ଭୁବନେଶ୍ୱର: ଏକଦା ବେଶ ଚର୍ଚ୍ଚାରେ ଥିବା ଦେବଯାନୀ ପୁଣି ଫେରୁଛନ୍ତି ଓଲିଉଡକୁ ତା’ ପୁଣି ଲିଡ୍‌ ରୋଲ୍‌ରେ । ସିଧାସଳଖଭାବେ କହିବାକୁ ଗଲେ ଦେବଯାନୀ ଏକ ନୂଆ ଓଡ଼ିଆ ଛବିରେ ନାୟିକା ଭୂମିକାରେ ଆସୁଛନ୍ତି। ହଁ, ସେ ରାୟ ମିଡିଆ କମ୍ୟୁନିକେସନ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ସିନେମା ‘ଅଜାତ ଶତ୍ରୁ’ ରେ ସେ ଜଣେ ନବାଗତ ନାୟକଙ୍କ ବିପକ୍ଷରେ ଅଛନ୍ତି । ଏହି ନବାଗତ ଜଣକ ହେଲେ ସୋହମ ସିଂହ । ଏହି ଫିଲ୍ମରେ ଦେବଯାନୀଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ନିକିତା । ଏହି ସିନେମାରେ ଆଉଜଣେ ନାୟିକା ବି ଅଛନ୍ତି। ସେ ହେଲେ ନବାଗତା ସାଧ୍ୱୀ।ଏତଦ୍‌ ବ୍ୟତୀତ ମନୋଜ ମିଶ୍ର, ଶକ୍ତି ବରାଳ, ସଲିଲ ମିତ୍ର ଓ କାଳୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

Advertisment

ସିନେମାର କାହାଣୀ ଅନୁଯାୟୀ ନାୟକ ରାଜ୍‌ ଜଣେ ସମ୍ଭ୍ରାନ୍ତ ପରିବାରର ଦାୟାଦ। ତାକୁ ପିଲାଦିନରୁ ନିକିତା ଭଲ ପାଉଛି। ଘଟଣାକ୍ରମେ ନିକତା ଜଣେ ପୁଲିସ୍‌ ଅଧିକାରୀ ହୋଇଯାଏ। ଏଣେ ରାଜ୍‌ ଏକ ମିଛ କେସରେ ଫସିଯାଏ। ତେବେ ନିକିତା କ’ଣ କରେ । ସେ ସତ୍ୟର ସାମ୍ନା କରିବାରେ ସକ୍ଷମ ହୁଏ କି ନା ଏବଂ ନିଜର ପ୍ରେମିକକୁ ନିର୍ଦ୍ଦୋଷ ପ୍ରମାଣିତ କରିପାରେ କି ନା ତାହା ଜଣାପଡ଼ିବ ‘ଅଜାତ ଶତ୍ରୁ’ ର କ୍ଲାଇମାକ୍ସରେ। ଅବଶ୍ୟ ଏହାର କାହାଣୀରେ ଏକ ଲଭ ଟ୍ରାଏଙ୍ଗଲ୍‌ ବି ଅଛି। ଏଥିରେ ସୋହମ୍‌ ସିଂହ,ଦେବଯାନୀ ଏବଂ ସାଧ୍ୱୀଙ୍କର ଲଭ ଟ୍ରାଏଙ୍ଗଲ୍‌ ରହିଛି। ତେବେ ଦେବଯାନୀ ଏଥିରେ ଏକ ଦମଦାର ଚରିତ୍ର ପାଇଥିବା ହେତୁ ଖୁବ୍‌ ଉତ୍ସାହିତ ଅଛନ୍ତି। ସବୁଠୁ ବଡ଼ କଥା ହେଲା ସେ ପ୍ରଥମ ସିନେମା ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’ରେ ଜଣେ ଇନଟେଲିଜେନସ୍‌ ଅଫିସରର ଭୂମିକା ପାଇଥିଲେ ହେଲେ ଏବେ ଜଣେ ପୁଲିସ ଅଫିସର୍‌ ବନିଛନ୍ତି ‘ଅଜାତ ଶତ୍ରୁ’ରେ ।

publive-image
ଏହାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ‘ ଚୁପ୍‌ କିଏ ରେ ଆସୁଛି ’ ଓ ‘ଅଞ୍ଜଳି’ ଫେମ୍‌ ବିଶ୍ୱଭୂଷଣ ମହାପାତ୍ର ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଲିଉଡରେ ପ୍ରବେଶ କରିବା ପୂର୍ବରୁ ଦେବଯାନୀ ଆଲବମ୍‌ ଜଗତରେ ହଇଚଇ ସୃଷ୍ଟି କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ହେଲା ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’ । ବିଭୁତି ରାଉତ ରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅବଶ୍ୟ ନାୟିକା ଭୂମିକାରେ ଦେଖିବାକୁ ମିଳି ନ ଥିଲା ଦେବଯାନୀଙ୍କୁ । ଏଥିରେ ଅଭିନେତା ପିଣ୍ଟୁ ନନ୍ଦଙ୍କ ବିପକ୍ଷରେ ନଜର ଆସିଥିଲେ ଦେବଯାନୀ ।ତେବେ ଦେବଯାନୀ ନାୟିକା ସାଜି ଓଡ଼ିଆ ଛବି ‘ ରଙ୍ଗିଲା ଟୋକା ’ ଓ ‘ ଖାସ୍‌ ତୁମରି ପାଇଁ ’ ଆଦିରେ ଅଭିନୟ କରିଛନ୍ତି । ବିଶେଷ କରି ଜଣାଶୁଣା ହାସ୍ୟାଭିନେତା ପପୁ ପମପମଙ୍କ ବିପକ୍ଷରେ ‘ରଙ୍ଗୀଲା ଟୋକା’ରେ ନାୟିକା ଭୂମିକା କରି ବେଶ୍‌ ସଫଳତା ହାସଲ କରିଥିଲେ ।