ମୁମ୍ବାଇ: ଯାହା ନିଷ୍ପତ୍ତି ନେବି ଆଗ ଗଣମାଧ୍ୟମକୁ ଜଣାଇବି ବୋଲି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର କିଣିବା କଥାରେ ଅଭିନେତ୍ରୀ ଅଦା ଶର୍ମା କହିଛନ୍ତି।

Advertisment

କିଛି ଦିନ ତଳେ ଜଣେ ଫଟୋଗ୍ରାଫର୍‌ ରିପୋର୍ଟ କରିଥିଲେ ଯେ, ଅଦା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳସ୍ଥିତ ‘ମଣ୍ଟ୍‌ ବ୍ଲାଙ୍କ୍‌ ଆପାର୍ଟମେଣ୍ଟ୍‌ସ୍‌’ରେ ଥିବା ସୁଶାନ୍ତଙ୍କ ଫ୍ଲାଟ୍‌ ଖରିଦ କରିବେ। ୨୦୨୦ରେ ମୃତ୍ୟୁ ହେବା ପୂର୍ବରୁ ସୁଶାନ୍ତ ଏହି ଫ୍ଲାଟ୍‌ରେ ରହୁଥିଲେ।

ପରେ ଏକ ଗଣମାଧ୍ୟମ ‘ପୋର୍ଟାଲ୍‌’ ମଧ୍ୟ ରିପୋର୍ଟ କରିଥିଲେ ଯେ, ଅଦା ଉକ୍ତ ଫ୍ଲାଟ୍‌ କିଣିଥିବା କଥା ତାଙ୍କ (ଅଦା) ଟିମ୍‌ ସୁନିଶ୍ଚିତ କରିଛି। ଏହା ଉପରେ ‘ବାଇଟ୍‌’ ଆଣିବା ପାଇଁ ଅଦାଙ୍କ ନିକଟକୁ ଅନେକ ଗଣମାଧ୍ୟମ ପ୍ରତିନିଧି ଓ ରିପୋର୍ଟର୍‌ ଯାଇଥିଲେ। ସେମାନଙ୍କ ସହିତ କଥାବାର୍ତ୍ତା ବେଳେ ଅଦା ସଂକ୍ଷେପରେ କହିଲେ ଯେ, ଏ ବିଷୟରେ ସେ ଯାହା କିଛି ନିଷ୍ପତ୍ତି ନେବେ ଆଗ ଗଣମାଧ୍ୟମକୁ ଜଣାଇବେ।

publive-image Image Courtesy of DNA

ସେ ଏଭଳି କହୁଥିବା ଭିଡିଓକୁ ଭାଇରାଲ୍‌ ଭାୟାନି ତାଙ୍କ ‘ଇନ୍‌ଷ୍ଟାଗ୍ରାମ୍‌’ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ସେଥିରେ ଅଦା କହୁଛନ୍ତି: ପ୍ରଥମେ ଯାହା କିଛି ନିଷ୍ପତ୍ତି ନେବି ଆଗ ମୁଁ ଆପଣମାନଙ୍କୁ କହିବି। ଯେତେବେଳେ ଯାହା ହେଉ, ମୁଁ କଥା ଦେଉଛି, ଯଦି ସେମିତି କିଛି ହୁଏ, ତେବେ ଆପଣମାନଙ୍କୁ ମିଠା ଖୁଆଇବି।

ଉଲ୍ଲେଖଯୋଗ୍ୟ, ୨୦୨୨ ଡିସେମ୍ବରରେ ରିପୋର୍ଟ ହୋଇଥିଲା ଯେ, ସମୁଦ୍ର ଆଡ଼କୁ ମୁହଁ କରିଥିବା ସୁଶାନ୍ତଙ୍କ ଫ୍ଲାଟ୍‌କୁ ଭଡ଼ା ନେବା ପାଇଁ କେହି ରାଜି ହେଉନାହାନ୍ତି। କିନ୍ତୁ, ଏହାକୁ କିଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରୁଥିବା କଥା ଜନପ୍ରିୟ ରିୟଲ୍‌ ଇଷ୍ଟେଟ୍‌ ଏଜେଣ୍ଟ୍‌ ରଫିକ୍‌ ମର୍ଚାଣ୍ଟ୍‌ କହିଥିଲେ।