ସୋନାଲ୍‌ ଚୌହାନ : ଆଲବମ୍ ନାୟିକାରୁ ସଫଳ ସିନେ-ଅଭିନେତ୍ରୀ

କୌଣସି କ୍ଷେତ୍ରରେ ଆଶାନୁରୂପ ଆତ୍ମସନ୍ତୁଷ୍ଟି ନମିଳିଲେ ସଂପୂର୍ଣ୍ଣ କ୍ଷେତ୍ରକୁ ନ ବଦଳାଇ ତାହାର ଭିନ୍ନ ଦିଗରେ ନିଜକୁ ପରଖିବା ହେଉଛି ବୁଦ୍ଧିମାନର କାମ। ଅଭିନେତ୍ରୀ ସୋନାଲ୍‌ ଚୌହାନଙ୍କ ପେସାଗତ ଜୀବନରେ ସେପରି କିଛି ଘଟିଛି। ନିଜ ପାଇଁ ଅଧିକରୁ ଅଧିକ ଦର୍ଶକୀୟ ସ୍ବୀକୃତି ଯୋଗାଡ଼ କରିବା ଲାଗି ତାଙ୍କୁ ବିଭିନ୍ନ ଭାଷାର ଫିଲ୍ମରେ ନିଜର ଦକ୍ଷତା ପରଖିବାକୁ ପଡ଼ିଛି। ଉତ୍ତରପ୍ରଦେଶର ବୁଲନ୍ଦସହର ଠାରେ ୧୯୮୫ ମେ ୧୬ରେ ମଣିପୁର ରାଜବଂଶର ଏକ ଚୌହାନ ରାଜପୁତ ପରିବାରରେ ଜନ୍ମିତା ସୋନାଲ ଦର୍ଶନଶାସ୍ତ୍ର ସମ୍ମାନରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ନୃତ୍ୟଗୀତରେ ପ୍ରବୀଣା ଥିବା ସୋନାଲ ତାଙ୍କର ଶିକ୍ଷାସମାପ୍ତି ପରେ ପରେ ବିଭିନ୍ନ ନାମୀଦାମୀ କମ୍ପାନିର ବିଜ୍ଞାପନରେ ମଡେଲିଂ କରି ନିଜର ପେସାଗତ ଜୀବନ ଆରମ୍ଭ କରିଥିଲେ।

ତେବେ ୨୦୦୫ରେ ମାଲେସିଆର ମିରିଠାରେ ‘ବିଶ୍ବ ପର୍ଯ୍ୟଟନ ସୁନ୍ଦରୀ’ ମୁକୁଟ ଜିତିଲା ପରେ ସଂଭ୍ରାନ୍ତ ପତ୍ରିକା ‘ଏଫ୍‌ଏଚ୍‌ଏମ୍‌’ର ପ୍ରଚ୍ଛଦ ମଣ୍ଡନ କରି ସୋନାଲଙ୍କର ଲୋକପ୍ରିୟତା ବଢ଼ିଯାଇଥିଲା। ମାତ୍ର ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା ହିମେଶ ରେସମିୟାଙ୍କ ସଂଗୀତ ଆଲବମ୍‌ ‘ଆପ୍‌ କା ସୁରୁର୍‌’ ମାଧ୍ୟମରେ। ଏହାପରେ ୨୦୦୮ରେ ହିନ୍ଦୀ ଫିଲ୍ମ ‘ଜନ୍ନତ’ରେ ପ୍ରଥମ ପଦାର୍ପଣ କରି ଦର୍ଶକମାନଙ୍କୁ ସେ ନିଆରା ମନୋରଂଜନ ପରଷିଥିଲେ। ତେବେ ଏକ ବ୍ୟାପକ ଦର୍ଶକ ପରିସର ସୃଷ୍ଟି ପାଇଁ ସେ କେବଳ ହିନ୍ଦୀ ଭାଷାର ସିନେମାରେ ନିଜକୁ ସୀମିତ ନ ରଖି ଦକ୍ଷିଣ ଭାରତୀୟ ଭାଷା ପ୍ରତି ମନ ବଳାଇଥିଲେ। ଫଳସ୍ବରୂପ ସେହିବର୍ଷ ତେଲୁଗୁ ସିନେମା ‘ରେନ୍‌ବୋ’ରେ ମଧ୍ୟ ପ୍ରଥମ ପ୍ରବେଶ କରି ଦକ୍ଷିଣ ଭାରତରେ ବେଶ ଚହଳ ପକାଇଥିଲେ।

