କଥାରେ କହନ୍ତି, ଭଲରେ ଆରମ୍ଭ ହିଁ ଅଧା କାମ ସାରିଥାଏ। ଅର୍ଥାତ୍‌ କୌଣସି କାର୍ଯ୍ୟ ଉତ୍ତମ ପ୍ରସ୍ତୁତିର ସହ ଆରମ୍ଭ କଲା ମାନେ ତାହା ପ୍ରଥମରୁ ଅଧା ସଂପୂର୍ଣ୍ଣ ହୋଇଯାଇଛି ବୋଲି ଧରିନେବାକୁ ହେବ। ଦକ୍ଷିଣୀ ଅଭିନେତ୍ରୀ କଲ୍ୟାଣୀ ପ୍ରିୟଦର୍ଶନଙ୍କ ପାଇଁ ଅଭିନୟ ଜୀବନ ସେପରି ସହଜ ସାବ୍ୟସ୍ତ ହୋଇଛି। ନିଜ ପିତାଙ୍କର ସୁନାମ ଓ ପ୍ରଭାବ ସତ୍ତ୍ବେ ସେ ସିଧାସଳଖ ଅଭିନୟକୁ ଲମ୍ଫ ନମାରି ପ୍ରଚ୍ଛଦରେ ରହି କିଛି ଦିନ ଅଭିଜ୍ଞତା ସାଉଁଟିଥିଲେ। ପରିଣତି ସ୍ବରୂପ ତାଙ୍କର ପ୍ରଥମ ଚଳଚ୍ଚିତ୍ର ହିଁ ତାଙ୍କ ପାଇଁ ତିନି ତିନିଟା ଜାତୀୟ ସ୍ତରୀୟ ସମ୍ମାନ ଆଣିଦେଇଥିଲା। ତେଲୁଗୁ, ତାମିଲ ଓ ମାଲାୟଲୀ ଭାଷାରେ ଏ ଯାବତ୍‌ ମାତ୍ର ଦଶଟି ସିନେମାରେ ଅଭିନୟ କରି ମଧ୍ୟ ସେ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସଂରକ୍ଷିତ ରଖି ପାରିଛନ୍ତି।

Advertisment

publive-image

୧୯୯୩ ଏପ୍ରିଲ ୫ରେ ଏକ ମାଲାୟଲୀ ପରିବାରରେ ଜନ୍ମ ନେଇଥିବା କଲ୍ୟାଣୀଙ୍କ ପିତା ହେଉଛନ୍ତି ଲୋକପ୍ରିୟ ସିନେ ନିର୍ଦ୍ଦେଶକ ପ୍ରିୟଦର୍ଶନ ସୋମନ ନାୟାର ଏବଂ ମାଆ ଲିସି ଜଣେ ବିଗତ ଦିନର ଦକ୍ଷିଣୀ ଅଭିନେତ୍ରୀ ମଧ୍ୟ। ଆର୍କିଟେକ୍‌ଚର ଡିଜାଇନ୍‌ରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ନିଜ ପିତାଙ୍କ ପରି ଜଣେ ସିନେ ନିର୍ମାତା ହେବାକୁ ତାଙ୍କ ମନରେ ଏକ ଦୁର୍ବଳତା ବସା ବାନ୍ଧିଥିଲା। ତେବେ ସିଙ୍ଗାପୁର ଓ ନ୍ୟୁୟର୍କ ସହରରେ ପାଠ ପଢ଼ିବା ଅବସରରେ ସେ ବିଭିନ୍ନ ଥିଏଟର ଗ୍ରୁପ୍‌ ସମ୍ପର୍କରେ ଆସି ନିଜ ମାତାଙ୍କ ପରି ଜଣେ ଅଭିନେତ୍ରୀ ହେବାର ପନ୍ଥାକୁ ଆଦରି ନେଇଥିଲେ। ତେଣୁ ନ୍ୟୁୟର୍କରୁ ପଢ଼ା ସାରି ଭାରତ ଫେରିଲା ପରେ ସେ ପ୍ରଥମେ ପଣ୍ଡିଚେରିର ଏକ ଥିଏଟରରେ ଅଭିନୟ ତାଲିମ ନେଇଥିଲେ। ତାଙ୍କ ପାଇଁ ଅପାର ସୁଯୋଗ ଥାଇ ସୁଦ୍ଧା ସେ ଫିଲ୍ମରେ ଅଭିନୟ କରିବା ପାଇଁ ଆଦୌ ତରବର ନ ହୋଇ ୨୦୧୩ ମସିହାରେ ପ୍ରଥମେ ହିନ୍ଦୀ ଫିଲ୍ମ ‘କ୍ରିଶ୍‌-୩’ର ଜଣେ ସହକାରୀ ପ୍ରଡକ୍ସନ ଡିଜାଇନର ଭୂମିକା ନିଭାଇଥିଲେ। ସେହିପରି ୨୦୧୬ରେ ତାମିଲ ଫିଲ୍ମ ‘ଇରୁ ମୁଗାନ୍‌’ର ଜଣେ ସହକାରୀ କଳା ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ।

