ମୁମ୍ବାଇ: ଓମ ରାଉତଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ଆଦିପୁରୁଷ ରିଲିଜ ହେବା ପରଠାରୁ ବିବାଦୀୟ ହୋଇ ରହିଛି। ପ୍ରଥମ ଥର ପାଇଁ ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହାକୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା। ଏହା ପରେ ଟ୍ରେଲରରେ କିଛି ପରିବର୍ତ୍ତନ କରାଯାଇଥିବା କହିଥିଲେ ନିର୍ମାତା। ନିର୍ମାତାଙ୍କ ଏହି ଦାବି ପ‌ରେ ଫିଲ୍ମଟି ଭଲ ହୋଇଥିବ ବୋଲି ଦର୍ଶକ ଆଶା କରିଥିବା ବେଳେ ରିଲିଜ୍ ପରେ ଏହା ଦର୍ଶକଙ୍କୁ ନିରାଶ କରିଛି।

Advertisment

ଫିଲ୍ମରେ ଥିବା ପ୍ରତିଟି ଚରିତ୍ରକୁ ଟ୍ରୋଲ କରାଯାଉଥିବା ବେଳେ ଏଥିରେ ଥିବା ସଂଳାପକୁ ନେଇ ବିବାଦ ଆରମ୍ଭ ହୋଇଛି। ଏମଧ୍ୟରେ ନିର୍ଦ୍ଦେଶକ ଓମ୍ ରାଉତଙ୍କ ଏକ ସାକ୍ଷାତକାର ଭାଇରାଲ ହୋଇଛି, ଯେଉଁଥିରେ ସେ କହୁଛନ୍ତି ସୁପରଷ୍ଟାର ପ୍ରଭାସ ପ୍ରଭୁ ରାଘବଙ୍କ ଚରିତ୍ର କରିବାକୁ ପ୍ରଥମେ ରାଜିନଥିଲେ। ତାଙ୍କୁ ରାଜି କରାଇବାକୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ଓମ ରାଉତ କହିଛନ୍ତି, 'ସତ କହିବାକୁ ଗଲେ ପ୍ରଭାସଙ୍କୁ ରାଜି କରିବା ସହଜ ନଥିଲା। କାରଣ ମହାମାରୀ ସମୟରେ ମୁଁ ତାଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲି। ଏହି ସମୟରେ ସେ ମୋତେ ପଚାରିଥିଲେ ଯେ ତୁମେ କ’ଣ ପାଇଁ ମୋତେ ଏହି ଚରିତ୍ର କରିବାକୁ କହୁଛ? ମୁଁ କହିଥିଲି, ମୁଁ ଚାହେଁ ତୁମେ ଭଗବାନ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କର। ମୁଁ ଚାହୁଁଛି ତୁମେ ରାଘବଙ୍କ ଭୂମିକାରେ ଅଭିନୟ କର। ସେ କହିଥିଲେ ତୁମେ ନିଶ୍ଚିତ ତ? ମୁଁ ହଁ କହିଥିଲି। କିନ୍ତୁ ତା’ପରେ ସେ ଭାବିବାକୁ ଲାଗିଲେ ଏହା କିପରି ହେବ? ଜୁମ୍ କଲରେ ଏତେ ବଡ ତାରକାଙ୍କୁ ଫିଲ୍ମ ବିଷୟରେ ବର୍ଣ୍ଣନା କରିବା ଅସମ୍ଭବ ଥିଲା। ତେଣୁ ସେହି ଦିନ ମୁଁ ଜଣେ ପାଇଲଟ୍ ଯୋଗାଡ କରି ମୁମ୍ବାଇରୁ ହାଇଦ୍ରାବାଦ ଯାଇଥିଲି।