାଇଗଲେ। ଏଜେଣ୍ଟମାନଙ୍କ ଦ୍ୱାରା ପରିଚାଳିତ ୨୫୦ରୁ ଅଧିକ ସୁବିଧା କେନ୍ଦ୍ରରେ ତାଲା ପଡ଼ିଗଲା।