କପାଳ ଲିଖନ: ପିତାଙ୍କ ପଦାଙ୍କ ଅନୁସରଣ କରି କଳାକାର ଜୀବନ ବିତାଇବେ ବୋଲି ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲେ ସୋନାକ୍ଷୀ ସିହ୍ନା

ହିନ୍ଦୀ ସିନେମାରେ ଜଣେ ବେଶଭୂଷା ରୂପକାର ଭାବେ ପେସାଗତ ଜୀବନ ଆରମ୍ଭ କରିଥିବା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବଲିଉଡ୍‌ର ବହୁଳ ପରିଚିତ ନାମଗୁଡ଼ିକ ଭିତରେ ଅନ୍ୟତମ। ନିଜ ପିତା ତଥା ମହାନ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପଦାଙ୍କ ଅନୁସରଣ କରି ସେ କଳାକାର ଜୀବନ ବିତାଇବେ ବୋଲି ସ୍ବପ୍ନରେ ସୁଦ୍ଧା କଳ୍ପନା କରିନଥିଲେ। ମାତ୍ର ତାଙ୍କ ଠାଣି, ପରିପାଟୀ ଓ ଖୋଲା ମିଞ୍ଜାସ ବ୍ୟବହାର ତାଙ୍କ ପାଇଁ ହିନ୍ଦୀ ସିନେ ଜଗତ୍‌ରେ ଏକ ସ୍ବତନ୍ତ୍ର ସ୍ଥାନ ସୁରକ୍ଷିତ ରଖିପାରିଛି। ପ୍ରଥମ ସିନେମାରେ ଖାପ ଖୁଆଇଥିବା ତାଙ୍କର ହାବଭାବ ହିଁ ପ୍ରଶଂସକଙ୍କ ମନରେ ଅଲିଭା ସ୍ମୃତି ହୋଇ ରହିବା ସହ ସୋନାକ୍ଷୀଙ୍କୁ ଜଣେ ଆଗଧାଡ଼ିର ନାୟିକା ଭାବେ ସଜାଇଦେଇଛି। ବିହାରର ପାଟନା ଠାରେ ୧୯୮୭ ଜୁନ୍‌ ୨ ତାରିଖରେ ଜନ୍ମିତ ସୋନାକ୍ଷୀ ଫେସନ ଡିଜାଇନିଂରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ପାଠପଢ଼ା ପରେ ଦୀର୍ଘ ପାଞ୍ଚ ବର୍ଷ କାଳ ବିଭିନ୍ନ ସିନେମା ପ୍ରଯୋଜନା ସଂସ୍ଥା ପାଇଁ ବେଶଭୂଷା ରୂପକାର ସାଜିବା ଭିତରେ ତାଙ୍କ ଦବଙ୍ଗ ଶୈଳୀ ତାଙ୍କୁ ୨୦୧୦ର ପ୍ରଥମ ହିନ୍ଦୀ ସିନେମା ‘ଦବଙ୍ଗ’ର ନାୟିକା ହେବାର ସୁଯୋଗ ଜୁଟାଇଥିଲା।