publive-image wikibio.in

ଏହାପରେ ନିଜକୁ ଯଥେଷ୍ଟ ପାରଙ୍ଗମ ବୋଲି ଅନୁଭବ କରି ସେ ୨୦୧୭ରେ ତେଲୁଗୁ ଫିଲ୍ମ ‘ହାଲୋ’ ମାଧ୍ୟମରେ ଅଭିନୟ ଦୁନିଆକୁ ପ୍ରବେଶ କରି ନିଜକୁ ପରଖିଥିଲେ। ଆଉ ସେହି ପ୍ରଥମ ସିନେମା ହିଁ ତାଙ୍କ ପାଇଁ ଶ୍ରେଷ୍ଠ ନବାଗତା ଦକ୍ଷିଣୀ ନାୟିକା ଭାବରେ ‘୬୫ତମ ଫିଲ୍ମଫେୟାର ସମ୍ମାନ’, ତେଲୁଗୁ ଫିଲ୍ମର ଶ୍ରେଷ୍ଠ ନବାଗତା ଭାବରେ ‘ସପ୍ତମ ସୀମା ସମ୍ମାନ’ ଓ ୨୦୧୮ ମସିହାର ଶ୍ରେଷ୍ଠ ନବାଗତା ନାୟିକା ଭାବରେ ‘ଅପସରା ସମ୍ମାନ’ ଆଦି ଜାତୀୟସ୍ତରୀୟ ସ୍ବୀକୃତି ଆଣିଦେଇଥିଲା। ଏହା ପରେ ପରେ ୨୦୧୯ରେ ‘ଚିତ୍ରଲହରି’ ଓ ‘ରଣରଙ୍ଗମ୍‌’ ପରି ସେ ନାୟିକା ସାଜିଥିବା ଅନ୍ୟ ଦୁଇଟି ତେଲୁଗୁ ସିନେମା ଏବଂ ତାମିଲ ଫିଲ୍ମ ‘ହିରୋ’ରେ ତାଙ୍କ ପ୍ରଥମ ପଦାର୍ପଣ ଦର୍ଶକଙ୍କ ଦ୍ବାରା ଆଶାତୀତ ଭାବେ ଗ୍ରହଣୀୟ ହୋଇପାରିଥିଲା। ସେହିପରି ୨୦୨୦ରେ ତାଙ୍କର ପ୍ରଥମ ମାଲାୟଲୀ ଫିଲ୍ମ ‘ବାରଣେ ଅବଶ୍ୟାମୁନ୍ଦ’ରେ ତାଙ୍କର ଅଭିନୟ ଯାଦୁ ତାଙ୍କ ପାଇଁ ଶ୍ରେଷ୍ଠ ନବାଗତା ମାଲାୟଲୀ ନାୟିକା ଭାବେ ‘ଦଶମ ସୀମା ସମ୍ମାନ’ ଆଣିଦେଇଥିଲା। ଏହାପରେ ସେ ଆଉ ଦୁଇଟି ତାମିଲ ସିନେମା ଓ ତିନିଟି ମାଲାୟଲୀ ସିନେମାରେ ଅଭିନୟ କରି ଅନୁରୂପ ପ୍ରଶଂସା ହାସଲ କରିପାରିଛନ୍ତି। ଚଳିତବର୍ଷ ତାଙ୍କ ଅଭିନୀତ ଅନ୍ୟତମ ମାଲାୟଲୀ ଫିଲ୍ମ ‘ଥାଲ୍ଲୁମାଲା’ ଶୁଭମୁକ୍ତି ଅପେକ୍ଷାରେ ଥିବା ବେଳେ ଏ ବର୍ଷ ମଧ୍ୟ ସେ ହିନ୍ଦୀ ସିନେମାରେ ପ୍ରଥମ ପଦାର୍ପଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଦକ୍ଷିଣୀ ଫିଲ୍ମରେ ଯେପରି ସେ ନିଜ ପାଇଁ ଏକ ସ୍ବତନ୍ତ୍ର କୋଠରି ସୃଷ୍ଟି କରିପାରିଛନ୍ତି, ବଲିଉଡ୍‌ରେ ମଧ୍ୟ ଅନୁରୂପ କିମିଆଁ କରିବେ ବୋଲି ସେ ଆଶାବାଦୀ ଅଛନ୍ତି।