ଆଜି ପରଦାକୁ ଆସିଥିବା ନାଗାର୍ଜୁନ ଷ୍ଟାରର ‘ଦ ଘୋଷ୍ଟ’ରେ ସୋନାଲ୍ ଚୌହାନ ସାଜିଛନ୍ତି ନାୟିକା। ଏହି ଆକ୍ସନ୍ ସିନେମାରେ ନାୟକ ନାଗାର୍ଜୁନଙ୍କଠାରୁ ଅଧିକ ଆକ୍ସନ୍ ଓ ଷ୍ଟଣ୍ଟ୍ ସିନ୍ରେ ସୋନାଲ୍ଙ୍କ ଭୂମିକା ରହିଛି। ଏସବୁ ସିନ୍ରେ ଶଟ୍ ଦେବାବେଳେ ସୋନାଲ୍ଙ୍କ ପାଦ ଆଘାତପ୍ରାପ୍ତ ହେଇଥିଲା। ମାର୍ସିଆଲ୍ ଆର୍ଟକୁ ନେଇ କିଛି ଦୃଶ୍ୟରେ ସୋନାଲ୍ଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ସୁଟିଂସେଟ୍ରୁ ଯାଇ ହସ୍ପିଟାଲ୍ରେ ଆବଶ୍ୟକ ଚିକିତ୍ସା ନେବା ପରେ ଯଥାଶୀଘ୍ର ସୋନାଲ୍ ପୁଣି ସୁଟିଂରେ ଯୋଗ ଦେଇଥିଲେ। ଏପରିକି ଫାଇଟ୍ ସିନରେ ମଧ୍ୟ ସେ ନିଜକୁ ସାମିଲ କରିଥିଲେ।
ଏଇ ଚଳଚ୍ଚିତ୍ରରେ ନାଗାର୍ଜୁନ ଓ ସୋନାଲ୍ଙ୍କ ସହ ଗୁଲ୍ ପନାଗ ଓ ଆନିଖା ସୁରେନ୍ଦ୍ରନ୍ ମଧ୍ୟ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ସୁନୀଲ୍ ନାରଙ୍ଗ, ପୁଷ୍କର ରାମମୋହନ ରାଓ ଓ ସାରଥ ମାରାରଙ୍କ ପ୍ରଯୋଜିତ ଏଇ ଚଳଚ୍ଚିତ୍ରର ଷ୍ଟଣ୍ଟ୍ ନିର୍ଦ୍ଦେଶନା ଦେଇଛନ୍ତି ଦୀନେଶ ସୁବାରାୟନ୍ ଓ କାଇଚ୍ଛା।
୨୦୦୮ରେ ହିନ୍ଦୀ ମୁଭି ‘ଜନ୍ନତ’ ଜରିଆରେ ବଡ଼ ପରଦାରେ ପ୍ରବେଶ କରିଥିବା ସୋନାଲ୍ ଚୌହାନ ପରେ ପେହଲା, ୩-ଜି, ପାୱାର, ପଲ୍ଟାନ୍ ଓ ଜ୍ୟାକ୍ ଆଣ୍ଡ ଦିଲ୍ରେ ଅଭିନୟ କରିଛନ୍ତି। ଏହା ସହିତ ତେଲୁଗୁ ଫିଲ୍ମ ରେନବୋ, ଲିଜେଣ୍ଡ, ପାଣ୍ଡାଗା, ଶେର୍, ସାଇଜ ଜିରୋ, ଡିକ୍ଟେଟର, ରୁଲର, ଫନ୍ ଆଣ୍ଡ ଫ୍ରଷ୍ଟ୍ରେସନ୍ ଏବଂ କନଡ୍ ଫିଲ୍ମ ଚେଲୁଭିଏ ନେନୁ ନୋଦାଲୁ ଆଦିର ନାୟିକା ସାଜି ସେଠାକାର ଦର୍ଶକଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି।
ଲକ୍ଡାଉନ୍ ସମୟରେ ସୋନାଲ୍ ‘ସ୍କାଏ ଫାୟାର୍’ ୱେବ୍ସିରିଜ୍ରେ ନଜରକୁ ଆସିଥିଲେ। ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ମଧ୍ୟ ସୋନାଲ୍ଙ୍କୁ ଦେଖିବାକୁ ମିଳିବ। ଯାହା ଜଣାପଡ଼ୁଛି ଆଗ୍ରା ଝିଅ ସୋନାଲ୍ ଆଉ କିଛିଦିନ ଭିତରେ ସିନେ ଇଣ୍ଡଷ୍ଟ୍ରିର ଅନ୍ୟ ଅଭିନେତ୍ରୀଙ୍କୁ ପଛରେ ପକେଇ ଶୀର୍ଷରେ ପହଞ୍ଚିଯିବେ।