The Indian Express

ତେବେ ଏହି ଫିଲ୍ମରେ ତିନି କେଜି ଓଜନ କମାଇ ସେ ଫୁଟାଇଥିବା ଜଣେ ଗାଉଁଲି ତରୁଣୀର ଚରିତ୍ର ସୋନାକ୍ଷୀଙ୍କ ପାଇଁ ଅପାର ପ୍ରଶଂସା ଆଣିଦେବା ସହ ଫିଲ୍ମଟି ମଧ୍ୟ ଆଶାତୀତ ଭାବେ ବ୍ୟାବସାୟିକ ସଫଳତା ହାସଲ କରିଥିଲା। ସେହି ପ୍ରଥମ ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା ଭାବେ ‘ଅପସରା ଫିଲ୍ମ ଆଣ୍ଡ୍‌ ଟେଲି ସମ୍ମାନ’, ‘ଫିଲ୍ମଫେୟାର ସମ୍ମାନ’, ‘ଆନ୍ତର୍ଜାତିକ ଭାରତୀୟ ଫିଲ୍ମ ଏକାଡେମି ସମ୍ମାନ’, ‘ଷ୍ଟାର ସ୍କ୍ରିନ୍‌ ସମ୍ମାନ’, ‘ଜୀ ସିନେମା ସମ୍ମାନ’ ଓ ‘ଷ୍ଟାରଡଷ୍ଟ ସମ୍ମାନ’ ପରି ଛଅ ଛଅଟା ଜାତୀୟ ସ୍ତରୀୟ ପୁରସ୍କାର ଭେଟି ଦେଇଥିଲା। ଏହାପରେ ସୋନାକ୍ଷୀଙ୍କୁ ଆଉ ପଛକୁ ଫେରିବା ଦରକାର ପଡ଼ିନାହିଁ କି ସିନେ ନିର୍ମାତାମାନେ ତାଙ୍କୁ ଅଭିନୟ ଦେବା ପାଇଁ କୁଣ୍ଠା ବୋଧ କରିନାହାନ୍ତି। ନିଜ ପିତାଙ୍କର ପ୍ରଭାବକୁ ଆଦୌ ବିନିଯୋଗ ନକରି ମଧ୍ୟ ମୁମ୍ବାଇର ମାୟାନଗରୀରେ ଶତ୍ରୁଘ୍ନତନୟା ନିଜ ଦମ୍ଭରେ ଗୋଟିକ ପରେ ଗୋଟିଏ ବାଜି ମାରି ଚାଲିଲେ। ଏହା ପରେ ପରେ ‘ରାଉଡ଼ି ରାଠୋର’, ‘ସନ୍‌ ଅଫ ସର୍ଦ୍ଦାର’ ଓ ‘ଦବଙ୍ଗ-୨’ ଆଦି ଫିଲ୍ମରେ ତାଙ୍କର ଦମ୍‌ଦାର ଅଭିନୟ ପାଇଁ ତାଙ୍କ ନାମକୁ ଆଠଟି ଜାତୀୟ ସ୍ତରୀୟ ପୁରସ୍କାର ପାଇଁ ସୁପାରିସ କରାଯାଇଥିଲା।

ସେହିପରି ପରବର୍ତ୍ତୀ ସିନେମା ‘ଲୁଟେରା’ ତାଙ୍କ ପାଇଁ ‘ବିଗ୍‌ ଷ୍ଟାର ଏଣ୍ଟରଟେନ୍‌ମେଣ୍ଟ୍‌ ସମ୍ମାନ’ ଓ ‘ଜୀ ସିନେ ସମ୍ମାନ’ ଆଣିଦେବା ସହ ଆହୁରି ୬ଟି ଜାତୀୟ ସ୍ତରୀୟ ସମ୍ମାନ ପାଇଁ ତାଙ୍କ ନାମକୁ ସୁପାରିସ କରିଥିଲା। ତାଙ୍କ ଅଭିନୀତ ‘ହିମ୍ମତଵାଲା’, ‘ବସ୍‌’, ‘ବୁଲେଟ ରାଜା’, ‘ହାପ୍ପି ଫିର ଭାଗ ଜାୟେଗି’, ‘କଳଙ୍କ’ ଓ ‘ମିସନ୍‌ ମଙ୍ଗଳ’ ଆଦି ସିନେମାଗୁଡ଼ିକ ମଧ୍ୟ ତାଙ୍କ ପାଖରେ ଅନୁରୂପ ଦର୍ଶକୀୟ ସ୍ବୀକୃତି ଅଜାଡ଼ି ଦେଇଛି। ଗତବର୍ଷ ଓଟିଟି ମଞ୍ଚରେ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ ‘ଭୁଜ: ଦି ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’କୁ ମଧ୍ୟ ପ୍ରଶଂସକମାନେ ଭରପୂର ଉପଭୋଗ କରିଥିବା ବେଳେ ଚଳିତ ବର୍ଷ ଖେଳିବାକୁ ଥିବା ଦୁଇଟି ଭିନ୍ନ ଶୈଳୀର ସିନେମାରେ ସୋନାକ୍ଷୀ ଆହୁରି ଅଧିକ ଆପ୍ୟାୟିତ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର