କେଉଁ ହିନ୍ଦୁ ନିଶ ନରଖି ଦାଢ଼ି ରଖେ? ରାମାୟଣକୁ ଇସଲାମୀକରଣ କରିଥିବାରୁ ନିର୍ଦ୍ଦେଶକଙ୍କୁ ନୋଟିସ

ମୁମ୍ବାଇ: ଓମ୍ ରାଉତଙ୍କ ଦ୍ବାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ଆଦିପୁରୁଷକୁ ନେଇ ବିବାଦ ଥମିବାର ନ‌ାଁ ନେଉ ନାହିଁ। ଫିଲ୍ମରେ ଥିବା ଭିଏଫଏକ୍ସ କାମକୁ ଦର୍ଶକ ପସନ୍ଦ କରୁନଥିବା ବେଳେ କଳାକାରଙ୍କ ଲୁକକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବୁଧବାର ବିଶ୍ବ ହିନ୍ଦୁ ପରିଷଦ ଫିଲ୍ମର ଟିଜରରେ ଥିବା ପ୍ରଭୁ ରାମ, ଲକ୍ଷ୍ମଣ ଏବଂ ରାବଣଙ୍କ ଭଳି ଚରିତ୍ରକୁ ନେଇ ବିରୋଧ କରିଥିବା ବେଳେ ଗୁରୁବାର ଦିନ ସର୍ବ ବ୍ରାହ୍ମଣ ମହାସଭା ନିର୍ଦ୍ଦେଶକ ଓମଙ୍କୁ ନୋଟିସ ପଠାଇଛନ୍ତି। ତାଙ୍କୁ କୁହାଯାଇଛି ଯେ ଫିଲ୍ମର ସମସ୍ତ ଆପତ୍ତିଜନକ ଦୃଶ୍ୟକୁ ସାତ ଦିନ ମଧ୍ୟରେ ହଟାନ୍ତୁ ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ବିଜ୍ଞପ୍ତି ସର୍ବ ବ୍ରାହ୍ମଣ ମହାସଭାର ଜାତୀୟ ସଭାପତି ସୁରେଶ ମିଶ୍ରାଙ୍କ ତରଫରୁ ଆଡଭୋକେଟ୍ କମଲେଶ ଶର୍ମା ପଠାଇଛନ୍ତି। ନୋଟିସରେ କୁହାଯାଇଛି ଯେ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ରାମାୟଣଙ୍କୁ ଇସଲାମୀକରଣ କରିଛନ୍ତି, ଯେଉଁଥିପାଇଁ ଲୋକଙ୍କ ଧାର୍ମିକ ଭାବନା କ୍ଷତିଗ୍ରସ୍ତ ହୋଇଛି।

ସର୍ବ ବ୍ରାହ୍ମଣ ମହାସଭା ଅନୁଯାୟୀ, ରାମାୟଣ ହେଉଛି ଆମର ଇତିହାସ ଏବଂ ଆମର ଆତ୍ମା ​। ପ୍ରଭୁ ହନୁମାନଙ୍କୁ ଆଦିପୁରୁଷରେ ମୋଗଲ ଭାବେ ଦର୍ଶାଯାଇଛି। କେଉଁ ହିନ୍ଦୁ ନିଶ ନରଖି ଦାଢ଼ି ରଖେ? ଯାହା ଆଦିପୁରୁଷରେ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ପ୍ରଭୁ ରାମ, ମା ସୀତା, ପ୍ରଭୁ ହନୁମାନ ଏବଂ ରାମାୟଣର ସମ୍ପୂର୍ଣ୍ଣ ଇସଲାମୀକରଣ କରାଯାଇଛି।

ଏହା ପୂର୍ବରୁ ବୁଧବାର ଉତ୍ତରପ୍ରଦେଶର ସମ୍ୱଲରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରଚାର ମୁଖ୍ୟ ଅଜୟ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ, କେବଳ ପ୍ରଭୁ ରାମ ନୁହଁନ୍ତି, ରାବଣ ଏବଂ ଲକ୍ଷ୍ମଣଙ୍କୁ ‘ଆଦିପୁରୁଷ’ ଚଳଚ୍ଚିତ୍ରରେ ଭୁଲ ଭାବେ ଚିତ୍ରଣ କରାଯାଇଛି। ସେ ଦାବି କରିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ରାବଣ ଯେଉଁଭଳି ଭାବରେ ଚିତ୍ରିତ ହୋଇଛି ତାହା ରାମାୟଣ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଶାସ୍ତ୍ର ସହିତ ମେଳ ଖାଉ ନାହିଁ। ଅଜୟ ଶର୍ମା ଫିଲ୍ମ ସେନ୍ସର ବୋର୍ଡକୁ ପ୍ରଶ୍ନ କରିବାବେଳେ କହିଥିଲେ ଯେ ବୋର୍ଡ ଏକ ଅବାଧ ଓ ଦାୟିତ୍ୱହୀନ କାର୍ଯ୍ୟ କରୁଛି । ଯଦି ବୋର୍ଡ ଏହାର କର୍ତ୍ତବ୍ୟ ପାଳନ କରିବାରେ ସକ୍ଷମ ହେଉନାହିଁ ତେବେ ସରକାର ଏହାକୁ ଭାଙ୍ଗି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର