ଗୀତ ଗାଉ ଗାଉ ଅଭିନେତ୍ରୀ : ଏବେ ଦକ୍ଷିଣୀ ସିନେମାରେ ମନ

ଜଣେ ଯେ କୌଣସି କ୍ଷେତ୍ରରେ ପାଦ ଦେଉ ନା କାହିଁକି, ଯଦି ଭିତ୍ତିଭୂମି ସୁଦୃଢ଼ ଥିବ, ତେବେ ସଫଳତା ସାଉଁଟିବାର ପରିସର ବ୍ୟାପକ ରହିବ। ଏ ପରିପ୍ରେକ୍ଷୀରେ ପ୍ରଖ୍ୟାତ ତାମିଲ ତଥା ବଲିଉଡ୍ ତାରକା କମଲା ହାସନ୍ ଓ ଅଭିନେତ୍ରୀ ସାରିକା ଠାକୁରଙ୍କ ଝିଅ ଶ୍ରୁତି ହାସନ ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚିତି ଆଣିପାରିଛନ୍ତି। ଏକାଧାରରେ ଜଣେ ଅଭିନେତ୍ରୀ, ମଡେଲ ତାରକା, ଗାୟିକା ଓ ସଂଗୀତକାର ଥିବା ୩୫ ବର୍ଷୀୟା ଶ୍ରୁତି ନିଜ ୧୨ ବର୍ଷର ଅଭିନୟ ଜୀବନ ଭିତରେ ୧୩ଟି ଜାତୀୟସ୍ତରୀୟ ପୁରସ୍କାର ହାସଲ କରିବାର ବିରଳ ଗୌରବ ଅର୍ଜିଛନ୍ତି। ତେବେ ରୋଚକ କଥା ହେଲା, ସେ ପ୍ରଥମେ ଜଣେ କଣ୍ଠଶିଳ୍ପୀ ଭାବେ ନିଜ କଳାକାର ଜୀବନ ଆରମ୍ଭ କରିଥିଲେ। ୧୯୯୨ ମସିହାରେ ତାଙ୍କୁ ମାତ୍ର ୬ ବର୍ଷ ବୟସରେ ପ୍ରଥମେ ସେ ନିଜ ପିତାଙ୍କ ତାମିଲ ଫିଲ୍ମ ‘ତେବାର ମଗନ’ ପାଇଁ କଣ୍ଠଦାନ କରିଥିଲେ।

ଏପରିକି ମାତ୍ର ୧୧ ବର୍ଷ ବୟସରେ ସେ କମଳା ହାସନ୍‌ଙ୍କ ‘ଚାଚି ୪୨୦’ରେ ଶିଶୁ କଳାକାର ଭାବେ ପ୍ରଚ୍ଛଦପଟ ଗାୟିକା ସାଜିଥିଲେ। ସେହିପରି ସେ ହାଇସ୍କୁଲରେ ପଢ଼ିଲା ବେଳେ ‘ହେ ରାମ’ ସିନେମା ପାଇଁ ବାପାଙ୍କ ସହ ଶୀର୍ଷକ ଗୀତ ‘ରାମ ରାମ’ ଗାଇଥିଲେ। ତେବେ ଚେନ୍ନାଇରେ ମନସ୍ତତ୍ତ୍ବ ବିଜ୍ଞାନରେ ସ୍ନାତକ ସାରି ସେ ସଂଗୀତ ଶିକ୍ଷା ପାଇଁ କାଲିଫର୍ଣ୍ଣିଆ ଯାଇଥିଲେ। ସେଠାରୁ ଫେରି ସେ ସଂଗୀତରେ ମନୋନିବେଶ କରିବା ସହ ଅଭିନୟରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। କମଳା ହାସନ୍‌ଙ୍କ ‘ହେ ରାମ’ ପାଇଁ ଗାଇଲା ବେଳେ ସେ ଜଣେ ଅତିଥି କଳାକାର ଭାବେ ମଧ୍ୟ ଦେଖାଦେଇଥିଲେ ଯାହାକୁ ଦର୍ଶକ ଖୁବ୍ ଗ୍ରହଣ କରିଥିଲେ। ଏହାର ବହୁ ଦିନ ପରେ କୁଚିପୁଡ଼ି ନୃତ୍ୟ ପ୍ରଶିକ୍ଷିତା ଶ୍ରୁତି ୨୦୦୮ରେ ଲୋକପ୍ରିୟ ଦକ୍ଷିଣୀ ଅଭିନେତା ମାଧବନ୍ ଅଭିନୀତ ‘ଏନ୍ଦ୍ରେନ୍ଦ୍ରମ୍ ପୁନ୍ନାଗାଇ’ରେ ନାୟିକା ଭାବେ ପ୍ରଥମେ ପଦାର୍ପଣ କରିଥିଲେ। ସେହିପରି ୨୦୧୧ରେ ତେଲୁଗୁ ସିନେମା ‘ଅନଗନାଗ ଓ ଧୀରୁଡୁ’ରେ ପ୍ରଥମେ ଅଭିନୟ କରିଥିଲେ ଯାହା କି ତାଙ୍କୁ ଅନେକ ଦର୍ଶକୀୟ ସ୍ବୀକୃତି ଆଣିଦେଇଥିଲା। ଏହାପରେ ସେ ତେଲୁଗୁ, ତାମିଲ ଓ ହିନ୍ଦୀ ଭାଷାରେ ପଚାଶରୁ ଅଧିକ ଚଳଚ୍ଚିତ୍ରରେ ବିଭିନ୍ନ ଚରିତ୍ରରେ ନିଜର କଳାଚାତୁରୀ ଦେଖାଇପାରିଥିଲେ। ଏପରିକି ୨୦୧୮ରେ ଚେନ୍ନାଇ ଟାଇମ୍‌ସର ଜନମତ ସର୍ବେକ୍ଷଣରେ ସେ ଚେନ୍ନାଇର ସବୁଠୁ ଆକାଂକ୍ଷିତ ମହିଳା ଭାବେ ବିବେଚିତ ହୋଇଥିଲେ।

ଏଥି ସହିତ ମଡେଲିଂ ଦୁନିଆଁରେ ପାଦ ଥାପି ସେ ବିଭିନ୍ନ ନାମୀ କମ୍ପାନିର ବ୍ରାଣ୍ଡ୍ ଆମ୍ବାସାଡର ସାଜିଛନ୍ତି। ନିୟମିତ ସିନେମାରେ କଣ୍ଠଦାନ ଓ ଅଭିନୟ କରିବା ସହ ୨୦୧୯ରେ ସେ ଆମେରିକୀୟ ଟେଲି ଧାରାବାହିକ ‘ଟ୍ରିଡ୍‌ଷ୍ଟୋନ୍’ରେ ମଧ୍ୟ ଅଭିନୟ କରିଥିଲେ। ଗତବର୍ଷ ତାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ଦି ପାୱାର’ ସମେତ ଦୁଇଟି ତେଲୁଗୁ ଓ ଦୁଇଟି ତାମିଲ ସିନେମା ମୁକ୍ତିଲାଭ କରି ବେଶ ଲୋକପ୍ରିୟତା ହାସଲ କରିଥିଲା। ଏ ବର୍ଷ ମଧ୍ୟ ଦୁଇଟି ତେଲୁଗୁ ସିନେମା (ଏନ୍‌ବିକେ୧୦୭ ଓ ୱାଲ୍ଟେୟାର ବୀରାୟା) ମୁକ୍ତି ଅପେକ୍ଷାରେ ଥିବା ବେଳେ ଆସନ୍ତାବର୍ଷ ପ୍ରାରମ୍ଭରେ ଆସିବାକୁ ଥିବା ତେଲୁଗୁ ଫିଲ୍ମ ‘ସଲାର’ ପାଇଁ ସେ ଏବେ ସୁଟିଂରେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର