ନିକଟରେ ‘ଚଣ୍ଡିଗଡ଼ କରେ ଆସିକି’ ଚଳଚ୍ଚିତ୍ରରେ ଏକ କିନ୍ନରୀ ଚରିତ୍ରରେ ଅଭିନତ କରି ଦର୍ଶକଙ୍କ ଧ୍ୟାନ ଅକର୍ଷଣ କରିଥିବା ଅଭିନେତ୍ରୀ ବାଣୀ କପୁର ନିଜର ଏକ ସ୍ବତନ୍ତ୍ର ଅଭିସନ୍ଧି ସମ୍ପର୍କରେ ଖୋଲି କହିଛନ୍ତି।
ସେ କହିଛନ୍ତି ଯେ ସେ ତାଙ୍କ ଚଳଚ୍ଚିତ୍ର ତାଲିକାକୁ ପାରୁପର୍ଯ୍ୟନ୍ତ ବିବିଧ ଗଢ଼ିବାକୁ ଚାହାନ୍ତି। ତେଣୁ ସେ ଏବେ ଏଭଳି ଚଳଚ୍ଚିତ୍ର ପାଇଁ ଅନୁବନ୍ଧିତ ହେବାକୁ ଚାହାନ୍ତି ଯେଉଁଥିରେ ତାଙ୍କୁ ସଂପୂର୍ଣ୍ଣ ଭିନ୍ନ ଧରଣର ଚରିତ୍ର ମିଳିପାରିବ। ଏହା ମାଧ୍ୟମରେ ବାଣୀ ଚଳଚ୍ଚିତ୍ର ନିର୍ମାତାଙ୍କୁ ଦେଖାଇଦେବାକୁ ଚାହାନ୍ତି ଯେ ସେ ପରଦାରେ ବିବିଧ ରକମର ଚରିତ୍ରରେ ଅଭିନୟ କରିବାରେ ପାରଙ୍ଗମ। ଏହି ଚରିତ୍ରଗୁଡ଼ିକୁ ପରଦାରେ ନ୍ୟାୟ ପ୍ରଦାନ ପାଇଁ ନିଜର ସବୁ ଶକ୍ତି ଲଗାଇଦେବାକୁ ପ୍ରସ୍ତୁତ। ଏହା ଫଳରେ ନିର୍ମାତାମାନେ ତାଙ୍କୁ ଆହ୍ବାନପୂର୍ଣ୍ଣ ଚରିତ୍ରରେ ନେବା ପାଇଁ ଆତ୍ମବିଶ୍ବାସ ଜୁଟାଇପାରିବେ ବୋଲି ତାଙ୍କର ଆଶା।
ଏଥି ସହିତ ଅଭିନେତ୍ରୀ ହେବାର ସବୁଠାରୁ ଭଲ ଦିଗ ନେଇ ସେ ଉତ୍ସାହିତ ହୋଇ କହିଛନ୍ତି ଯେ ଏଥିରେ ଅନେକ ଚରିତ୍ରଙ୍କ ଜୀବନ ଜିିଇଁବାର ସୁଯୋଗ ମିଳିଥାଏ। ଆସନ୍ତା ମାର୍ଚ୍ଚ ୧୮ରେ ମୁକ୍ତିଲାଭ କରିବାକୁ ଥିବା ‘ଶମଶେରା’ ଚଳଚ୍ଚିତ୍ରରେ ରଣବୀର କପୁରଙ୍କ ବିପକ୍ଷରେ ବାଣୀ ପୁଣି ଏକ ପୃଥକ ଧରଣର ଚରିତ୍ରରେ ବାହାରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।