ଜଣେ ସଫଳ କଳାକାରର ପେସାଗତ ଜୀବନ କିପରି ପାରିବାରିକ ଭିତ୍ତିଭୂମି ଦ୍ବାରା ସକାରାତ୍ମକ ଭାବେ ପ୍ରଭାବିତ ହୋଇଥାଏ, ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଦକ୍ଷିଣୀ ସିନେ ଅଭିନେତ୍ରୀ କୀର୍ତ୍ତି ସୁରେଶ। ମାଲୟଲୀ ସିନେ ପ୍ରଯୋଜକ ଜି. ସୁରେଶ କୁମାର ଓ ଅଭିନେତ୍ରୀ ମେନକାଙ୍କ କୋଳ ମଣ୍ଡନ କରିଥିବା କୀର୍ତ୍ତିଙ୍କୁ ଶିଶୁ କ​ଳାକାର ଭାବରେ ସିନେମାରେ ସୁଯୋଗ ମିଳିବା ତ ହେଉଛି ତାଙ୍କର ପାରିବାରିକ ପ୍ରୋତ୍ସାହନ। ତେବେ ପିଲାଟି ଦିନୁ ସେହି କଳାକାର ପରିବେଶରେ କାଳ କାଟିଥିବା କୀର୍ତ୍ତି ପରେ ନିଜକୁ ଜଣେ ନାୟିକା ଭାବେ ପ୍ରତିଷ୍ଠିତ କରିପାରିବା ସହ ବାର ବାର ଥର ଜାତୀୟ ସ୍ତରୀୟ ପୁରସ୍କାର ହାତେଇବାର ଶ୍ରେୟ ନିଶ୍ଚୟ ତାଙ୍କ ଦକ୍ଷତାକୁ ହିଁ ମିଳିବ। ଚେନ୍ନାଇରେ ୧୯୯୨ ଅକ୍ଟୋବର ୧୭ ତାରିଖରେ ଜନ୍ମିତ କୀର୍ତ୍ତିଙ୍କର ଅଭିନୟକୁ ଜୀବନର ପେସା କରିବା ତାଙ୍କ ପାଇଁ କିଛି କଷ୍ଟସାଧ୍ୟ ବ୍ୟାପାର ନୁହେଁ। ତେବେ ସେ ଡିଜାଇନିଂକୁ ତାଙ୍କର ଅନ୍ୟତମ ନିଶା ଭାବେ ଗ୍ରହଣ କରିବେ ବୋଲି କହି ଆସିଛନ୍ତି। ମାତ୍ର ସିନେ ଦୁନିଆଁରେ ତାଙ୍କ ବ୍ୟସ୍ତତା ଓ ଲୋକପ୍ରିୟତା ତାଙ୍କୁ ଦ୍ବିତୀୟ ପେସା ଭୁଲିଯିବାକୁ ବାଧ୍ୟ କରିଛି।

Advertisment

ସୂଚନାନୁଯାୟୀ, ତାଙ୍କୁ ମାତ୍ର ଆଠ ବର୍ଷ ବେଳେ ପିତାଙ୍କ ପ୍ରଯୋଜିତ ମାଲାୟଲୀ ଫିଲ୍ମ ‘ପାଇଲଟ୍‌ସ’(୨୦୦୦)ରୁ ଆରମ୍ଭ କରି ‘ଅଚାନେୟନେନିକ୍କିସ୍ତମ୍‌’(୨୦୦୧) ଓ ‘କୁବେରନ୍‌’(୨୦୦୨)ରେ ସେ ଜଣେ ଶିଶୁ କଳାକାର ଭାବେ ପିଲ୍ମ ଦୁନିଆଁ ସହ ଜଡ଼ିତ ହୋଇଥିଲେ। ତେବେ ୨୦୧୩ ମସିହାରେ ମାଲାୟଲୀ ଫିଲ୍ମ ‘ଗୀତାଞ୍ଜଳି’ରେ ନାୟିକା ଭାବରେ ସେ ନିଭାଇଥିବା ଦ୍ବୈତ ଚରିତ୍ରକୁ ଦର୍ଶକ ଖୁବ୍‌ ଗ୍ରହଣ କରିବା ସହ କୀର୍ତ୍ତି ଜଣେ ସ୍ବୟଂ ସଂପୂର୍ଣ୍ଣା ଅଭିନେତ୍ରୀ ବୋଲି ସର୍ବତ୍ର ଚର୍ଚ୍ଚା ହେବା ଆରମ୍ଭ ହୋଇ ଯାଇଥିଲା। ଏଥି ପାଇଁ ତାଙ୍କୁ ୨୦୧୪ରେ ଶ୍ରେଷ୍ଠ ନବାଗତା ନାୟିକା ଭାବେ ତୃତୀୟ ସୀମା ସମ୍ମାନ(ଦକ୍ଷିଣ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ସମ୍ମାନ) ଓ ଶ୍ରେଷ୍ଠ ଚେହେରା ଭାବେ ଷୋଡ଼ଶ ଏସିଆନେଟ୍‌ ଫିଲ୍ମ ସମ୍ମାନ ମିଳିଥିଲା। ତାଙ୍କର ପରବର୍ତ୍ତୀ ସିନେମା ‘ରିଂ ମାଷ୍ଟର’ ମଧ୍ୟ ଅନୁରୂପ ଦର୍ଶକୀୟ ସ୍ବୀକୃତି ଅଜାଡ଼ି ଦେଇଥିଲା।

