ଜୀବନରେ ଥରେ ଅପବାଦର କାଳିମା ଲାଗିଗଲେ, ତାହାକୁ ପୋଛିବା କେଡ଼େ କଷ୍ଟକର ତାହା ଏବେ ଅଙ୍ଗେ ଅଙ୍ଗେ ନିଭାଉଛନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଉଦୀୟମାନ ସିନେ ତାରକା ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇପଡ଼ିଥିବା ରିଆ ଜେଲ୍ ଯିବା ପରେ ପ୍ରଶଂସକମାନେ ତାଙ୍କ ଠାରୁ ମୁହଁ ମୋଡ଼ିନେଇଥଲେ। ସେ ଜେଲ୍ରୁ ମୁକୁଳି ଆସିଥିଲେ ହେଁ ତାଙ୍କ ହାତ ଏବେ ଖାଲି। କୌଣସି ପ୍ରଯୋଜକ ତାଙ୍କୁ ସାମିଲ କରି ଫିଲ୍ମ ପ୍ରସ୍ତୁତ କରିବାକୁ ଇଚ୍ଛୁକ ନଥିବା ବେଳେ ରିଆ ଏବେ ନିଃସଙ୍ଗ ଜୀବନ ବିତାଉଛନ୍ତି।
କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ୧୯୯୨ ଜୁଲାଇ ପହିଲାରେ ଏକ ବଙ୍ଗାଳୀ ପରିବାରରେ ଜନ୍ମ ନେଇଥିବା ରିଆଙ୍କର ପିତା ଜଣେ ସାମରିକ ଅଧିକାରୀ ଥିଲେ। ତେଣୁ ପ୍ରଥମରୁ ହିଁ ସେ ବେଶ୍ ଦୁଃସାହସିକ ହେବା ସହ ଜୀବନର ପ୍ରତ୍ୟେକ ଆହ୍ବାନର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ତେବେ ପ୍ରାଶାସନିକ ସେବାରେ ଯୋଗଦେବାକୁ ସ୍ବପ୍ନ ଦେଖିଥିବା ରିଆ କିନ୍ତୁ ପଢ଼ିବା ସମୟରେ ବିଭିନ୍ନ ସୌନ୍ଦର୍ଯ୍ୟ ଭିତ୍ତିକ ପ୍ରତିଯୋଗିତାରେ ଭାଗ ନେବା ଅବସରରେ ସିନେମା ଜଗତ୍ର ମାୟା ନଗରୀ ପ୍ରତି ଆକର୍ଷିତ ହୋଇପଡ଼ିଥିଲେ। ଫଳସ୍ବରୂପ କଲେଜ ଶିକ୍ଷା ଚାଳିଥିବା ବେଳେ ୨୦୦୯ରେ ସେ ଏମ୍ଟିଭି ଇଣ୍ଡିଆ ପ୍ରସ୍ତୁତ ଟିଭିଏସ୍ ସ୍କୁଟି ‘କିଶୋରୀ ଦେବୀ’ ପ୍ରତିଯୋଗିତାର ପ୍ରଥମ ଉପବିଜୟିନୀ ହୋଇ ପରେ ଏମ୍ଟିଭିର ଜଣେ ଉଦ୍ଘୋଷିକା ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ଉକ୍ତ ଚ୍ୟାନେଲ୍ର ବିଭିନ୍ନ କାର୍ଯ୍ୟକ୍ରମକୁ ସଂଚାଳନ କରିବାରେ ସଫଳତା ହାସଲ କରି ୨୦୧୨ରେ ସେ ତେଲୁଗୁ ଫିଲ୍ମ ‘ତୁନୀଗା ତୁନୀଗା’ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ।
