‘ସଫଳତାର କୌଣସି ସଂଜ୍ଞା ନାହିଁ’ ବୋଲି କହିଛନ୍ତି ‘ଜର୍ସି’ ଅଭିନେତ୍ରୀ ମୃଣାଳ ଠାକୁର। ଅତୀତରେ ସେ ଅଭିନୟ କରିଥିବା ‘ସୁପର ୩୦’ ଏବଂ ‘ବାଟ୍‌ଲା ହାଉସ୍’, ‘ଘୋଷ୍ଟ ଷ୍ଟୋରିଜ୍‌’, ‘ତୋଫାନ୍’, ‘ଧମାକା’ ଆଦି ଦର୍ଶକାଦୃତ ହୋଇଛି। ବିଶେଷ କରି ତାଙ୍କ ଅଭିନୀତ ଚଳଚ୍ଚିତ୍ର ୧୦୦ କୋଟି କ୍ଲବ୍‌ରେ ପ୍ରବେଶ କରିଥିବାରୁ ମୃଣାଳ ସିନେ ଇଣ୍ଡଷ୍ଟ୍ରିର ଦୃଷ୍ଟିଆକର୍ଷଣ କରିଛନ୍ତି। ଚଳିତ ମାସ ତାଙ୍କ ଅଭିନୀତ ‘ଜର୍ସି’ ମୁକ୍ତିଲାଭ କରୁଛି। ଏଥିରେ ମୃଣାଳଙ୍କ ବିପକ୍ଷର ନାୟକ ସାଜିଛନ୍ତି ସାହିଦ କପୁର। ଏହା ବ୍ୟତୀତ ‘ଆଁଖ ମିଚୋଲି’, ‘ଲେପ୍ଟନାଣ୍ଟ ରାମ’, ‘ପିପା’ ଓ ‘ଗୁମ୍‌ରାହ’ରେ ମଧ୍ୟ ତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

Advertisment

ସଫଳତା ପଛର ରହସ୍ୟ କ’ଣ ବୋଲି ପଚାରିଲେ ମୃଣାଳ କହନ୍ତିି ‘ମୁଁ ‌ଯେତେବେଳେ ବଲିଉଡ୍‌ରେ ପ୍ରବେଶ କଲି ସେତେବେଳେ ଇଣ୍ଡଷ୍ଟ୍ରିର କାରିଗର-କଳାକାରଙ୍କଠାରୁ ଆରମ୍ଭ କରି ଦର୍ଶକ; ସମସ୍ତେ ମୋତେ ସ୍ବାଗତ ଜଣାଇଥିଲେ। ପୁଣି ମୁଁ ଅଭିନୟ କରିଥିବା ପ୍ରଥମ ସିନେମା (ସୁପର ୩୦) ଯେତେବେଳେ ୧୦୦ କୋଟି କ୍ଲବ୍‌ରେ ପ୍ରବେଶ କଲା ସେ ଖୁସି କହିଲେ ନ ସରେ। ମୋ ଅଭିନୟକୁ ଯିଏ ଯେତେ ତାରିଫ କଲେ ବି ମୁଁ ସେମାନଙ୍କୁ କହିଛି ଆପଣଙ୍କ ଆଶୀର୍ବାଦ ଥାଉ, ଭବିଷ୍ୟତରେ ମୁଁ ଏହାଠାରୁ ଭଲ ଅଭିନୟ କରେ।’ ମୃଣାଳ ଆହୁରି ମଧ୍ୟ କହିଛନ୍ତି- ତାହା ବିଗ୍ ବଜେଟ୍‌ର ସିନେମା ହେଉ କି ଶହେ କୋଟି କ୍ଲବ୍‌ରେ ପ୍ରବେଶ କରୁ, ସେଥିରେ କିଛି ମତଲବ ନାହିଁ, ଯଦି ସ୍ବଳ୍ପ ବଜେଟ୍‌ର ସିନେମା ଏବଂ ବ୍ୟାବସାୟିକ ସଫଳତା ପାଇ ପାରି ନ ଥିବା ସିନେମା କିଛି ଦର୍ଶକଙ୍କ ହୃଦୟସ୍ପର୍ଶ କରେ, ତେବେ ତାହାକୁ ଏକ ଭଲ ସିନେମା ବୋଲି କୁହାଯିବ। ‘ଜର୍ସି’ ଚଳଚ୍ଚିତ୍ରର ସଙ୍ଗୀତ ସୋସିଆଲ୍ ମିଡିଆକୁ ଆସିବା ‌ପରେ ମୃଣାଳଙ୍କୁ ଦର୍ଶକ ପ୍ରଶଂସାରେ ପୋତି ପକେଇଲେଣି। କେହି କହି କହୁଛନ୍ତି ମୃଣାଳ ହେଉଛନ୍ତି ମନମୋହିନୀ।