ପୁଣି ପରଦାକୁ ଫେରିଲେ ଅଭିନେତ୍ରୀ ପ୍ରିୟା ଚୌଧୁରୀ

ପୁଣି ପରଦାକୁ ଫେରିଲେ ଉପସ୍ଥାପିକା-ଅଭିନେତ୍ରୀ ପ୍ରିୟା ଚୌଧୁରୀ। ଏବେ ସୁଟିଂ ଫ୍ଲୋର୍‌ରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’। ଏଥିରେ ନାୟକ ଅମ୍ଳାନଙ୍କ ବିପକ୍ଷରେ ତିନି ନାୟିକା ଭାବେ ଅବତୀର୍ଣ୍ଣ ହେଇଛନ୍ତି ରିୟା, ପ୍ରିୟା ଓ ରାଗିଣୀ। ଏମାନଙ୍କ ବ୍ୟତୀତ ପପି ସନ୍ତୁକା, ବବି ମିଶ୍ର, ଅମର ମହାପାତ୍ର, ବାପି, ବିନୋଦ ମଧ୍ୟ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି।

ତୁ ମୋ ଦେହର ଛାଇ, ପାଗଳ କରିଛୁ ତୁ, କଲେଜ୍ ଟାଇମ୍, ଗୋଲାପି ଗୋଲାପି, ତୋର ଦିନେକୁ ମୋର ଦିନେ ପରି ରୋମାଣ୍ଟିକ୍ ଚଳଚ୍ଚିତ୍ରରେ ଅମ୍ଳାନ୍ ଓ ରିୟାଙ୍କ ଯୁଗଳବନ୍ଦୀ ଯୁବଦର୍ଶକଙ୍କୁ ଆକୃଷ୍ଟ କରିଛି। ଏବେ ସେଇ ଯୋଡ଼ିଙ୍କୁ ନେଇ ଆସୁଥିବା ନୂଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ ପୁଣି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶାକରାଯାଉଛି।

ଅତୀତରେ ଦେଖା ହେଲା ପ୍ରେମ ହେଲା, ତମେ ଥିଲେ ସାଥିରେ, ଗଡ଼ବଡ଼, ହରି ଓମ୍ ହରି, ମୁଁ ଏକା ତୁମର ଆଦି ଚଳଚ୍ଚିତ୍ର ମାଧ୍ୟମରେ ବଙ୍ଗୀୟ ଅଭିନେତ୍ରୀ ରାଗିଣୀ ସୂତ୍ରଧର ମଧ୍ୟ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି। ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ କଥା ନ କହିବା ଭଲ, ଆ ଲୋ ମୋର କଣ୍ଢେଇ, ବାଇଶି ପାହାଚେ ଖେଳିବ ମୀନ, ଦୋସ୍ତି, ଡ୍ରିମଗାର୍ଲ, ରୁମ୍‌କୁ ଝୁମାନା, ପାରିବେନି କେହି ଅଲଗା କରି, ଗୁଡ୍‌ବୟ, ହିରୋ, ମେଘ ସବାରିରେ ଆସିବ ଫେରି, ଦିଲ୍‌ ତତେ ଦେଇଛି, ଅଭିମନ୍ୟୁ ଆଦି ଚଳଚ୍ଚିତ୍ରର ନାୟିକା ସାଜି ସେ ଥରକୁ ଥର ଓଡ଼ିଆ ସିନେଦର୍ଶକଙ୍କ ମନ ମୋହିଛନ୍ତି।

ଅମ୍ଳାନଙ୍କ ସହ ଏଇ ତିନିଜଣ ଅଭିଜ୍ଞତାସମ୍ପନ୍ନ ଅଭିନେତ୍ରୀ ଥିବାରୁ ରୋମାଣ୍ଟିକ୍ କାହାଣୀ ‘ଲାଗେ ପ୍ରେମ ନଜର’ ଦର୍ଶକଙ୍କ ପାଇଁ ଭରପୂର ମନୋରଂଜନର ଖୋରାକ ଯୋଗାଇବ ବୋଲି ଆଶାକରାଯାଉଛି। ବ୍ଲୁ ଆଇଜ୍ ଏଣ୍ଟଟେନ୍‌ମେଣ୍ଟ୍‌ର ପ୍ରଥମ ଅବଦାନ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ନନ୍ଦିକେଶ ଓ ବ୍ୟୋମକେଶ। କାହାଣୀ ରଚନା ଖଗେଶ୍ବର ଶେଜପଡ଼ା କରିଥିବା ବେଳେ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ନିର୍ଦ୍ଦେଶନା ଦେଉଛନ୍ତି ଦିଲୀପ୍ ପଣ୍ଡା ଏବଂ ସଙ୍ଗୀତ ସଜାଉଛନ୍ତି ବୈଦ୍ୟନାଥ ଦାସ।

ସମ୍ବନ୍ଧିତ ଖବର