ପିତାମାତାଙ୍କ ସ୍ବପ୍ନର ରୂପାୟନ କଲେ ଅଭିନେତ୍ରୀ ଅଞ୍ଜଳି

ନିଜ ସନ୍ତାନମାନଙ୍କ ଭବିଷ୍ୟତ ପାଇଁ ପ୍ରତ୍ୟେକ ପିତାମାତା କିଛି ନା କିଛି ସ୍ବପ୍ନ ଗଢ଼ିଥିଲେ ହେଁ ସେମାନେ ତାହା ସବୁବେଳେ ପ୍ରକାଶ କରିନଥା’ନ୍ତି। ତେବେ ନିଜ ପିତାମାତାଙ୍କର ସ୍ବପ୍ନକୁ ସାକାର କରିବାର ସୌଭାଗ୍ୟ କ୍ବଚିତ୍‌ ସନ୍ତାନଙ୍କ ଭାଗ୍ୟରେ ଜୁଟିଥାଏ। ତେଲୁଗୁ/ତାମିଲ ଅଭିନେତ୍ରୀ ଅଞ୍ଜଳି ସେଭଳି ବିରଳ ସନ୍ତାନମାନଙ୍କ ମଧ୍ୟରୁ ଜଣେ ଯିଏ ନିଜ ପିତାମାତାଙ୍କର ସ୍ବପ୍ନକୁ ନିଜ ଅଲକ୍ଷ୍ୟରେ ବାସ୍ତବ ରୂପ ଦେଇ ସେମାନଙ୍କ ମୁହଁରେ ଅଲିଭା ହସ ଫୁଟାଇ ପାରିଛନ୍ତି। ତାହାର ବରଦାନ ସ୍ବରୂପ ସେ ନିଜ ପାଇଁ ଅଜସ୍ର ଖ୍ୟାତି ଓ ପ୍ରତିଷ୍ଠା ହାସଲ କରିପାରିଛନ୍ତି।

ତାଙ୍କ ୧୫ ବର୍ଷର ଅଭିନୟ ଜୀବନ ଭିତରେ ସେ ୫୦ ସରିକି ସିନେମାରେ ନିଜର ଚମତ୍କାରିତା ଦେଖାଇବା ସହ ୧୬ଟି ଜାତୀୟ ସ୍ତରର ପୁରସ୍କାର ହାସଲ କରିବା ହେଉଛି ତାଙ୍କ ଅନନ୍ୟ ଦକ୍ଷତାର ପ୍ରମାଣ। ଆନ୍ଧ୍ର ପ୍ରଦେଶର ଏକ ମଧ୍ୟବିତ୍ତ ପରିବାରରେ ୧୯୮୬ ଜୁନ୍‌ ୧୬ ତାରିଖରେ ଜନ୍ମିତ ଅଞ୍ଜଳିଙ୍କର ପିଲାଟି ବେଳୁ ସିନେମା ପ୍ରତି ଆକର୍ଷଣ ଥିଲା। ତେଣୁ ସ୍ନାତକ ଡିଗ୍ରି ହାସଲ ପରେ ସେ କିଛି କ୍ଷୁଦ୍ର ସିନେମାରେ ଅଭିନୟ କରିବା ଆରମ୍ଭ କରିଥିଲେ। ଏହା ତାଙ୍କୁ ପ୍ରକୃତ ଫିଲ୍ମ ଦୁନିଆରେ ଆସ୍ଥାନ ଜମାଇବା ପାଇଁ ବାଟ କଢ଼ାଇ ନେଇଥିଲା। ଅବଶ୍ୟ ବଡ଼ ପରଦାରେ ଆସିବାର ପ୍ରଥମ ସୁଯୋଗ ତାଙ୍କୁ ମିଳିଥିଲା ୨୦୦୩ରେ ତାମିଲ ଫିଲ୍ମ ‘ସାନ୍ତାମିତ୍ରି ମୁଥାମିଡୁ’ରେ। ମାତ୍ର କୌଣସି କାରଣରୁ ତାହା ମୁକ୍ତିଲାଭ କରିନଥିଲା।

ତାହାପରେ ଉକ୍ତ ଫିଲ୍ମର ନିର୍ଦ୍ଦେଶକ ଅଞ୍ଜଳିଙ୍କୁ ନେଇ ଆଉ ଦୁଇଟି ଚିତ୍ର ଆରମ୍ଭ କରିଥିଲେ। ମାତ୍ର ସେହି ଦୁଇଟିକୁ ମଧ୍ୟ ଅନୁରୂପ ଦଶା ଭୋଗିବାକୁ ପଡ଼ିଥିଲା। ଏଥିରେ ଅଞ୍ଜଳି ହତୋତ୍ସାହିତ ହୋଇ ଗ୍ଲାମର ଜୀବନ ସୁହାଉନି ବୋଲି ଆଶଙ୍କା ପ୍ରକଟ କରିଥିଲେ। ମାତ୍ର ପରିବାର ଲୋକ ତାଙ୍କୁ ଏ କ୍ଷେତ୍ରରେ ସଂଘର୍ଷ ଜାରି ରଖିବାକୁ ପ୍ରବର୍ତ୍ତାଇଥିଲେ। ଏହି ଅବସରରେ ସେ ବିଭିନ୍ନ ବିଜ୍ଞାପନ ପାଇଁ ମଡେଲିଂ ଆରମ୍ଭ କରିଦେଇଥିଲେ। ତେଲୁଗୁ ନିର୍ଦ୍ଦେଶକ ଶିବ ନାଗେଶ୍ବର ରାଓ ଅଞ୍ଜଳିଙ୍କୁ ଆବିଷ୍କାର କରି ୨୦୦୬ରେ ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ‘ଫଟୋ’ ପାଇଁ ମନୋନୀତ କରିଥିଲେ। ଏହା ଅଞ୍ଜଳିଙ୍କୁ ତେଲୁଗୁ ଫିଲ୍ମ ‘ପ୍ରେମଲେଖା ରାସ’ ପାଇଁ ସୁଯୋଗ ଆଣିଦେଇଥିଲା।

୨୦୦୭ରେ ତାଙ୍କର ପ୍ରଥମ ତାମିଲ ଫିଲ୍ମ ‘କାତ୍ରାଡୁ ତାମିଝ’ ବ୍ୟାବସାୟିକ ସଫଳତା ଲାଭ କରିବା ସହ ତାଙ୍କୁ ଶ୍ରେଷ୍ଠ ନବାଗତା ଭାବେ ଫିଲ୍ମଫେୟାର ସମ୍ମାନ (ଦକ୍ଷିଣ) ଓ ବିଜୟ ସମ୍ମାନ ମିଳିଥିଲା। ଏହାପରେ ସେ କନ୍ନଡ଼ ଫିଲ୍ମ ‘ହୋଙ୍ଗାନାସୁ’ରେ ମଧ୍ୟ ପ୍ରଥମ ପଦାର୍ପଣ କରି ନିଜ ଅଭିନୟ ପରିସରକୁ ଅଧିକ ବ୍ୟାପ୍ତ କରିଥିଲେ। ସେହିପରି ୨୦୧୦ରେ ତାମିଲ ଫିଲ୍ମ ‘ଅଙ୍ଗାଡ଼ି ଥେରୁ’ ଓ ୨୦୧୧ର ଫିଲ୍ମ ‘ଏଙ୍ଗାୟୁମ୍‌ ଇପୋଥୁମ୍‌’ ପାଇଁ ତାଙ୍କୁ ଏକାଧିକ ସମ୍ମାନ ମିଳିଥିଲା। ସେହିପରି ୨୦୧୮ରେ ମାଲାୟଲୀ ଫିଲ୍ମ ‘ରୋସାପୂ’ରେ ମଧ୍ୟ ପ୍ରଥମ ପଦାର୍ପଣ କରି ଦର୍ଶକ ପରିସରକୁ ଆଉ ଟିକେ ପରିବ୍ୟାପ୍ତ କରିଥିଲେ। ଏଥି ସହିତ ପଛକୁ ପଛ ବିଭିନ୍ନ ଦକ୍ଷିଣ ଭାରତୀୟ ଭାଷାର ସିନେମାରେ ନିଜର ଦକ୍ଷତା ପ୍ରତିପାଦନ କରିବା ଜାରି ରଖିଥିଲେ। ଗତବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ କନ୍ନଡ଼ ଫିଲ୍ମ ‘ବୈରୈଗୀ’ ଯଥେଷ୍ଟ ଲୋକପ୍ରିୟତା ହାସଲ କରିଥିବା ବେଳେ ଚଳିତବର୍ଷର ତେଲୁଗୁ ଫିଲ୍ମ ‘ମଚେର୍ଲା ନିୟୋଜକବର୍ଗମ୍‌’ ମଧ୍ୟ ସମୀକ୍ଷକ ଓ ପ୍ରଶଂସକମାନଙ୍କୁ ମୁଗ୍ଧ କରିଛି।

ସମ୍ବନ୍ଧିତ ଖବର