ମୁମ୍ବାଇ: ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ 'ଆଦିପୁରୁଷ'କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି। ଏହି ଚଳଚ୍ଚିତ୍ରରେ 'ରାମାୟଣ'ର ଚରିତ୍ରକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ନେଇ ଏବଂ ଫିଲ୍ମର ସଂଳାପକୁ ନେଇ ବିବାଦ ଆରମ୍ଭ ହୋଇଛି। ହେ‌ଲେ ବିବାଦ ମଧ୍ୟରେ ବି ଫିଲ୍ମଟି ୨ଦିନରେ ୧୫୦କୋଟିରୁ ଅଧିକ ଆୟ କରିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୬୭.୫୦କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୮୭.୫୦କୋଟି ଟଙ୍କା ଆୟ କରିଛି। ଫିଲ୍ମ ବିବାଦର ଶିକାର ହେଉଥିଲେ ବି ‘ଆଦିପୁରୁଷ’ ଟିମ୍‌ ପକ୍ଷରୁ କୁହାଯାଇଛି ଯେ, ସମଗ୍ର ବିଶ୍ବରେ ‘ଆଦିପୁରୁଷ’ ପ୍ରବଳ ଜନସମର୍ଥନ ପାଇ ସବୁ ବୟସର ଦର୍ଶକଙ୍କ ମନ ଜିଣିଛି। ସର୍ବସାଧାରଣ ଏବଂ ଦର୍ଶକମାନଙ୍କ ମତାମତକୁ ସମ୍ମାନ ଜଣାଇ ଏହାର ଦୃଶ୍ୟାବଳିକୁ ଆହୁରି ସ୍ମରଣୀୟ କରିବା ଲାଗି ଓ ଚଳଚ୍ଚିତ୍ରର ସଂଳାପଗୁଡ଼ିକୁ ପରିବର୍ତ୍ତନ କରିବା ଲାଗି ଟିମ୍‌ ନିଷ୍ପତ୍ତି ଗ୍ରହଣ କରିଛି।

ତେବେ ଫିଲ୍ମରେ ଅତି ନିମ୍ନ ମାନର ସଂଳାପ କେତୋଟି ରହିଛି, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ସଂଳାପଗୁଡ଼ିକ ହେଲା: ‘ମରେଗା ବେଟେ’, ‘ବୁଆ କା ବଗିଚା ହୈଁ କ୍ୟା’ ଏବଂ ‘ଜଲେଗି ତେରେ ବାପ୍‌ କି’ ଇତ୍ୟାଦି।