ତେବେ ହିନ୍ଦୀ ଫିଲ୍ମରେ ତାଙ୍କର ପ୍ରଥମ ପଦାର୍ପଣ ହୋଇଥିଲା ୨୦୧୩ର ସିନେମା ‘ମେରେ ଡାଡ୍ କୀ ମାରୁତି’ ମାଧ୍ୟମରେ। ନିଜର ଅଭିନୟ ଚାତୁରୀରେ ସେ ଦର୍ଶକମାନଙ୍କୁ କିଛି ମାତ୍ରାରେ ଆକର୍ଷିତ କରିଥିବା ବେଳେ ସେଭଳି ବାନ୍ଧି ରଖି ପାରିନଥିଲେ। ତେବେ ଏହାପରେ ୨୦୧୪ରେ ‘ସୋନାଲି କେବଲ୍’ ସିନେମାରେ ତାଙ୍କର ସୋନାଲି ଭୂମିକା ବେଶ୍ ଗ୍ରହଣୀୟ ହୋଇପାରିଥିଲା। ଏହାପରେ ୨୦୧୭ରେ ଯଶରାଜ ଫିଲ୍ମ ଦ୍ବାରା ପ୍ରଯୋଜିତ ‘ବ୍ୟାଙ୍କ ଚୋର’ ସମେତ ‘ହାଫ୍ ଗାର୍ଲଫ୍ରେଣ୍ଡ୍’ ଓ ‘ଦୋବାରା: ସି ୟୋର ଇଭିଲ୍’ ଆଦି ଭୂମିକାରେ ତାଙ୍କୁ ଆଶାନୁରୂପ ଦର୍ଶକୀୟ ସ୍ବୀକୃତି ମିଳିଥିଲା। ସେହିପରି ୨୦୧୮ର ‘ଜଲେବି’ ଓ ଗତବର୍ଷ ମୁକ୍ତିଲାଭ କରିଥିବା ‘ଚେହରେ’ ଫିଲ୍ମ ମଧ୍ୟ ତାଙ୍କ ସଫଳତା ମୁକୁଟରେ ଆଉ ଦୁଇଟି ରଙ୍ଗିନ ପର ସାଜିଥିଲା। ତେବେ ଏହି ଅବସରରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ତାଙ୍କର ନିବିଡ଼ତା ଓ ସେ ଆତ୍ମହତ୍ୟା କରିବା ଘଟଣା ରିଆଙ୍କ ମନକୁ ଭାଙ୍ଗି ଦେଇଥିଲା।
୨୦୧୭ରେ ପାଖାପାଖି ସୁଟିଂ ସେଟ୍ରେ କାମ କରୁଥିବା ବେଳେ ରିଆଙ୍କର ସୁଶାନ୍ତଙ୍କ ସହ ଭେଟ ହୋଇଥିଲା ଏବଂ ପରେ ତାହା ବନ୍ଧୁତା ଓ ନିବିଡ଼ ସମ୍ପର୍କରେ ପରିଣତ ହୋଇଥିଲା। ଫଳସ୍ବରୂପ, ୨୦୧୯ ସେପ୍ଟେମ୍ବରରେ ରିଆ ସୁଶାନ୍ତଙ୍କ ସହ ମିଶି ‘ଭିଭିଡ୍ରେଜ୍ ରିଅଲିଟିଏକ୍ସ’ ନାମରେ ଏକ କୃତ୍ରିମ ବୁଦ୍ଧିମତା କମ୍ପାନି ଗଠନ କରିଥିଲେ। ଏପରିକି ସେହିବର୍ଷ ଡିସେମ୍ବରରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ମାତ୍ର ୨୦୨୦ ଜୁନ୍ ୧୪ରେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ରିଆଙ୍କୁ ବିବାଦୀୟ କରିଦେଇଥିଲା। ସୁଶାନ୍ତଙ୍କୁ ଗଞ୍ଜେଇ ଯୋଗାଇଥିବା ଅଭିଯୋଗରେ ରିଆ ଏନ୍ସିବି ଦ୍ବାରା ସେପ୍ଟେମ୍ବର ୮ରେ ଗିରଫ ହୋଇଥିଲେ। ଏହାପରେ ତାଙ୍କ ଜୀବନର ଗତିପଥ ସବୁ ଓଲଟପାଲଟ ହୋଇଗଲା। ମୁମ୍ବାଇର ବାଇକୁଲା ଜେଲ୍ରେ ମାସାଧିକ କାଳ କାଟି ସେ ଜାମିନରେ ଆସିଥିବା ବେଳେ ଏବେ ଅତୀତକୁ ଗୁମୁରିବା ଛଡ଼ା ତାଙ୍କ ପାଖରେ ଅନ୍ୟ କିଛି ସାଧନ ନାହିଁ।