ମୁମ୍ବାଇ: ପୁଣି ଚର୍ଚ୍ଚାରେ ଓଲିଉଡର ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର। କିିଛି ଦିନ ତଳେ ଅଭିନେତା ବାବୁସାନ ମହାନ୍ତିଙ୍କୁ ନେଇ ବିବାଦରେ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକ ବଡ଼ ସୁଯୋଗ ମିଳିବାକୁ ଯାଉଥିବା ଜଣାପଡ଼ିଛି। ଚର୍ଚ୍ଚା ହେଉଛି ଯେ, ଆଗକୁ ବିଗ୍ ବସର ସିଜିନ-୧୬ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ପ୍ରତିଯୋଗୀ ଭାବେ ନଜର ଆସିବେ ପ୍ରକୃତି। ବଲିଉଡର ଖବର ପ୍ରକାଶ କରୁଥିବା ୱେବସାଇଟ୍ ‘ଫିଲ୍ମିବିଟ୍’ ଏଭଳି ଏକ ଖବର ପ୍ରକାଶ କରିଛି। ପ୍ରକୃତିଙ୍କୁ ବିଗବସରେ ସୁଯୋଗ ମିଳୁଥିବା ନେଇ ଚର୍ଚ୍ଚା ହେଉଛି ବୋଲି ଉକ୍ତ ୱେବସାଇଟ୍ କହିଛି।
#SuperExclusive#BittiBusinessWali fame #PrakrutiMishra CONFIRMED to participate in @ColorsTV #BiggBoss16!!@GossipsTv pic.twitter.com/zmTh9FqtdS
— GossipsTv OFFICIAL (GTv) (@GossipsTv) September 16, 2022
ଓଡ଼ିଶାରେ କିଛି ଫିଲ୍ମ କରିବା ପରେ ମୁମ୍ବାଇ ଚାଲିଯାଇଥିବା ପ୍ରକୃତିଙ୍କୁ ଆଣ୍ଡ ଟିଭିର ଧାରାବାହିକ ବିଟ୍ଟି ବିଜନେସ ୱାଲିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏହା ସହ ସେ ଚର୍ଚ୍ଚିତ ରିୟାଲିଟି ସୋ’ ଏସ୍ ଅଫ୍ ସ୍ପେସ୍-୨ରେ ମଧ୍ୟ ପ୍ରତିଯୋଗୀ ହୋଇଥିଲେ। ଏହି ସୋ’ରେ ତାଙ୍କୁ ଦର୍ଶକଙ୍କ ଭଲ ପାଇବା ମିଳିଥିବା ସହ ବେଶ୍ ଲୋକପ୍ରିୟତା ବି ମିଳିଥିଲା। ତେବେ ନିଜ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ପ୍ରକୃତି କିଛି ଦିନ ତଳେ ବିବାଦୀୟ ହୋଇପଡ଼ିଥିଲେ। ଓଲିଉଡ୍ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତିଙ୍କଠାରୁ ବିଚ୍ ରାସ୍ତାରେ ଧକ୍କା ଓ ଗାଳି ଖାଇବା ପରେ ତାଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏବେ ଏହି ବିବାଦ ତାଙ୍କୁ ବିଗ୍ ବସର ଟିକେଟ ଦେଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପ୍ରକୃତିଙ୍କୁ ବିଗ୍ ବସରେ ସୁଯୋଗ ମିଳିଛି କି ନାହିଁ, ତାହା ବିଗବସ୍ ରିୟାଲିଟି ସୋ’ର ଚୂଡ଼ାନ୍ତ ପ୍ରତିଯୋଗୀ ତାଲିକା ଆସିଲେ ହିଁ ଜଣାପଡ଼ିବ।