ବିଭିନ୍ନ ଭାଷାର ଦର୍ଶକଙ୍କ ପାଇଁ ସେ ଚଳାଇଥିବା ପରୀକ୍ଷା ନିରୀକ୍ଷାର ଅଂଶବିଶେଷ ୨୦୧୦ରେ କନ୍ନଡ଼ ଫିଲ୍ମ ‘ପ୍ରକୃତି’ରେ ମଧ୍ୟ ନିଜର ଦକ୍ଷତାକୁ ପ୍ରଥମେ ପରଖିଥିଲେ। ତେବେ ତାଙ୍କୁ ହିନ୍ଦୀ ସିନେମା ଅନୁରୂପ ଦର୍ଶକୀୟ ସମର୍ଥନ ଅନ୍ୟତ୍ର ମିଳିପାରିନଥିବାରୁ ସେ ପୁଣି ହିନ୍ଦୀ ଫିଲ୍ମରେ ମଗ୍ନ ରହିଥିଲେ। ‘ବୁଢ଼ା ହୋଗା ତେରା ବାପ୍‌’, ‘ପେହେଲା ସିତାରା’ ଓ ‘୩ଜି’ ପରି ଲଗାତାର ତିନି ତିନିଟି ହିନ୍ଦୀ ଫିଲ୍ମରେ ସେ ନିଜର ଦକ୍ଷତା ଦେଖାଇଥିଲେ।

ଏଥି ସହିତ ଲୋକପ୍ରିୟ ଗାୟକ କେକେଙ୍କ ସହ ‘୩ଜି’ ଫିଲ୍ମର ‘କୈସେ ବତାଉଁ’ ଗୀତରେ କଣ୍ଠଦାନ କରି ପ୍ରଶଂସକମାନଙ୍କ ମନରେ ଗଭୀର ଛାପ ଛାଡ଼ିଥିଲେ। ପୁଣି ତେଲୁଗୁ ସିନେମାରେ ଦ୍ବିତୀୟ ଇନିଂସ ଆରମ୍ଭ କରି ‘ଲିଜେଣ୍ଡ୍‌’, ‘ପାଣ୍ଡାଗା ଚେସ୍କୋ’ ଓ ‘ସାଇଜ୍‌ ଜିରୋ’ ପରି ଲୋକପ୍ରିୟ ଫିଲ୍ମ ମାଧ୍ୟମରେ ଦକ୍ଷିଣୀ ଦର୍ଶକଙ୍କୁ ପୁଣି ମତୁଆଲା କରିବାକୁ ଚେଷ୍ଟା କରିଥିଲେ। ଏଥି ସହିତ ‘ଇଞ୍ଜି ଇଦ୍ଦୁପାଝାଗି’ ଫିଲ୍ମ ଜରିଆରେ ତାମିଲ ଭାଷାକୁ ପ୍ରଥମ ପ୍ରବେଶ କରି ମଧ୍ୟ ଅନୁରୂପ ଲୋକପ୍ରିୟତା ବଜାୟ ରଖିଥିଲେ। ଗତବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ଦି ପାଵାର’ ଭଲ ବ୍ୟବସାୟ କରିଥିବା ବେଳେ ଚଳିତବର୍ଷର ତେଲୁଗୁ ଫିଲ୍ମ ‘ଏଫ୍‌୩: ଫନ୍‌ ଆଣ୍ଡ୍‌ ଫ୍ରଷ୍ଟ୍ରେସନ୍‌’ ମଧ୍ୟ ଆଶାନୁରୂପ ପ୍ରଶଂସା ସାଉଁଟିଛି। ଏବେ ସେ ଦୁଇଟି ତେଲୁଗୁ ଫିଲ୍ମ ଓ ଗୋଟିଏ ହିନ୍ଦୀ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି। ସେଥିରେ ତାଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ତେବେ ବିଭିନ୍ନ ଭାଷାର ଫିଲ୍ମରେ ଅଭିନୟ କରିଥିବାରୁ ସେ ଜଣେ ପରିବର୍ତ୍ତନର ପରିଚାରିକା ବୋଲି ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର