ନିଜ ଜୀବନର କୌଣସି କଥାକୁ ପ୍ରଶଂସକଙ୍କ ଠାରୁ ଅଛପା ରଖୁ ନ ଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଅଲାୟା ଏଫ୍ ଅନ୍ୟତମ। ସେ ନିକଟରେ ସାମାଜିକ ଗଣମାଧ୍ୟମ ‘ଇନ୍ଷ୍ଟାଗ୍ରାମ୍’ରେ ‘କିଛି ବି ପଚାର’ ଶୀର୍ଷକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଥିରେ ସେ ନିଜ ଜୀବନଚର୍ଯ୍ୟା, ପସନ୍ଦ ଓ ଭୟ ସମ୍ପର୍କରେ ଅନେକ ରୋଚକ କଥା ପ୍ରକାଶ କରିଛନ୍ତି। ଅଲାୟାଙ୍କର ଜଣେ ପ୍ରଶଂସକ ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରି ପଚାରିଥିଲେ ଯେ ସେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କସ୍ମେଟିକ୍ ସର୍ଜରି କରିଛନ୍ତି କି? ଏହାର ଉତ୍ତରରେ ସେ କହିଥିଲେ ଯେ ସେ କସ୍ମେଟିକ୍ ସର୍ଜରି କରିବା ପାଇଁ ଅତୀତରେ ଭାବିଥିଲେ କିନ୍ତୁ ଏହା କରିବା ପାଇଁ ତାଙ୍କର ସାହସ ନାହିଁ। ତେଣୁ ସେ ଜୀବନରେ କେବେ କୌଣସି ପ୍ରକାର ସୌନ୍ଦର୍ଯ୍ୟୀକରଣ ସର୍ଜରି କରିବେ ନାହିଁ। ଏହା ସହିତ ସେ ନିଜ ତ୍ବଚାର ଯତ୍ନ କିପରି ନିଅନ୍ତି, ଭବିଷ୍ୟତର ଭ୍ରମଣ ଯୋଜନା, ଓଜନବୃଦ୍ଧି ସମସ୍ୟାର ପରିଚାଳନା ଆଦି ସମ୍ପର୍କରେ ପ୍ରଶଂସକଙ୍କୁ ଅବଗତ କରିଥିଲେ।
ଜଣଙ୍କ ଅନୁରୋଧକ୍ରମେ ସେ ଆଙ୍କିଥିବା ସୁନ୍ଦର ଚିତ୍ରଗୁଡ଼ିକୁ ମଧ୍ୟ ଦେଖାଇଥିଲେ। ୨୪ ବର୍ଷୀୟା ଅଲାୟା ହେଉଛନ୍ତି ଅଭିନେତ୍ରୀ ପୂଜା ବେଦୀଙ୍କ କନ୍ୟା। ଚଳଚ୍ଚିତ୍ର ଦୁନିଆରେ ପାଦ ଦେବା ପୂର୍ବରୁ ସେ ନ୍ୟୁୟର୍କ ଫିଲ୍ମ ଏକାଡେମିରୁ ଅଭିନୟରେ ଡିପ୍ଲୋମା ଡିଗ୍ରି ହାସଲ କରିଥିଲେ। ଏହା ଛଡ଼ା ସେ ଜଣେ ପ୍ରଶିକ୍ଷିତା ସମକାଳୀନ ଓ କଥକ ନୃତ୍ୟାଙ୍ଗନା। ୨୦୨୦ରେ ମୁକ୍ତିଲାଭ କରିଥିବା ପାରିବାରିକ ହିନ୍ଦୀ ଚଳଚ୍ଚିତ୍ର ‘ଜଵାନୀ ଜାନେମନ’ ମାଧ୍ୟମରେ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରି ସେ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ଭାବେ ଫିଲ୍ମଫେଆର୍ ପୁରସ୍କାର ପାଇଥିଲେ।
କିନ୍ତୁ ଏହା ପରେ ଦୁଇ ବର୍ଷ ହେଲା ତାଙ୍କର କୌଣସି ଚଳଚ୍ଚିତ୍ର ଆସିନାହିଁ। ତାଙ୍କର କେତେକ ଚଳଚ୍ଚିତ୍ରର ସୁଟିଂ ସରିଯାଇଥିଲେ ହେଁ ନିର୍ମାତାମାନେ ମୁକ୍ତିଲାଭ ପାଇଁ ଉପଯୁକ୍ତ ସମୟ ଅପେକ୍ଷାରେ ଅଛନ୍ତି। ତଥାପି ଅଲାୟା ଧୈର୍ଯ୍ୟ ହରାଇନାହାନ୍ତି ବୋଲି ନିକଟରେ ଏକ ସାକ୍ଷାତକାର ଅବସରରେ ପ୍ରକାଶ କରିଥିଲେ। ଦୀର୍ଘ ସମୟର ବ୍ୟବଧାନ ପରେ ପୁଣି ଥରେ ବଡ଼ ପରଦାରେ ଲୋକଙ୍କ ସମ୍ମୁଖକୁ ଆସିବା ପାଇଁ ସେ ବେଶ୍ ଉତ୍ସାହିତ। ୨୦୧୮ରେ ମୁକ୍ତିଲାଭ କରିଥିବା କନ୍ନଡ଼ ଚଳଚ୍ଚିତ୍ର ‘ୟୁ ଟର୍ଣ୍ଣ’ର ହିନ୍ଦୀ ରିମେକରେ ମୁଖ୍ୟ ଅଭିନେତ୍ରୀ ଭାବେ ସେ ଆଗକୁ ଦେଖାଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/2-6.jpg)