ତିନି ପିଢ଼ି ଏକାଠି : ଜେଜେ କବୀର ବେଦୀ, ମା’ ପୂଜା ବେଦୀଙ୍କ ସହ ଅଭିନେତ୍ରୀ ଆଲାୟା

ଜେଜେ ବାପା କବୀର ବେଦୀ ଓ ମା’ ପୂଜା ବେଦୀଙ୍କ ସହ ଫଟୋ ଉଠେଇ ଅଭିନେତ୍ରୀ ଆଲାୟା ସୋସିଆଲ୍ ମିଡିଆରେ ସେଆର କରିଛନ୍ତି। ଟେଲିଭିଜନ୍‌ରେ ପ୍ରସାରିତ ପପୁଲାର ରିୟାଲିଟି ସୋ ‘ଦ କପିଲ୍‌ ଶର୍ମା ସୋ’ରେ ଆଲାୟାଙ୍କୁ ସୁଯୋଗ ମିଳିଥିଲା। ସୈଫ୍ ଅଲ୍ଲୀ ଖାନ୍‌ ଓ ତବୁଙ୍କ ସହ ଏକ ପ୍ରମୁଖ ଭୂମିକାରେ ଆସି ସେ ପ୍ରଥମେ ‘ଜୱାନୀ ଦିୱାନୀ’ ଚଳଚ୍ଚିତ୍ର ମାଧ୍ୟମରେ ଦଶର୍କଙ୍କ ନଜରକୁ ଆସିଥିଲେ। ଏହାପରେ ସୋସିଆଲ୍ ମିଡିଆରେ ଆଲାୟା ନିଜର ଗ୍ଲାମର ଲୁକ୍ ଓ ଅଭିନୟର ଛବି ପୋଷ୍ଟ କରି ଆହୁରି ଅଧିକ ଲୋକପ୍ରିୟ ହେଇଛନ୍ତି।

ନିକଟରେ ସେ ‘ଫିଲ୍ମ ଫ୍ୟାମିଲି’ ଶୀର୍ଷକରେ ଜେଜେ ବାପା ଓ ମା’ଙ୍କ ସହ ଏକ ଫଟୋ ପୋଷ୍ଟ କରି ଆହୁରି ଚର୍ଚ୍ଚାକୁ ଆସିଛନ୍ତି। ଫଟୋ ତଳେ ସେ ଏକ ସୁନ୍ଦର କ୍ୟାପ୍‌ସନ୍ ଲେଖିଛନ୍ତି ‘ଥ୍ରୀ ଜେନେରେସନ୍ସ ଅଲ୍ ଟୁଗେଦର।’ ଅର୍ଥାତ ଜେଜେ ବାପା, ମା’ ଓ ଆଲାୟା ଏଫ୍ ଏକାଠି କପିଲ୍‌ ଶର୍ମା ସୋ’ରେ ବସିଥିଲେ। ଏହା ଆଲାୟାଙ୍କ ପାଇଁ ଜୀବନର ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ହୋଇରହିବ ବୋଲି ସେ କହିଛନ୍ତି। ଅନୁରାଗ କାଶ୍ୟପଙ୍କ ନିର୍ଦ୍ଦେଶିତ ‘ଡିଜେ ମୋହବତ’ରେ ମଧ୍ୟ ଅଲାୟାଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଥିଲା। ଆଗାମୀ ଚଳଚ୍ଚିତ୍ରରେ ଆଲାୟାଙ୍କୁ ରାଜକୁମାର ରାଓଙ୍କ ବିପକ୍ଷର ନାୟିକା ଭାବେ ଦେଖିବାକୁ ମିଳିବ।

ଦର୍ଶକ ତ ପୂଜା ବେଦୀଙ୍କୁ ଜାଣନ୍ତି। ଚଳଚ୍ଚିତ୍ର ‘ଜୋ ଜିତା ଓହି ସିକନ୍ଦର’, ‘ଓ ଫିର୍ ତେରି କହାନୀ ୟାଦ ଆୟି’ରେ ସେ ଥିଲେ ମୁଖ୍ୟ ନାୟିକା। କବୀର ବେଦୀଙ୍କ ପରିଚୟ ଦେବାକୁ ପଡ଼ିବନି। ଖୁନ୍ ଭରି ମାଙ୍ଗ୍, ମେ ହୁଁ ନା, ଦିଲୱାଲେ ଭଳି ଚଳଚ୍ଚିତ୍ରରେ ତାଙ୍କ ଭାବପ୍ରବଣ ଅଭିନୟ ଦର୍ଶକଙ୍କ ହୃଦୟସ୍ପର୍ଶ କରିଥିଲା। ସେପାଖେ କପିଲ୍‌ଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ, ଏପାଖେ କବୀର ପୂଜା ଓ ଆଲାୟାଙ୍କୁ ବି ଧନ୍ୟବାଦ ଦେବାକୁ ପଡ଼ିବ। କପିଲ୍‌ ଗୋଟିଏ ପରିବାରର ତିନି ପିଢ଼ିର କଳାକାରଙ୍କୁ ଏକାଠି କରିବା ଏବଂ କବୀର, ପୂଜା ଓ ଆଲାୟା ଗୋଟିଏ ସୋ’ରେ ଏକାଠି ପହଞ୍ଚିବା ଦର୍ଶକଙ୍କୁ ଚକିତ ଓ ଉଲ୍ଲସିତ କରିଛି।

ସମ୍ବନ୍ଧିତ ଖବର