ଫିଲ୍ମ ଦୁନିଆଁରେ ଦୀର୍ଘ ଦଶ ବର୍ଷର ଅଭିଜ୍ଞତା ଥାଇ ସୁଦ୍ଧା ତଥାପି ଜଣେ ଶିଶୁଟିଏ ଭଳି ଅଭିନୟର ଉଠାପକା ଖେଳରେ ନିଜକୁ ପାରଙ୍ଗମ କରିପାରିନାହାନ୍ତି ବୋଲି ସ୍ବୀକାର କରିଛନ୍ତି ୨୦୧୦ର ‘ଆନ୍ଧ୍ରପ୍ରଦେଶ ସୁନ୍ଦରୀ’ ଆଖ୍ୟା ହାସଲ କରିଥିବା ନୀଲମ୍ ଗୌରାନି ଓରଫ ନନ୍ଦିନୀ ରାୟ। ଆଗକୁ ନିଜ ଜୀବନର ତଥା ଶିଖିବା ପରିସରର ଦୀର୍ଘ ପଥ ଅତିକ୍ରମ କରିବାକୁ ବାକି ରହିଛି ଏବଂ ପ୍ରଶଂସକମାନଙ୍କ ମନରେ ଏକ ପରିପୃକ୍ତ ଛାପ ଛାଡ଼ିବା ଲାଗି ଜୀବନର ଅନ୍ତିମ କ୍ଷଣ ଯାଏ ମଧ୍ୟ ସେ ଏପରି ଅଧ୍ୟବସାୟ ଜାରି ରଖିବେ ବୋଲି କହିଛନ୍ତି ନନ୍ଦିନୀ। ଅଦ୍ୟାବଧି ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲୀ ଓ କନ୍ନଡ଼ ଭାଷାରେ ୨୦ରୁ ଅଧିକ ସିନେମା ତଥା ୭ଟି ଟେଲି ଧାରାବାହିକରେ ନିଜର ଅଭିନୟ ଯାଦୁ ପରଷିଥିବା ନନ୍ଦିନୀ ତଥାପି ଏ ଦିଗରେ ପୋଖତ ହେବାକୁ ଅଧିକ ଆହ୍ବାନମୂଳକ ଚରିତ୍ରର ଆବଶ୍ୟକତା ରହିଛି ବୋଲି କହିଛନ୍ତି। କେବଳ ଅଭିନୟ କଳାକୁ ବଜାୟ ରଖିବା ଲାଗି ବହୁବିଧ ଭୂମିକାରେ ସେ ଅବତୀର୍ଣ୍ଣ ହୋଇଥିଲେ ହେଁ ନିଜ ମନପସନ୍ଦର ଚରିତ୍ର ତଲାସରେ ସେ ତଥାପି ରହିଛନ୍ତି।

ତେଲେଙ୍ଗାନାର ସିକନ୍ଦରାବାଦରେ ୧୯୮୮ ସେପ୍ଟେମ୍ବର ୧୮ ତାରିଖରେ ଏକ ସିନ୍ଧି ପରିବାରରେ ଜନ୍ମିତ ନନ୍ଦିନୀ ଶିକ୍ଷାରେ ଏମ୍ବିଏ ଡିଗ୍ରି ହାସଲ କରିଛନ୍ତି। ତେବେ ପିଲାଟି ବେଳୁ ସିନେ ଜଗତ୍ର ମାୟାନଗରୀ ମୋହରେ ପଡ଼ି ଆସିଥିବା ନନ୍ଦିନୀ ଆନୁଷ୍ଠାନିକ ଶିକ୍ଷା ପରେ ମଡେଲିଂ ଦୁନିଆରେ ନିଜର ଭାଗ୍ୟ ପରୀକ୍ଷା କରିବାର ପ୍ରାରମ୍ଭରେ ଅନେକ ରଙ୍ଗିନ ପର ତାଙ୍କ ସୌନ୍ଦର୍ଯ୍ୟ ମୁକୁଟରେ ଯୋଡ଼ିପାରିଛନ୍ତି। ୨୦୦୮ରେ ପ୍ରଥମେ ତାଙ୍କୁ ‘ହାଇଦ୍ରାବାଦ ସୁନ୍ଦରୀ’ର ଖ୍ୟାତି ମିଳିବା ପରେ ସେ ଉତ୍ସାହିତ ହୋଇପଡ଼ିଥିଲେ ଏବଂ ପଛକୁ ପଛ ୨୦୦୯ରେ ‘ଆନ୍ଧ୍ରପ୍ରଦେଶର ତାଜା ମୁହଁ’ ଓ ୨୦୧୦ରେ ‘ଆନ୍ଧ୍ରପ୍ରଦେଶର ଚମକପ୍ରଦ ଚାହାଣି ସୁନ୍ଦରୀ’ ଓ ଶେଷରେ ‘ଆନ୍ଧ୍ରପ୍ରଦେଶ ସୁନ୍ଦରୀ’ ହେବାର ଗୌରବ ଲାଭ କରିଥିଲେ। ଏହି ଅବସରରେ ସେ ଅଶୀରୁ ଅଧିକ ବିଭିନ୍ନ ନାମୀ ଦାମୀ କମ୍ପାନିର ବିଜ୍ଞାପନରେ ମଡେଲ୍ ସାଜି ନିଜକୁ ପ୍ରତିଷ୍ଠିତ କରିପାରିଥିଲେ।

ତେବେ ସିନେ ଜଗତ୍କୁ ତାଙ୍କର ପ୍ରଥମ ପଦାର୍ପଣ ହୋଇଥିଲା ୨୦୧୧ ମସିହାର ହିନ୍ଦୀ ଫିଲ୍ମ ‘ଫାମିଲି ପ୍ୟାକ୍’ ଓ ସେହିବର୍ଷ ତେଲୁଗୁ ସିନେମା ‘୦୪୦’ ମାଧ୍ୟମରେ। ଏହା ପରେ ପରେ ତେଲୁଗୁ ଫିଲ୍ମ ‘ହରମୋନ୍ସ’ ଓ ‘ମାୟା’ ସାଙ୍ଗକୁ ମାଲାୟଲୀ ଫିଲ୍ମ ‘ଗୁଡ୍ବାଏ ଡିସେମ୍ବର’, କନ୍ନଡ଼ ଫିଲ୍ମ ‘ଖୁସି ଖୁସିୟାଗି’ ଓ ହିନ୍ଦୀ ଫିଲ୍ମ ‘ଲଗ୍ ଇନ୍’ରେ ତାଙ୍କ ଅଭିନୟକୁ ଆଶାନୁରୂପ ଦର୍ଶକୀୟ ସ୍ବୀକୃତି ମିଳିଥିଲା। ତେବେ ୨୦୧୫ରେ ତେଲୁଗୁ ଫିଲ୍ମ ‘ମୋସାଗାଲ୍ଲାକୁ ମୋସାଗାଡୁ’ରେ ତାଙ୍କର ଜାନକୀ ଚରିତ୍ର ଦର୍ଶକଙ୍କ ମନରେ ଏକ ନିଆରା ଛାପ ପକାଇଥିଲା। ସେହିପରି ୨୦୧୮ର ‘ସିଲି ଫେଲୋଜ୍’ ଓ ୨୦୧୯ର ‘ଶିବରଞ୍ଜନୀ’ ଫିଲ୍ମ ମଧ୍ୟ ତାଙ୍କୁ ଆଶାତୀତ ସଫଳତା ସାଉଁଟିବା ପାଇଁ ସୁଯୋଗ ଆଣିଥିଲା। ଏହି ଅବସରରେ ୨୦୧୮ରେ ଟେଲି ଧାରାବାହିକ ‘ବିଗ୍ ବସ୍-୨’ ଓ ‘ହାଇ ପ୍ରିଷ୍ଟେସ୍’ରେ ତାଙ୍କର ଆବିର୍ଭାବ ପ୍ରଶଂସା କ୍ଷେତ୍ରର ପରିସରକୁ ବଢ଼ାଇ ଦେଇଥିଲା। ଏଥି ସହିତ ଗତବର୍ଷ ଧାରାବାହିକ ‘ଇନ୍ ଦି ନେମ୍ ଅଫ୍ ଗଡ୍’ରେ ତାଙ୍କ ଅଭିନୟ ଅଧିକ ଶାଣିତ ଓ ଆହ୍ବାନ ଭରା ରହିବା ସହ ଦର୍ଶକମାନଙ୍କ ଆବେଗକୁ ଆଉ ପାଦେ ଆଗକୁ ନେଇଯାଇଛି। ତେବେ ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଥିବା ତେଲୁଗୁ ଓ ତାମିଲ ଭାଷାର ଦୁଇଟି ନାମ ଘୋଷଣା ହୋଇନଥିବା ଫିଲ୍ମ ତାଙ୍କୁ ସର୍ବକାଳୀନ ସ୍ବୀକୃତି ଅଜାଡ଼ିଦେବ ବୋଲି ସେ ଆଶା ରଖିଛନ୍ତି।