ଏହାପରେ ସେ ୨୦୧୫ରେ ତାମିଲ ସିନେମା ‘ଇଧୁ ଏନ୍ନା ମାୟମ୍‌’ରେ ପ୍ରଥମ ପଦାର୍ପଣ କରି ଶ୍ରେଷ୍ଠ ଉଦୀୟମତୀ ତାରକା ଭାବେ ଏଡିସନ୍‌ ସମ୍ମାନ ଓ ଶ୍ରେଷ୍ଠ ନବାଗତା ଭାବେ ପଞ୍ଚମ ସୀମା ସମ୍ମାନ ହାସଲ କରିଥିଲେ। ସେହିପରି ୨୦୧୬ରେ ତେଲୁଗୁ ଫିଲ୍ମ ‘ନେନୁ ଶୈଳଜା’ରେ ମଧ୍ୟ ପ୍ରଥମ ପଦାର୍ପଣ କରି ସେ ଜି’ ସିନେ ସମ୍ମାନ ପାଇବାର ଗୌରବ ଅର୍ଜିଥିଲେ। ତେବେ ୨୦୧୭ରେ ଖେଳିଥିବା ତାଙ୍କ ଅଭିନୀତ ତଥା ଅଭିନେତ୍ରୀ ସାବିତ୍ରୀଙ୍କ ଜୀବନୀ ଉପରେ ଆଧାରିତ ତେଲୁଗୁ ଫିଲ୍ମ ‘ମହାନତି’ ହିଁ ତାଙ୍କ ପାଇଁ ଅଜସ୍ର ପ୍ରତିଷ୍ଠା ବରଷି ଦେଇଥିଲା। ଏଥି ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ସମ୍ମାନ ସମେତ ଛଅଟି ଅନ୍ୟ ଜାତୀୟ ସ୍ତରୀୟ ପୁରସ୍କାର ଲାଭ କରିଥିଲେ। ଗତବର୍ଷ ମୁକ୍ତିଲାଭ କରିଥିବା ତାଙ୍କର ତେଲୁଗୁ ଫିଲ୍ମ ‘ରଙ୍ଗ ଦେ’ ଯଥେଷ୍ଟ ଲୋକପ୍ରିୟ ହେବା ସହ ଚଳିତବର୍ଷର ‘ଗୁଡ୍‌ ଲକ୍‌ ସଖି’ ଓ ମାଲାୟଲୀ ଫିଲ୍ମ ‘ବାସି’ ମଧ୍ୟ ଅନୁରୂପ ଦର୍ଶକୀୟ ସ୍ବୀକୃତି ଆଣିଛି। ନିକଟ ଭବିଷ୍ୟତରେ ତାଙ୍କର ଆହୁରି ଦୁଇଟି ତେଲୁଗୁ ଓ ଗୋଟିଏ ତାମିଲ ସିନେମା ମୁକ୍ତିଲାଭ କରିବାକୁ ଥିବା ବେଳେ ଆଗକୁ ତାଙ୍କର ଏହି ଲୋକପ୍ରିୟତା ବଜାୟ ରହିବ ବୋଲି ସମୀକ୍ଷକମାନେ ଭବିଷ୍ୟବାଣୀ କରିଛନ୍ତି।