୨୦୦୦ରେ ଏକ ବିଶ୍ୱ ସ୍ତରର ସୁନ୍ଦରୀ ପ୍ରତିଯୋଗିତା ଜିଣି ବଲିଉଡ୍ରେ ପ୍ରବେଶ କରିଥିଲେ ଆରତୀ ଛାବଡ଼ିୟା। ଏହା ପୂର୍ବରୁ ସେ ନିଉୟର୍କ ଫିଲ୍ମ ଏକାଡେମିରେ ଅଭିନୟ କଳାରେ ତାଲିମ ନେଇଥିଲେ। ଅର୍ଥାତ୍, ଜୀବନର ଲକ୍ଷ୍ୟ ଥିଲା ଅଭିନେତ୍ରୀ ହେବା; ଅଭିନୟକୁ ପେସା କରିବା। ସେ ଅଭିନୟ କଳାରେ ପ୍ରବୀଣା; ସୁନ୍ଦରୀ ମଧ୍ୟ। ହେଲେ, ତାଙ୍କ ପେସାଦାର ଅଭିନେତ୍ରୀ ଜୀବନ ଜମିପାରିନାହିଁ। ୨୦୦୧ରେ ମୁକ୍ତିଲାଭ କରିଥିଲା ତାଙ୍କର ପ୍ରଥମ ଫିଲ୍ମ ‘ଲଜ୍ଜା’। ଗତ ପନ୍ଦର ବର୍ଷରେ ସେ ବିଭିନ୍ନ ଭାଷାର ମୋଟ ଛବିଶଟି ଫିଲ୍ମରେ ଅଭିନୟ କରିସାରିଥିଲେ ହେଁ ବିଫଳତା ତାଙ୍କୁ ଘାରୁଛି। ୨୦୧୦ରେ ମୁକ୍ତିଲାଭ କରିଥିଲା ‘ଦଶ ତୋଲା’। ତାହା ପରେ ଆରତୀ ଆଉ ଗୋଟିଏ ହେଲେ ଫିଲ୍ମ ପାଇନାହାନ୍ତି। ତେବେ, ବିଜ୍ଞାପନ ଫିଲ୍ମର ଅଭାବ ନାହିଁ। ସେ ତିନି ଶହରୁ ଅଧିକ ବିଜ୍ଞାପନରେ ବାହାରିସାରିଲେଣି। ବୟସ ଚଉତିରିଶ ଟପିସାରିଲାଣି। ତେଣୁ, ଅଭିନୟ ଦୁନିଆରୁ ବାହାରି ବ୍ୟବସାୟ କ୍ଷେତ୍ରରେ ପାଦ ଥାପିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରସ୍ତୁତି ଚାଲିଛି। ଆସନ୍ତା ବର୍ଷ ଆରମ୍ଭରେ ସେ ନିଜ ବ୍ରାଣ୍ଡ୍ର ଡିଜାଇନର୍ ଶାଢ଼ି ବ୍ୟବସାୟ ଆରମ୍ଭ କରିବେ। ସେଗୁଡ଼ିକ କେତେକ ନିର୍ଦିଷ୍ଟ ଷ୍ଟୋର୍ରେ ମିଳିବ। ଏହି ବ୍ୟବସାୟ ପାଇଁ ସେ କେତେ ଜଣ ପ୍ରସିଦ୍ଧ ଭାରତୀୟ ଡିଜାଇନର୍ଙ୍କ ସହ ଚୁକ୍ତି କରିଥିବା ପ୍ରକାଶ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp